
ଦଲାଲ କରାଇ ନେଉଛନ୍ତି କନଫର୍ମ ଟିକେଟ୍ ଯାତ୍ରୀ ପାଉଛନ୍ତି ୱେଟିଂ: ଆଇଆରସିଟିସି ବୁକିଙ୍ଗରେ କିପରି ହେଉଛି ସେଟିଙ୍ଗ!
ନୂଆଦିଲ୍ଲୀ: ଆଇଆରସିଟିସି ୱେବ୍ ସାଇଟ୍ ହେଉ କି ମୋବାଇଲ ଆପ୍ ରେଳ ଟିକେଟ୍ ବୁକ୍ କରିବା ପାଇଁ କାହାରିକୁ ବି ହାରାହାରି ୨ ମିନିଟ୍ରୁ କମ୍ ସମୟ ଲାଗି ନଥାଏ। ତେବେ ଏହି ଦୁଇମିନିଟ୍ରେ ଦଲାଲ କନଫର୍ମ ଟିକେଟ୍ କରାଇ ନେଉଥିବା ବେଳେ ଯାତ୍ରୀ ନିଜେ ବୁକିଂ କରି ୱେଟିଂ ଟିକେଟ୍ ପାଉଛନ୍ତି। ଯେଉଁ ପର୍ଯ୍ୟନ୍ତ ଯାତ୍ରୀ ଟିକେଟ୍ ପାଇଁ ତାଙ୍କ ପ୍ରୋସେସ୍ ସମ୍ପୂର୍ଣ୍ଣ କରୁଛନ୍ତି ସେହି ସମୟ ମଧ୍ୟରେ ଦଲାଲ ନିଜ ଗ୍ରାହକଙ୍କ ଲାଗି କନଫର୍ମ ଟିକେଟ୍ କରାଇ ନେଇ ପଳାଉଛନ୍ତି।
ନିକଟରେ ରେଳବାଇ ପୋଲିସ (ଆରପିଏଫ) କିଛି ଦଲାଲ ଓ ସଫ୍ଟୱେର ଡେଭଲୋପରଙ୍କୁ ଧରିବା ପରେ ଘଟଣା ଉପରୁ ପର୍ଦ୍ଦା ହଟିଛି। ମାତ୍ର କିଛି ସେକେଣ୍ଡରେ ଦଲାଲ ପୁରା ଟ୍ରେନର କନଫର୍ମ ଟିକେଟ୍ ନିଜ କଷ୍ଟମରଙ୍କ ଲାଗି କରି ନେଉଥିବା ବେଳେ ଯାତ୍ରୀମାନେ ଆଇଆରସିଟିସି ୱେବ୍ ସାଇଟ୍ ଓ ଆପ୍ରେ ସମୟ ବରବାଦ କରି ନିଜ ଲାଗି ୱେଟିଂ ଟିକେଟ୍ ଟିଏ ଯୋଗାଡ କରିପାରୁଛନ୍ତି। ତେବେ ଆସନ୍ତୁ ଜାଣିବା ରେଳବାଇ ଟିକେଟ୍ ବୁକିଂର ପୁରା ଖେଳ।
ସାଧାରଣ ଯାତ୍ରୀ ଯେବେଳେ ନିର୍ଦ୍ଧାରିତ ସମୟରେ ଆଇଆରସିଟିସି ୱେବସାଇଟ୍କୁ ଯାଇ ଟିକେଟ୍ ବୁକିଂ କରିବାକୁ ଚାହୁଁ ଥାନ୍ତି ସେତବେଳେ ତାଙ୍କୁ ୟୁଜର ଆଇଡି ଓ ପାସୱାର୍ଡ ଦେବା ପରେ ଲଗିନ କାପଚା ମଧ୍ୟ ଦେବାକୁ ହୋଇଥାଏ। ଏହା ପରେ ଯାତ୍ରୀଙ୍କୁ ଡିଟେଲ ପୂରଣ କରିବାକୁ ପଡେ, ଜଣକର ୟୁଜର ଆଇଡିରେ ୬ ଜଣଙ୍କ ଲାଗି ଟିକେଟ୍ କରାଯାଇପାରେ। ଏହାକୁ ସବମିଟ୍ କରିବା ପାଇଁ କାପଚା ପୂରଣ କରିବାକୁ ପଡେ। ଏହା ପରେ ପେମେଣ୍ଟ କରିବା ପାଇଁ ଆପଣଙ୍କ ମୋବାଇଲକୁ ଓଟିପି ଆସିଥାଏ। ଓଟିପି ଦେବା ପରେ ପେମେଣ୍ଟ ହୋଇଥାଏ ଓ ଯାତ୍ରୀଙ୍କୁ ଟିକେଟ୍ ମିଳିଥାଏ।
