ଭୁବନେଶ୍ବରର ୭ଟି ସ୍ଥାନରେ ବାଣି ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି

ଭୁବନେଶ୍ବର: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି, ଦୀର୍ଘ ଦୁଇ ବର୍ଷ ପରେ ଧୁମଧାମରେ ବିନା କଟକଣାରେ ଦୀପାବଳି ପାଳିବେ ରାଜ୍ୟବାସୀ । କରୋନା ଯୋଗୁଁ ଗତ ବର୍ଷ ବାଣ ବିକ୍ରି ଉପରେ କଟକଣା ଲଗାଯାଇଥିବା ବେଳେ ଚଳିତ ବର୍ଷ ବାଣ ବିକ୍ରିକୁ ଗ୍ରୀନ ସିଗନାଲ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ଚଳିତ ବର୍ଷ ରାଜଧାନୀର ୭ଟି ସ୍ଥାନରେ ବାଣ ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗପକ୍ଷରୁ ବିଏମସିକୁ ଚିଠି ଲେଖାଯାଇ ବାଣ ବିକ୍ରିକୁ ଅନୁମତି ଦେବାକୁ କୁହାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନୁମତି ଦେବାକୁ ବିଏମସି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ତାହାର ଜବାବରେ ଆଜି(ଶନିବାର) ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ ବିଏମସିର ଅତିରିକ୍ତ କମିଶନରଙ୍କୁ ବାଣ ବିକ୍ରିକୁ ଅନୁମତି ଦେବାକୁ ଚିଠି ଲେଖିଛନ୍ତି । ଭୁବନେଶ୍ବରର ୭ଟି ସ୍ଥାନରେ ବାଣି ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଥିବା ଚିଠିରେ ଦର୍ଶାଯାଇଛି । ଗାଡ଼କଣ, ବମିଖାଲ, ପାଣ୍ଡରା, ବାପୁଜୀନଗର, ଲକ୍ଷ୍ମୀସାଗର ଓ ବଡ଼ଗଡ଼ର ୨ଟି ଚିହ୍ନଟ ସ୍ଥାନରେ ବାଣ ବିକ୍ରି ନେଇ ଅନୁମତି ଦିଆଯାଇଛି । ଦୋକାନ ଖୋଲିବା ପୂର୍ବରୁ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟ, ଅଗ୍ନିଶମ, ଶକ୍ତି ବିଭାଗର ଅନୁମତି ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ବାଣ ବିକ୍ରି ଦେକାନ ପାଇଁ ପ୍ରତି ୧୦୦ ବର୍ଗ ଫୁଟ ଯାଗା ପାଇଁ ବ୍ୟବସାୟୀଙ୍କୁ ୧୬୦ ଟଙ୍କା ବିଏମସିକୁ ଦେବାକୁ ପଡିବ ।

ତେବେ କୋରୋନା କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ରାଜ୍ୟ ରାଜଧାନୀରେ ବାଣ ବିକ୍ରି ଉପରେ କଟକଣା ଲାଗିଥିଲା, ଫଳରେ ଅନେକ ବାଣ ବ୍ୟବସାୟୀ ଦୀପାବଳିରେ ବାଣ ବିକ୍ରି କରିନପାରି କ୍ଷତି ସହିଥିଲେ, ରାଜ୍ୟ ସରକାରଙ୍କ ଏହି ଗ୍ରୀନ ସିଗନାଲ ପରେ ବ୍ୟବସାୟୀ ଭଲ ଦୁଇ ପଇଲା ରୋଜଗାର କରିବାର ଆଶା ରଖିଛନ୍ତି । ଅନ୍ୟପଟେ ବାଣ ଫୁଟାଇବା ଉପରେ ମଧ୍ୟ କଟକଣା ଲାଗିଥିବାରୁ ଚଳିତ ବର୍ଷ ଦୀପାବଳିକୁ ଖୁବଧୁମଧାମ ର ପାଳନ କରିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ରାଜ୍ୟବାସୀ ।

Related Articles

Back to top button