ନିୟମିତ ଜାତୀୟ ରାଜପଥରେ ଯାତାୟତ କରୁଥିବା ୟୁଜରମାନଙ୍କ ପାଇଁ ହ୍ରାସ ପାଇବ ଟୋଲ୍ ଦେୟ

ନିୟମିତ ଜାତୀୟ ରାଜପଥରେ ଯାତାୟତ କରୁଥିବା ୟୁଜରମାନଙ୍କ ପାଇଁ ଟୋଲ୍ ଦେୟ କମିପାରେ। ଏ ଦିନରେ ସରକାର କାର୍ଯ୍ୟ କରୁଛନ୍ତି। ଗୁରୁବାର ଏନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର ଜାତୀୟ ରାଜପଥରେ ଟୋଲ ଦେୟ ପାଇଁ ଏକ ନୂଆ ନୀତି ଆସିବାକୁ ଯାଉଛି। ଏହା ଜରିଆରେ ୟୁଜରମାନଙ୍କୁ ଆଖିଦୃଶିଆ ରିହାତି ଦିଆଯିବ। ଏଥିସହିତ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଜାତୀୟ ରାଜପଥ ପାଇଁ ବାର୍ଷିକ ଏବଂ ଜୀବନକାଳ ଟୋଲ ଦେୟ ବ୍ୟବସ୍ଥା ଆଣିବାକୁ କାର୍ଯ୍ୟ କରୁଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ଏହା ଅନ୍ତର୍ଗତ ବାର୍ଷିକ ୩ହଜାର ଏବଂ ୧୫ ବର୍ଷ ପାଇଁ ୩୦ ହଜାର ଟଙ୍କା ଟୋଲ ଦେୟ ପ୍ଲାନ କରାଯାଉଛି। ଏହି ପଦକ୍ଷେପ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପାଇଁ ନିରନ୍ତର ରାଜସ୍ୱ ସୁନିଶ୍ଚିତ ହେବା ସହ ଟୋଲ୍ ପ୍ଲାଜାଗୁଡ଼ିକରେ ଯାତାୟତ ବ୍ୟବସ୍ଥାରେ ସୁଧାର ଆସିବ ବୋଲି ସୂଚନା ଦେଇଛନ୍ତି।

ରାଜ୍ୟସଭାର ପ୍ରଶ୍ନୋତ୍ତର କାଳରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସାଟେଲାଇଟ୍ ଭିତ୍ତିକ ଟୋଲିଂ ଉପରେ ଅଧିକ ଆଲୋଚନା କରିବା ପାଇଁ କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି, ଭିତ୍ତିଭୂମି ନିବେଶ ବୃଦ୍ଧି କାରଣରୁ ଟୋଲ ଦେୟ ଅତି ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ। ଭଲ ସଡ଼କ ଚାହିଁଲେ ଏଥିପାଇଁ ଦେୟ ଦେବାକୁ ପଡ଼ିବ। ବର୍ତ୍ତମାନ ଏ ଦିଗରେ ଥିବା ସମସ୍ୟା ଗୁଡ଼ିକର ସମାଧାନ ପାଇଁ ଖୁବଶୀଘ୍ର ଏକ ନୂଆ ଟୋଲ ନୀତି ଘୋଷଣା କରାଯିବ।

Related Articles

Back to top button