ଦୁବାଇରେ ଉଦଘାଟିତ ହେଲା ୧୬ ଦେବାଦେବୀଙ୍କ ଭବ୍ୟ ହିନ୍ଦୁ ମନ୍ଦିର, ପ୍ରଥମ ଦିନରୁ ହିଁ ଅନଲାଇନ ଦର୍ଶନ ପାଇଁ ବୁକିଂ

ଜେବେଲ ଅଲ୍ଲି:   ଦୁବାଇରେ ପ୍ରଥମ ହିନ୍ଦୁ ମନ୍ଦିରର ଲୋକାର୍ପଣ ହୋଇଛି। ଏହି ମନ୍ଦିର ଦୁବାଇର ଜେବେଲ ଅଲି ଅଞ୍ଚଳରେ ସ୍ଥାପିତ ହୋଇଛି। ଏହି ମନ୍ଦିର ଲାଗି ୨୦୨୦ ମସିହା ପ୍ରାରମ୍ଭରେ ନିଅଁ ପଡିଥିଲା। ମାତ୍ର ୩ ବର୍ଷରେ ମନ୍ଦିର ନିର୍ମିତ ହୋଇ ପୂଜାର୍ଚ୍ଚନା ନିମନ୍ତେ ଲୋକାର୍ପିତ ହୋଇଛି। ମନ୍ଦିରର ପ୍ରାର୍ଥନା କକ୍ଷରେ ୧୬ ଦେବୀ ଦେବତାଙ୍କ ମୂର୍ତ୍ତି ରହିଛି। ଏଥିରେ ମହାଦେବ ଶିବ, ବିଷ୍ଣୁ, ମହାଲକ୍ଷ୍ମୀ, ଶ୍ରୀକୃଷ୍ଣ, ଶ୍ରୀରାମ ଓ ଗଣେଷଙ୍କ ପ୍ରତିମାସବୁ ରହିଛି।

୨୦୨୦ ଫେବୃଆରୀରେ ଏହି ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ହୋଇଥିଲା । ସେଠାରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଓ ହିନ୍ଦୁଙ୍କ ମଧ୍ୟରେ ଏହି ମନ୍ଦିରକୁ ନେଇ ବେଶ୍‌ ଉତ୍ସାହ ପ୍ରକାଶ ପାଇଛି । ଏହି ମନ୍ଦିର ଆଜି ବିଜୟା ଦଶମୀରୁ ଉଦ୍‌ଘାଟନ ହେବା ସହ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ମୁକ୍ତ ରହିବ । ସମସ୍ତ ଧର୍ମର ବ୍ୟକ୍ତିବିଶେଷ ମନ୍ଦିରରେ ପ୍ରବେଶ କରିବା ସହ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟ କଳାକୁ ଅନୁଭବ କରିବାର ସୁଯୋଗ ପାଇବା ନେଇ ସୂଚନା ମିଳିଛି ।

ଏହି ମନ୍ଦିରରେ ସ୍ମାର୍ଟ ଦର୍ଶନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଦର୍ଶନ ପାଇଁ ଆଗୁଆ ଅନଲାଇନ ଦର୍ଶନ ବୁକିଂ ବ୍ୟବସ୍ଥା ବିକଶିତ କରିଛି ମନ୍ଦିର ପ୍ରଶାସନ । ଅନଲାଇନରେ ଦର୍ଶନ ପାଇଁ ଅଗ୍ରୀମ ବୁକିଂ ସୁବିଧା ପାଇପାରିବେ ଶ୍ରଦ୍ଧାଳୁ । ତେବେ ପ୍ରଥମ ଦିନରୁ ହିଁ ଅନଲାଇନ ବୁକିଂ ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି । ଉଦ୍‌ଘାଟନୀ ଦିବସରେ ମନ୍ଦିରରେ ଦର୍ଶନ କରିବା ପାଇଁ ବହୁ ପ୍ରବାସୀ ଭାରତୀୟ ବୁକିଂ ମଧ୍ୟ କରି ସାରିଲେଣି ।

ପରିଚାଳନା କମିଟିର ସୂଚନା ଅନୁସାରେ, ଏହି ମନ୍ଦିର ସମସ୍ତ ଦିନ ସକାଳ ୬.୩୦ ରୁ ରାତି ୮ ଯାଏ ସାଧାରଣ ଦର୍ଶନ ପାଇଁ ଖୋଲା ରହିବ । ଶ୍ୱେତ ଶଙ୍ଖମଲମଲ ପଥରରେ ନିର୍ମିତ ଏହି ମନ୍ଦିରର ଓପନିଂ ୧ ସେପ୍ଟେମ୍ବରରେ ହୋଇଯାଇଥିଲା। ତେବେ ଅକ୍ଟୋବର ୪ ତାରିଖ ଦିନ ଅଧିକାରିକ ଉଦଘାଟନ ହୋଇଛି। ଇତିମଧ୍ୟରେ ଅନେକ ଶ୍ରଦ୍ଧାଳୁ ମନ୍ଦିର ପରିଦର୍ଶନ କରିଛନ୍ତି। ଗତମାସରେ ମନ୍ଦିରକୁ ଭକ୍ତଙ୍କ ନିମନ୍ତେ ଖୋଲି ଦିଆଯାଇଥିଲା। ତେବେ ଉଦଘାଟନ ପରେ ମନ୍ଦିରକୁ ଦୈନିକ ଶ୍ରଦ୍ଧାଳୁ ଯାଇ ପାରିବେ। ଦୀପାବଳି ପରଠାରୁ ଏଠାରେ ରିତିରିବାଜର ସହ ସବୁ ଦିନ ଆରତୀ ଓ ପୂଜା ଆରମ୍ଭ ହେବ ଏହା ସହିତ ଭକ୍ତ ନିୟମିତ ଦର୍ଶନ ମଧ୍ୟ କରିପାରିବେ।

ଉଲ୍ଲେଖ ଯୋଗ୍ୟ ଯେ ୟୁଏଇରେ ପ୍ରାୟ ୩୫ ଲକ୍ଷ ଭାରତୀୟ ବସବାସ କରୁଛନ୍ତି। ଏଥିରେ ଭାରତୀୟଙ୍କ ଲାଗି ନିର୍ମିତ ଏହି ଭବ୍ୟ ମନ୍ଦିର ଦୁବାଇ ସରକାରଙ୍କ ଆସ୍ଥା ସବୁ ଧର୍ମରେ ଥିବା ଦର୍ଶାଉଛି। ଭାରତ ଓ ୟୁଏଇ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି।

Related Articles

Back to top button