ଜୟପୁର ରାଜ ନଅରରେ ହେଲା ଲାଠି ପୂଜା
ଜୟପୁର: ରାଜ ରାଜୁଡା ଅମଳରୁ ଜୟପୁର ଦଶହରାର ସ୍ବତନ୍ତ୍ର ପରିଚୟ ଥିଲା । ଏକଦା ଏଠାକାର ଦଶହରାକୁ ମହିଶୂର ଦଶହରା ସହ ତୁଳନା କରାଯାଉଥିଲା । ସେହି ସମୟରେ ବିଭିନ୍ନ ଦେବୀ ପୀଠରୁ ମାଆଙ୍କ ପ୍ରତୀକ ଭାବେ ବାଉଁଶ ଲାଠି ରାଜାଙ୍କ ନିମନ୍ତ୍ରଣ କ୍ରମେ ଜୟପୁରକୁ ଆସୁଥିଲା। ଜୟପୁର ରାଜ ନଅରରେ ସେହି ଲାଠି ପୂଜା ପାଉଥିଲା। ହେଲେ ରାଜତନ୍ତ୍ରର ଲୋପ ସହ ସେହି ସବୁ ପରମ୍ପରା ମଧ୍ୟ ହଜିଯାଇଛି। କିନ୍ତୁ ଏହାର ପୁନରୁଦ୍ଧାର ପାଇଁ କିଛି ବର୍ଷ ହେଲା ପ୍ରୟାସ ଆରମ୍ଭ ହୋଇଛି । ସହରରେ ରଂଗୀନ ଦଶହରା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ତେବେ ଏହି ବର୍ଷ ରାଜ ପରିବାର ତରଫରୁ ମଧ୍ୟ ଜୟପୁର ଐତିହାସିକ ଦଶହରାକୁ କିଛି ମାତ୍ରାରେ ପୁନରୁଦ୍ଧାର ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥର ରଜା ନଗରକୁ ମରାମତି କରାଯିବା ସହ ରଂଗ ଦିଆଯାଇଛି। ସବୁଠାରୁ ବଡ କଥା ହେଲା ନିଜେ ଯୁବରାଜ ବିଶ୍ବେଶର ଦେବ ଏଥିପାଇଁ ଅଣ୍ଟା ଭିଡିଛନ୍ତି । ବିଭିନ୍ନ ଲାଠିଧାରୀଙ୍କୁ ସେ ଏଥର ରଜା ନଅର ପରିସରକୁ ନିମନ୍ତ୍ରିତ କରିବା ସହ ଆଦିବାସୀଙ୍କ ଗହଣରେ ଲାଠି ପୂଜା କରିଥିଲେ। ଏହି ଅବସରରେ ରଜା ନଗର ପରିସରରେ ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀମାନେ ସେମାନଙ୍କ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ।