ମାଲକାନଗିରିରେ ହସ୍ପିଟାଲ୍‌ରେ ମହିଳା ଫାର୍ମାସିଷ୍ଟଙ୍କ ଦାଦାଗିରି, ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର

ମାଲକାନଗିରି: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର । ମାଲକାନାଗିରି ମୁଖ୍ୟ ଚିକିତ୍ସାଳୟରେ ଏଭଳି ଏକ ଘଟଣା ଘଟିଛି । ଅଶ୍ରାବ୍ୟ ଭାଷାରେ ଗାଳି କରି ଦୁର୍ବ୍ୟବହାର କରିଛନ୍ତି ଡାକ୍ତରଖାନାର ଜଣେ ମହିଳା ଫାର୍ମାସିଷ୍ଟ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

ମାଲକାନଗିରି ମ୍ୟୁନିସିପାଲିଟିର ପୂର୍ବତନ କାଉନ୍ସିଲର ବାଲାରାଜୁ ଜଣେ ସମ୍ପର୍କୀୟ ସହ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ତାଙ୍କର କୌଣସି କାରଣରୁ ମହିଳା ଫାର୍ମାସିଷ୍ଟଙ୍କ ସହିତ ବଚସା ହୋଇଥିଲା । ହଠାତ୍‌ ମହିଳା ସ୍ବାସ୍ଥ୍ୟକର୍ମୀ ଜଣକ ରାଗି ଯାଇ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଏହାକୁ ନେଇ ବାଲାରାଜୁ ଅଭିଯୋଗ କରିଥିଲେ । ଏଭଳି ଅଭିଯୋଗ ପରେ ମହିଳା ସ୍ବାସ୍ଥ୍ୟକର୍ମୀ ଜଣକ ଅଧିକ କ୍ରୋଧାନ୍ୱିତ ହୋଇ ପଡ଼ିଥିଲେ । ଉଭୟଙ୍କ ମଧ୍ୟରେ ଡାକ୍ତରଖାନାରେ ବଚସା ହୋଇଥିଲା । ପରେ ଫାର୍ମାସିଷ୍ଟ ଜଣକ ବାଲାରାଜୁଙ୍କ ପ୍ରତି ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲେ।

ତେବେ ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତି ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଦୁର୍ବ୍ୟବହାର ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଦୁର୍ବ୍ୟବହାର ସମୟରେ ଉପସ୍ଥିତ ଥିବା ଲୋକମାନେ ତାଙ୍କର ଏଭଳି ବ୍ୟବହାରକୁ ନାପସନ୍ଦ କରିଛନ୍ତି । ସେମାନେ କହିଥିଲେ ଏଭଳି ଶିକ୍ଷିତ ଲୋକଙ୍କଠାରୁ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତି ଦୁର୍ବ୍ୟବହାର ଆଦୌ ଗ୍ରହଣଯୋଗ୍ୟ ନୁହେଁ । ରୋଗୀ ହୁଅନ୍ତୁ ବା ସେମାନଙ୍କ ସମ୍ପର୍କୀୟ ସେମାନେ ତାଙ୍କ ସୁବିଧା ଅସୁବିଧାରେ ଡାକ୍ତରଖାନାରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କଠାରୁ ପରାମର୍ଶ ନେଇଥାନ୍ତି । ହେଲେ ଯଦି ସ୍ବସ୍ଥ୍ୟକର୍ମୀମାନେ ଏଭଳି ଦୁର୍ବ୍ୟବହାର କରିବେ ତାହେଲେ ଲୋକମାନେ କାହାଠାରୁ ପରାମର୍ଶ ନେବେ ବୋଲି ପ୍ରଶ୍ନ କରିଛନ୍ତି ଜନ ସାଧାରଣ । ରୋଗୀଙ୍କ ସମ୍ପର୍କୀୟଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Related Articles

Back to top button