ବିହାରରେ ଦୁଷ୍କର୍ମ ଅଭିଯୁକ୍ତକୁ ପିଟିପିଟି ହତ୍ୟା
ପାଟନା: ନାବାଳିକା ଦୁଷ୍କର୍ମ ଅଭିଯୁକ୍ତଙ୍କୁ ପିଟିପିଟି ମାରିଦେଲେ ସ୍ଥାନୀୟ ଲୋକେ । ଖାଲି ସେତିକି ନୁହେଁ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି । ବିହାରର କଟିହାର ଜିଲ୍ଲା ହସନଗଞ୍ଜରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ମୃତକ ବିରୋଧରେ ଜଣେ ୧୧ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଛି ।
ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଜଣେ ଯୁବକଙ୍କୁ ଏକ ଖଜୁରୀ ଗଛରେ ବାନ୍ଧୀ ଅମାନୁଷିକ ଭାବରେ ମାଡ଼ ମରାଯାଉଥିବା ଦେଖିବାକୁ ମିଳିଛି । ନାବାଳିକା ଦୁଷ୍କର୍ମ ଅଭିଯୋଗରେ ମହମ୍ମଦ ସାଗିର ନାମକ ୨୮ ବର୍ଷୀୟ ଯୁବକଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ । ଏହାପରେ ତାକୁ ଖଜୁରୀ ଗଛରେ ବାନ୍ଧି ଠେଙ୍ଗାବାଡ଼ିରେ ପ୍ରବଳ ମାଡ଼ ମାରିଥିଲେ । ସ୍ଥିତି ସଙ୍କଟାପନ୍ନ ହେଲା ପର୍ଯ୍ୟନ୍ତ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ ।
ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କ୍ରୋଧାନ୍ବିତ ଲୋକଙ୍କ କବଳରୁ ମହମ୍ମଦ ସାଗିରକୁ ଉଦ୍ଧାର କରିଥିଲା ପୋଲିସ । ଏହାପରେ ତୁରନ୍ତ ତାକୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମହମ୍ମଦର ମୃତ୍ୟୁ ହୋଇଛି । ମୃତକଙ୍କ ମାଆଙ୍କ ବୟାନକୁ ନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତା ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓର ସତ୍ୟତାକୁ ନେଇ ଯାଞ୍ଚ ଜାରି ରହିଛି ।
ମୃତକଙ୍କ ପରିବାର ପକ୍ଷରୁ ଓ ଗ୍ରାମବାସୀଙ୍କ ପକ୍ଷରୁ ଦୁଇଟି ପୃଥକ ଏତଲା ଦିଆଯାଇଛି । ଉଭୟ ପକ୍ଷକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣା ପରେ ନାବାଳିକାଙ୍କ ପରିବାର ଲୋକେ ଫେରାର୍ ହୋଇଯାଇଥିବା ଖବର ମିଳିଛି ।