୨୦୨୪ ଗଣତନ୍ତ୍ର ଦିବସ ପ୍ୟାରେଡରେ କେବଳ ମହିଳା ସାମିଲ୍ ହେବେ

ନୂଆଦଲ୍ଲୀ: ୨୦୨୪ ଗଣତନ୍ତ୍ର ଦିବସ ପ୍ୟାରେଡରେ କର୍ତ୍ତବ୍ୟ ପଥରେ କେବଳ ମହିଳା ସାମିଲ୍ ହେବେ । ପରେଡ୍ ସହ ପ୍ରଦର୍ଶନୀ ମେଢ଼, ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ କେବଳ ମହିଳା ହିଁ ନଜର ଆସିବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସେନା ଓ ପରେଡରେ ସାମିଲ୍ ହେଉଥିବା ଅନ୍ୟ ବିଭାଗକୁ ଚିଠି ଲେଖି ଏନେଇ ସୂଚନା ଦିଆଯାଇଛି ।

ବିଗତ କିଛି ବର୍ଷ ହେଲା କେନ୍ଦ୍ର ସରକାର ସେନାରେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦେଇ ମହିଳାଙ୍କୁ ଦାୟିତ୍ୱ ଦେବା ସହ ଭବିଷ୍ୟତ ପାଇଁ ଲକ୍ଷ୍ୟ ରଖି ବଡ଼ ନିଷ୍ପତ୍ତି ନେଉଛନ୍ତି । ଗତ ଏପ୍ରିଲ୍ ୨୯ରେ ମହିଳା ଅଧିକାରୀଙ୍କୁ ଆର୍ଟିଲରି ରେଜିମେଣ୍ଟରେ ସାମିଲ୍ କରାଯାଇଥିଲା । ସେମାନଙ୍କୁ ପାକିସ୍ତାନ ଓ ଚୀନ ସୀମାରେ ନିଯୁକ୍ତି ଦିଆ ଯାଇଥିଲା ।

ଗଣତନ୍ତ୍ର ଦିବସ ପରେଡରେ ମହିଳାଙ୍କ ସାମିଲ୍ ପ୍ରତିଶତକୁ ବଢ଼ାଇବା ଲାଗି ଫେବ୍ରୁଆରୀ ୭ରେ ବସିଥିବା ଡି ବ୍ରିଫିଂ ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରତିରକ୍ଷା ସଚିବ ଗିରିଧର ଅରମାନେଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ୩ ସେନା ସହ ଗୃହ ମନ୍ତ୍ରଣାଳୟ, ସହର ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ, ସଂସ୍କୃତି, ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ପ୍ରତିନିଧି ଯୋଗ ଦେଇଥିଲେ ।

ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲା, ୨୦୨୪ ଗଣତନ୍ତ୍ର ଦିବସ ପରେଡରେ କର୍ତ୍ତବ୍ୟ ପଥରେ କେବଳ ମହିଳା ଭାଗ ନେବେ ।

Related Articles

Back to top button