ବିଜେପି ଯାହାଙ୍କୁ ବି ମୁଖ୍ୟମନ୍ତ୍ରୀ କରିବ ତାଙ୍କୁ ମୁଁ ସମର୍ଥନ ଦେବି : ଏକନାଥ ସିନ୍ଦେ
ମହାରାଷ୍ଟ୍ରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? ଏହାକୁ ନେଇ ଯେଉଁ ସସପେନ୍ସ ଲାଗି ରହିଥିଲା ଏହା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଶିବସେନାର ମୁଖ୍ୟ ସିନ୍ଦେ ବୁଧବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଁ ଖୋଲା ହୃଦୟର ମଣିଷ। ବିଜେପି ଯାହାଙ୍କୁ ବି ମୁଖ୍ୟମନ୍ତ୍ରୀ କରିବ ତାଙ୍କୁ ମୁଁ ସମର୍ଥନ ଦେବି।ଏକନାଥ ସିନ୍ଦେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ମୋତେ ଫୋନ୍ କରିଥିଲେ। ମୁଁ ତାଙ୍କୁ ଜଣାଇଥିଲି ଯେ, ନୂତନ ସରକାର ଗଠନରେ ମୋ ପକ୍ଷରୁ କୌଣସି ସମସ୍ୟା ହେବ ନାହିଁ।ମୋ ମନରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ କୌଣସି ଲାଳସା ନାହିଁ। ଆପଣ ନିଜର ନିର୍ଣ୍ଣୟ ଜଣାନ୍ତୁ। ମହାୟୁତି ଓ ଏନଡିଏର ପ୍ରମୁଖ ମିଶି ଯେଉଁ ନିର୍ଣ୍ଣୟ ନେବେ ତାକୁ ମୋର ସମର୍ଥନ ରହିବ। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହା ମଧ୍ୟ ଜଣାଇଛି ଯେ, ମୋ ବିଷୟରେ ବିଚାର ନ କରି ମହାରାଷ୍ଟ୍ରର ଜନତା ଓ ରାଜ୍ୟ ବିଷୟରେ ବିଚାର କରନ୍ତୁ। ମୁଁ ଅମିତ ଶାହଙ୍କୁ ମଧ୍ୟ ସେହି କଥା କହିଛି ଯେ, ମୋ ପକ୍ଷରୁ କୌଣସି ସମସ୍ୟା ହେବ ନାହିଁ। ଆପଣଙ୍କ ନିର୍ଣ୍ଣୟ ହିଁ ଅନ୍ତିମ ହେବ।
ସିନ୍ଦେ କହିଛନ୍ତି, ମହାରାଷ୍ଟ୍ର ଜନତାଙ୍କ ହିତ ପାଇଁ ସରକାରରେ ଥାଇ ଯାହା ବି କିଛି କରିବାକୁ ହେବ ତାହା କରିବାକୁ ଚେଷ୍ଟା କରିଛି। ଆମେ ଜନତାଙ୍କ ପାଇଁ ଛିଡା ହୋଇଛୁ ଏବଂ ପୁନର୍ବାର ଆଗକୁ ରାଜ୍ୟକୁ ଆଗେଇ ନେବୁ। ରାଜ୍ୟକୁ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଦରକାର। କେନ୍ଦ୍ର ଲକ୍ଷାଧିକ କୋଟି ଟଙ୍କାର ଫଣ୍ଡ ଦେଇଥିବାରୁ ନରେନ୍ଦ୍ର ମୋଦୀ ସରକାରଙ୍କୁ କୃତଜ୍ଞ। ମୁଖ୍ୟମନ୍ତ୍ରୀ ଚେହେରା ଉପରେ ଲାଗି ରହିଥିବା ଚର୍ଚ୍ଚା ମଧ୍ୟରେ କୁହାଯାଉଥିଲା ଯେ, ଏକନାଥ ସିନ୍ଦେ ଅସନ୍ତୁଷ୍ଟ ଅଛନ୍ତି। ସେ କଦାପି ଉପମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ନାହିଁ। ଏହି ସବୁ ଚର୍ଚ୍ଚା ଉପରେ ସିନ୍ଦେ କହିଛନ୍ତି ଆପଣ ସମସ୍ତେ କହୁଛନ୍ତି ମୁଁ ଅସନ୍ତୁଷ୍ଟ, କେଉଁଆଡେ ଚାଲି ଯାଇଛି। ମୁଁ କହିବାକୁ ଚାହୁଁଛି ଯେ, ମୁଁ କାନ୍ଦିବା ଲୋକ ନୁହେଁ ବରଂ ଲଢିବା ଲୋକ। ଅସନ୍ତୁଷ୍ଟ ନୁହେଁ କାମ କରିବାରେ ବିଶ୍ଵାସ ରଖେ। ଶେଷ ନିଃଶ୍ଵାସ ପର୍ଯ୍ୟନ୍ତ ମହାରାଷ୍ଟ୍ରବାସୀଙ୍କ ସେବା କରିବି। ମୁଁ ସମାଧାନରେ ବିଶ୍ଵାସ କରେ। ଆମ ବିଜୟର ତୁଳନା ଇତିହାସ ସହ ହୋଇଥାଏ ବୋଲି ସିନ୍ଦେ କହିଛନ୍ତି।