‘ଆଦିପୁରୁଷ’ ନିର୍ଦ୍ଦେଶକ ଓମ୍‌ ରାଉତଙ୍କୁ ଲିଗାଲ୍‌ ନୋଟିସ୍‌ ଦେଲା ସର୍ବ ବ୍ରାହ୍ମଣ ମହାସଭା

ମୁମ୍ୱାଇ : ଓମ୍‌ ରାଉତଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ‘ଆଦିପୁରୁଷ’ ଚଳଚ୍ଚିତ୍ରକୁ ନେଇ ବିବାଦ ଥମିବାର ନାଁ ନେଉନି। ଗୁରୁବାର ସର୍ବ ବ୍ରାହ୍ମଣ ମହାସଭା ଓମ୍‌ଙ୍କୁ ନୋଟିସ୍‌ ଦେଇଛି। ତାଙ୍କୁ କୁହାଯାଇଛି ଯେ, ଚଳଚ୍ଚିତ୍ରରେ ଥିବା ସମସ୍ତ ଆପତ୍ତିଜନକ ସିନ୍‌କୁ ହଟାଇ ଦିଅନ୍ତୁ ନହେଲେ ତାଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସର୍ବ ବ୍ରାହ୍ମଣ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁରେଶ ମିଶ୍ରଙ୍କ ପକ୍ଷରୁ ଓକିଲ କମଳେଶ ଶର୍ମା ଏହି ନୋଟିସ୍‌ ପଠାଇଛନ୍ତି। ନୋଟିସ୍‌ରେ କୁହାଯାଇଛି ଯେ,ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ରାମାୟଣକୁ ଇସ୍ଲାମିକରଣ କରିଛନ୍ତି। ଫଳରେ ଲୋକମାନଙ୍କ ଧର୍ମ ଭାବନା ଆହତ ହୋଇଛି।

ଗତ କିଛିଦିନ ପୂର୍ବରୁ ଏହି ଚଳଚ୍ଚିତ୍ରର ଟ୍ରେଲର୍‌ ରିଲିଜ୍‌ ହୋଇଥିଲା। ଯାହାକୁ ଅନେକ ଲୋକ ନାପସନ୍ଦ କରିଥିଲେ। ଏଥିରେ ରାମ ଭୂମିକାରେ ସାଉଥ୍‌ ହିରୋ ପ୍ରଭାସ ଅଭିନୟ କରିଥିବା ବେଳେ ରାବଣ ଭୂମିକାରେ ସୈଫ୍‌ ଅଲ୍ଲି ଖାନ୍‌, ଏବଂ ସୀତା ଭାବେ କୃତି ସାନନ ଅଭିନୟ କରିଛନ୍ତି। ଏବେ ସୋସିଆଲ୍‌ ମିଡିଆରେ ଏହି ଫିଲ୍ମକୁ ନେଇ ଅନେକ ଟ୍ରୋଲ୍‌ କରାଯାଉଛି। କିଛି ଲୋକ ଫିଲ୍ମର ଭିଏଫଏକ୍ସକୁ ମଧ୍ୟ ପସନ୍ଦ କରୁନଥିବା ବେଳେ କିଛି ଲୋକ ରାବଣର ଲୁକ୍‌କୁ ମଧ୍ୟ ପସନ୍ଦ କରୁନାହାନ୍ତି। ଆଇଏନ୍‌ଏସ୍‌ର ରିପୋର୍ଟ ଅନୁସାରେ ସର୍ବ ବ୍ରାହ୍ମଣ ମହାସଭା ପକ୍ଷରୁ ଓମ୍‌ ରାଉତଙ୍କୁ ଆଇନ୍‌ଗତ ନୋଟିସ୍‌ ଦିଆଯାଇଛି। ଏଥିରେ ଲେଖାଯାଇଛି ଯେ, ଏହି ଚଳଚ୍ଚିତ୍ରରେ ହିନ୍ଦୁ ଦେବାଦେବୀମାନଙ୍କୁ ଭୁଲ୍‌ ଭାବେ ପ୍ରଦର୍ଶିତ କରାଯାଇଛି।ଏହି ଫିଲ୍ମରେ ଦେବତାମାନେ ଚମଡ଼ା ପୋଷାକ ପିନ୍ଧିଛନ୍ତି। ଫିଲ୍ମରେ ଖରାପ ଭାଷା ମଧ୍ୟ ପ୍ରୟୋଗ କରାଯାଇଛି ଯାହାଫଳରେ ଧାର୍ମିକ ଭାବନାରେ କ୍ଷତି ପହଞ୍ଚିଛି।

ଓମଙ୍କୁ ପଠାଯାଇଥିବା ନୋଟିସ୍‌ରେ କୁହାଯାଇଛି ଯେ, ରାମାୟଣ ଆମର ଇତିହାସ  ଏବଂ ଆତ୍ମା। ଆଦିପୁରୁଷରେ ଭଗବାନ୍‌ ହନୁମାନଙ୍କୁ ମୋଗଲଙ୍କ ଭଳି ପ୍ରଦର୍ଶିତ କରାଯାଇଛି। ଆହୁରି କୁହାଯାଇଛି ଯେ, କେଉଁ ହିନ୍ଦୁ ବିନା ନିଶରେ ଦାଢ଼ି ରଖେ, ଯେମିତି ଏହି ଫିଲ୍ମରେ ହନୁମାନ ରଖିଛନ୍ତି। ଏହି ଫିଲ୍ମରେ ଭଗବାନ୍‌ ରାମ, ମା’ ସୀତା, ଭଗବାନ ହନୁମାନ ଏବଂ ପୁରା ରାମାୟଣର ଇସ୍ଲାମିକରଣ କରାଯାଇଛି। ସେହିପରି ଫିଲ୍ମରେ ରାବଣ ଭୂମିକାରେ ଅଭିନୟ କରିଥିବା ସୈଫ୍‌ ଅଲ୍ଲି ଖାନ୍‌ ମଧ୍ୟ ତୈମୁର ବା ଖିଲ୍‌ଜି ଭଳି ଦେଖାଯାଉଛନ୍ତି। ‘’ଲୋକମାନଙ୍କୁ ଭାବନା ସହିତ ନଖେଳିବା  ପାଇଁ ଆପଣଙ୍କୁ ଅନୁରୋଧ କରାଯାଉଛି। ଯାହା କରିଛନ୍ତି ସେଥିପାଇଁ ୭ ଦିନ ଭିତରେ ଆପଣ ଲୋକମାନଙ୍କୁ ଭୁଲ୍‌ ମାଗନ୍ତୁ, ସମସ୍ତ ଡାଏଲଗ୍‌ ଏବଂ ଇଲୁଷ୍ଟ୍ରେସନ୍‌କୁ ଡିଲେଟ୍‌ କରନ୍ତୁ ନହେଲେ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ’’।

Related Articles

Back to top button