ଚଳିତ ଦୀପାବଳିରେ ୬ ହଜାର କୋଟି ଟଙ୍କାର ବାଣ ଫୁଟାଇଛନ୍ତି ଲୋକେ

ତାମିଲନାଡୁ: ପ୍ରାୟ ଦୁଇ ବର୍ଷ ପରେ ଦେଶରେ ଯାନିଯାତ୍ରା ଓ ଉତ୍ସବ ସ୍ୱଭାବିକ ପାଳିତ ହେଉଛି। ଏଥିରେ ଲୋକେ ଗତ ଦୀପାବଳିକୁ ଧୂମଧାମରେ ପାଳନ କରିଛନ୍ତି। ଫଳରେ ସାରା ଦେଶରେ ୬ ହଜାର କୋଟି ଟଙ୍କାର ଫୋଟକା ପୋଡା ଯାଇଥିବା ବେଳେ କ୍ରାକର ଇଣ୍ଡଷ୍ଟ୍ରିକୁ ଆଶ୍ୱସ୍ତି ମିଳିଛି। ବ୍ୟବସାୟୀ ଏତିକି ଖୁସି ଯେ ସେମାନେ ବିକ୍ରି ଲାଗି ଷ୍ଟକ୍‌ କରିଥିବା ସବୁ ଫୋଟକା ବିକ୍ରି ହୋଇଯାଇଛି। ଏଥିରେ ଉଦ୍ୟୋଗର ଜନୈକ ନେତା ଦୁଇ ବର୍ଷ ପରେ ପ୍ରଥମ ଥର ଅଧିକ ବିକ୍ରି ହୋଇଥିବାର କହିଛନ୍ତି।

ତେବେ ବ୍ୟବସାୟୀ କାରବାରକୁ ହିସାବକୁ ନେଲେ ୨୦୧୬ ଓ ୨୦୧୯ରେ ହୋଇଥିବା କାରବାର ସମକକ୍ଷ ରହିଛି ଚଳିତବର୍ଷର କ୍ରାକର ବେପାର। ତାମିଲନାଡୁ ଫାୟାରୱାର୍କସ୍ ଏଣ୍ଡ ଆମୋରସ ମେନୁଫେକ୍ଚର୍ସ ଆସୋସିଏସନ(ଟିଏଏନଏଫଏମଏ) ସଭାପତି ଗଣେଶନ ପଞ୍ଜୁରାଜନ କହିଛନ୍ତି ଯେ କରୋନା ଭାଇରସ ମହାମାରୀ ଲାଗି କ୍ରାକର ତିଆରି ଲାଗି କଞ୍ଚାମାଲ ମୂଲ୍ୟରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ଯାହା ଏବେବି ହ୍ରାସ ହୋଇ ନାହିଁ। ଏଣୁ ଉତ୍ପାଦନ ମୂଲ୍ୟରେ ସ୍ୱଭାବିକ ଠାରୁ ୩୦ରୁ ୩୫ ପ୍ରତିଶତ ବୃଦ୍ଧି ହୋଇଥିଲା ବୋଲି ସେ କହିଛନ୍ତି।

ତେବେ ଚଳିତବର୍ଷର କାରବାର ୨୦୧୬ ଓ ୨୦୧୯ ଦୀପାବଳିର କାରବାର ସହ ସମାନ ରହିଛି। ଏହି ଉତ୍ସବ କାଳରେ ଦେଶରେ ସାଧାରଣତଃ ୪ରୁ ୫ ହଜାର କୋଟି ଟଙ୍କାର କାରବାର ହୋଇଥାଏ। ତେବେ ବିକ୍ରି ହୋଇ ପାରିନଥିବା ମାଲ ସମ୍ପର୍କରେ ପଚରା ଯିବା ସୋନି ଫାୟାର ୱାର୍କସର ନିର୍ଦ୍ଦେଶକ ଗଣେଶନ ଚଳିତବର୍ଷ ଦୀପାବଳିରେ ଗୋଟିଏ ବି କ୍ରାକର ବଳି ନଥିବା କହିଛନ୍ତି। ତେବେ ଚଳିତବର୍ଷ ସବୁଠୁ ଅଧିକ ଫୋଟକା ମହାରାଷ୍ଟ୍ରରେ ବିକ୍ରି ହୋଇଛି, ତା ପଛକୁ ଉତ୍ତରପ୍ରଦେଶ ଓ ବିହାର ରହିଥିବା ବେଳେ ଗୁଜରାଟରେ ମଧ୍ୟ ବେଶ କାରବାର ହୋଇଥିବା ସେ କହିଛନ୍ତି।

ଗଣେଶନଙ୍କ ଅନୁସାରେ ଉତ୍ପାଦନର ଏକ ବଡ଼ ଅଂଶ ମୁମ୍ବାଇ ଓ ବାକି ମହାରାଷ୍ଟ୍ର ଉଠେଇ ନେଇଥିଲେ। ତେବେ ମୋଟ ଉପରେ କହିବାକୁ ଗଲେ କୋଭିଡ-୧୯ର ୨ ବର୍ଷ ପରେ ଲୋକେ କ୍ରାକର ଉପରେ ପଇସା ଖର୍ଚ୍ଚ କରିବା ପାଇଁ ଆଗକୁ ଆସିଥିଲେ। ଚଳିତବର୍ଷ ଦୀପାବଳି ପାଇଁ ସବୁ ପ୍ରକାର ଫୋଟକା ତିଆରି ହୋଇଥିଲା। ଏଥିରେ ଉଚ୍ଚତମ ନ୍ୟାୟାଳୟ ଓ ସରକାରୀ ଅଧିକାରୀଙ୍କ ଗାଇଡ ଲାଇନରେ କ୍ରାକର ପ୍ରସ୍ତୁତ କରାଯାଇଥିବା ବେଳେ ସବୁ ଫୋଟକା ଗ୍ରୀନ ଫୋଟକା ଶ୍ରେଣୀର ନିର୍ମିତ ହୋଇଥିଲା। ଏଣୁ ରାଜଧାନୀ ଦିଲ୍ଲୀକୁ ଛାଡି ଦେଲେ ଦେଶର କୌଣସି ରାଜ୍ୟରେ ଫୋଟକା ପୋଡିବା ଲାଗି କଟକଣା ଲାଗି ନଥିବା ବେଳେ ଦୀପାବଳି ଧୂମଧାମରେ ପାଳନ ହୋଇଥିବା ଗଣେଶନ କହିଛନ୍ତି।

Related Articles

Back to top button