ତେବେ ଦଲାଲମାନେ ଟିକେଟ୍ ବୁକିଂ ଲାଗି ସଫ୍ଟୱେର ର ବ୍ୟବହାର କରିଥାନ୍ତି। ଏହି ସଫ୍ଟୱେର ଯୋଗୁ ସେମାନଙ୍କୁ କ୍ୟାପଚା ପୂରଣ କରିବାକୁ ପଡି ନଥାଏ। ସପ୍ଟୱେର ଏହାକୁ ବାଇପାସ କରାଇ ଦେଇଥାଏ। ସେହିପରି ସେମାନଙ୍କୁ ପେମେଣ୍ଟ ପାଇଁ ମଧ୍ୟ ଓଟିପିକୁ ଅପେକ୍ଷା କରିବାକୁ ହୋଇ ନଥାଏ, ସେମାନଙ୍କର ସିଧା ପେମେଣ୍ଟ ହୋଇ ଯାଇଥାଏ। ଫଳରେ ଯାତ୍ରୀ ଯେତେବେଳେ ଟିକେଟ୍ କରିବା ପ୍ରକ୍ରିୟାରେ ଥାନ୍ତି ସେତେବେଳେ ଦଲାଲ ନିଜ ଗ୍ରାହକଙ୍କ ଲାଗି କନଫର୍ମ ଟିକେଟ୍ କରାଇ ନେଇ ପାର ହୋଇଯାଆନ୍ତି।
ତେବେ କେବଳ କାପଚା କି ଓଟିପି ବାଇପାସ୍ କଥା ନୁହେଁ ଦଲାଲ ଥରକେ ଗୋଟେ ଆଇଡିରୁ ୧୪୪ ଜଣଙ୍କ ଟିକେଟ୍ ବୁକ୍ କରିପାରେ। ଏଣୁ ସାଧାରଣ ଯାତ୍ରୀଙ୍କୁ ସହଜରେ କନଫର୍ମ ଟିକେଟ୍ ମିଳିବାରେ ସମସ୍ୟା ସୃଷ୍ଟି ହୋଇଥାଏ। ଦଲାଲ ସଫ୍ଟୱେର ସହାୟତାରେ ପୂର୍ବରୁ ଯାତ୍ରୀଙ୍କ ବିବରଣୀ ପ୍ରସ୍ତୁତ କରି ରଖିଥାନ୍ତି ସମୟ ହେବା ମାତ୍ରେ କେବଳ ଆଡ କରିଦେଇଥାନ୍ତି। ଫଳରେ ସେମାନଙ୍କୁ ଡିଟେଲ ପୂରଣ କରିବାକୁ ମଧ୍ୟ ସମୟ ଲାଗି ନଥାଏ।
ରେଳବାଇ ଟିକେଟ୍ ବୁକିଂ ଲାଗି ଏହି ସଫ୍ଟୱେର ଋଷିଆରୁ ଡେଭଲପ ହୋଇ ଆସିଥିବା ଡେଭଲପର କହିଥିବା ବେଳେ ଏଥିପାଇଁ ଅଲଗା ଅଲଗା ଭଡ଼ା ମଧ୍ୟ ପଡିଥାଏ। ଏଥିରେ ୨ ଯାତ୍ରୀଙ୍କ ସଫ୍ଟୱେର ଭଡା ମାସିକ ୬୦୦ ଟଙ୍କା ପଡୁଥିବା ବେଳେ ୨୪ ଯାତ୍ରୀଙ୍କ ଲାଗି ମାସିକ ୧୦ ହଜାର ଟଙ୍କା ଭଡା ପଡିଥାଏ। ଏଣୁ ଦଲାଲ ଓ ସଫ୍ଟୱେର ଡେବଲପର ଏବେ ରେଳବାଇ ପୋଲିସର ଟାର୍ଗେଟ୍ରେ ଥିବା ଅଧିକାରୀ କହିଛନ୍ତି।