ଅଜୟ ଭାଦୁ ହେଲେ ନୂଆ ଉପ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଉପ ନିର୍ବାଚନ କମିଶନର ପଦବୀରେ ନିଯୁକ୍ତ ହେଲେ ଅଜୟ ଭାଦୁ। ଏହାପୂର୍ବରୁ ୨୦୧୯ରେ ଜୁଲାଇ ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଯୁଗ୍ମ ସଚିବ ଭାବରେ ନିଯୁକ୍ତ ହୋଇଥିଲେ ଗୁଜରାଟ IAS କ୍ୟାଡର ଅଧିକାରୀ ଅଜୟ ଭାଦୁ। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେବାପରେ ନିଜ ସେବାରୁ ମୁକ୍ତ ହୋଇଥିଲେ ଅଜୟ ଭାଦୁ।

ଏହାପରେ ମଧ୍ୟ ସେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଦୁଇ ମାସ ଧରି କାର୍ଯ୍ୟ କରିଥିଲେ। ବର୍ତ୍ତମାନ ତାଙ୍କୁ କେନ୍ଦ୍ର ସରକାର ଜାୟୀତ ନିର୍ବାଚନ କମିଶନରେ ଉପ ନିର୍ବାଚନ କମିଶନର ଭଳି ଦାୟିତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତ କରିଛନ୍ତି । ୧୯୯୯ ବ୍ୟାଚ୍‌ର IAS ଅଧିକାରୀ ହେଉଛନ୍ତି ଅଜୟ ଭାଦୁ। ସୁରଟରେ ସହକାରୀ ଜିଲ୍ଲାପାଳ ଭାବରେ ନିଜ ପ୍ରଶାସନିକ ଅଧିକାରୀ କ୍ୟାରିଅର ଆରମ୍ଭ କରିଥିଲେ ଅଜୟ ଭାଦୁ । ଗତ ୨୨ ବର୍ଷ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ ସମ୍ପାଦନ କରିଛନ୍ତି ଅଜୟ ଭାଦୁ।

ଗୁଜରାଟର ଭାରୁଚ ଜିଲ୍ଲା ବିକାଶ ଅଧିକାରୀ ଦାୟିତ୍ବରେ ଥିବା ବେଳେ ବାୟୋମେଟ୍ରିକ ଉପାସ୍ଥାନ ସିଷ୍ଟମ୍‌ ପ୍ରସ୍ତାବ ସେ ପ୍ରଥମେ ଦେଇଥିଲେ। ଏହାପରେ ଦେଶ ବିଭିନ୍ନ ସ୍ଥାନରେ ଏଭଳି ଉପାସ୍ଥାନ ସିଷ୍ଟମକୁ ଆପଣାଗଲା। ଏଥିପାଇଁ ବିଭିନ୍ନ ମଞ୍ଚରେ ସମ୍ମାନିତ ମଧ୍ୟ ହୋଇଛନ୍ତି। ଗୁଜରାଟର ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ବରେ ରହି ସେ ସର୍ବଶ୍ରେଷ୍ଠ ଜିଲ୍ଲାପାଳ ସମ୍ମାନ ପାଇଥିଲେ।

Related Articles

Back to top button