ମଧ୍ୟପ୍ରଦେଶର ଏମିତି ଗାଁ ଯେଉଁଠି କ୍ଷୀର ବିକିବା ମନା
ମଧ୍ୟପ୍ରଦେଶର ଏକ ଗାଁ କମଇ । ଯେଉଁଠାରେ କେବେ କ୍ଷୀର ବିକ୍ରି ହୁଏ ନାହିଁ । ଗ୍ରାମବାସୀଙ୍କ ବିଶ୍ୱାସ ରହିଛି ଯେ, ଯଦି ସେମାନେ କ୍ଷୀର ବିକ୍ରି କରିବେ, ତେବେ କିଛି ଅଘଟଣ ନିଶ୍ଚିନ୍ତ ଘଟିବ । ଏହି କାରଣରୁ ଲୋକମାନେ କ୍ଷୀର ବିକ୍ରୟ କରିବା କଥା ଭାବିବାକୁ ମଧ୍ୟ ଭୟ କରନ୍ତି । ଏଠାକାର ଲୋକେ ରୋଜଗାର ପାଇଁ କ୍ଷୀର ବଦଳରେ ଘିଅ ବିକ୍ରି କରିଥାନ୍ତି । ବାସ୍ତବରେ, ଭଣ୍ଡ ଜିଲ୍ଲାର ଆଟର ବିଧାନସଭା ନିର୍ବାଚନମଣ୍ଡଳୀ କମଇ ଗାଁର ଜନସଂଖ୍ୟା ପ୍ରାୟ ଦୁଇ ହଜାର। ଗାଁର ଅଧିକାଂଶ ଲୋକ ଯାଦବ ଜାତିର । ସମସ୍ତଙ୍କର ମୁଖ୍ୟ ବ୍ୟବସାୟ ଗାଈ, ମଇଁଷି । ହେଲେ ଏ ଗ୍ରାମର ଲୋକେ କଦାପି ଦୁଗ୍ଧ ବିକ୍ରି କରନ୍ତି ନାହିଁ ।
ଗ୍ରାମବାସୀଙ୍କ କହିବାନୁସାରେ, ଗାଁର ଦେବତା କ୍ଷୀର ବିକ୍ରି ପାଇଁ ଦଣ୍ଡ ଦିଅନ୍ତି । ଏହି କାରଣରୁ ଗ୍ରାମରେ କ୍ଷୀର ବିକ୍ରୟ କରିବାକୁ ବାରଣ କରାଯାଇଛି । ଗାଁର ଲୋକମାନେ କ୍ଷୀର ବଦଳରେ ଘିଅ ଏବଂ ଲହୁଣୀ ଆଦି ବିକ୍ରି କରିଥାନ୍ତି । ଗାଁରେ ଯଦି କେହି ଏହି ନିୟମ ନ ମାନେ ତେବେ ତା’ର ଗାଈ କ୍ଷୀର ଦେବା ବନ୍ଦ କରିଦିଏ କିମ୍ବା କ୍ଷାର ବଦଳରେ ରକ୍ତ ବାହାରିଥାଏ ।
କମଇ ଗାଁର ପ୍ରତ୍ୟେକ ଘରେ ପ୍ରାୟ ୫୦ କିଲୋଗ୍ରାମରୁ ଅଧିକ ଦେଶୀ ଘିଅ ପାଇବେ । ଘିର ଶୁଦ୍ଧତା ଦେଖି ଦୂର ଦୂରାନ୍ତରୁ ଲୋକମାନେ ଏଠାକୁ ଘିଅ କିଣିବାକୁ ଆସନ୍ତି । ଗ୍ରାମରେ ହରସୁଖ ବାବାଙ୍କର ଏକ ବଡ଼ ମନ୍ଦିର ରହିଛି। ଗ୍ରାମବାସୀ କୁହନ୍ତି ଯେ ବାବାଙ୍କୁ ପୂଜା ନହେବା ପର୍ଯ୍ୟନ୍ତ ସେମାନେ କାହାକୁ କ୍ଷୀର କିମ୍ବା ଦହି ଦିଅନ୍ତି ନାହିଁ । ବାବା କହିଥିଲେ ଯେ କ୍ଷୀର ବିକ୍ରୟ କରନାହିଁ, ଏହାକୁ ନିଜେ ପିଅ ଏବଂ ଅସହାୟ ଲୋକଙ୍କୁ ଦିଅ।