୪୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ବଲାଙ୍ଗୀର ମୁରିବାହାଲ ଏପିଓ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ବଲାଙ୍ଗୀର ମୁରିବାହାଲ ଏପିଓ ଲାଞ୍ଚ ନେଇ ବନ୍ଧା ହେଲେ । ୪୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏପିଓ । ବଲାଙ୍ଗୀରର ମୁରିବାହାଲ ବ୍ଲକରେ କାର୍ଯ୍ୟରତ କମ୍ପ୍ୟୁଟର ସହାୟକ ପ୍ରୋଗ୍ରାମ(ଏପିଓ)ର ସୁଶାନ୍ତ ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ଭିଜିଲାନ୍ସ ଟିମ ଏପିଓ ସୁଶାନ୍ତ ଦାସଙ୍କୁ ଗିରଫ କରିବା ପରେ ଆୟବହିର୍ଭୁତ ସଂପତିର ଖୋଳତାଡ କରୁଛି ।

ସୂଚନା ଅନୁଯାୟୀ, ଲାଙ୍ଗୀରର ମୁରିବାହାଲ ବ୍ଲକରେ କାର୍ଯ୍ୟରତ କମ୍ପ୍ୟୁଟର ସହାୟକ ପ୍ରୋଗ୍ରାମ(ଏପିଓ)ର ସୁଶାନ୍ତ ଦାସ, ପୋଖରୀ ମରାମତି ବିଲ୍ କରିବା ପାଇଁ ଜନୈକ ବ୍ୟକ୍ତିଙ୍କୁ ଲାଂଚ ମାଗିଥିଲେ । ସଂପୃକ୍ତ ବ୍ୟକ୍ତି ଜଣକ ଏନେଇ ବରଗଡ଼ ଭିଜିଲାନ୍ସ ଡିଏସପିଙ୍କୁ ଜଣାଇ ଥିଲେ । ସୁଶାନ୍ତ ଦାସଙ୍କୁ ଧରିବା ନିମନ୍ତେ ଯୋଜନା କରିଥିଲେ ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦ । ଯୋଜନା ଅନୁସାରେ ସଂପୃକ୍ତ ବ୍ୟକ୍ତି ଆଜି ଏପିଓ ସୁଶାନ୍ତ ଦାସଙ୍କୁ ବିଲ୍ କରିବା ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ପୂର୍ବ ଯୋଜନା ଅନୁଯାୟୀ ଏପିଓ ସୁଶାନ୍ତ ଦାସ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ ଆତର୍କିତ ଚଢାଉ କରିଥିଲା । ବରଗଡ଼ ଭିଜିଲାନ୍ସ ଡିଏସପି ସତ୍ୟବାନ୍ ମହାନନ୍ଦଙ୍କ ନେତୃତ୍ବରେ ଏହି ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ଟିମ ଏପିଓ ସୁଶାନ୍ତ ଦାସଙ୍କ ଠାରୁ କେମିକାଲ ବୋଳା ଯାଇଥିବା ଲାଞ୍ଚ ଟଙ୍କା ଜବତ କରିଥିଲେ ।

ଏପିଓ ସୁଶାନ୍ତ ଦାସଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ବଙ୍ଗୋମୁଣ୍ଡା ଅସୁଲା ଗ୍ରାମ ସ୍ଥିତ ତାଙ୍କ ବାସଭବନ ଏବଂ ମୁରିବାହାଲ ବ୍ଲକ କାର୍ଯ୍ୟଳୟରେ ଭିଜିଲାନ୍ସ ଟିମ ଚଢ଼ାଉ କରି ତଦନ୍ତ ଜାରି ରଖିଛନ୍ତି । ଏହି ଚଢ଼ାଉ ବେଳେ ବହୁତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡିଛି । ଏପିଓ ସୁଶାନ୍ତ ଦାସଙ୍କ ନାଁରେ ଆଗରୁ ଅଭିଯୋଗ ରହିଥିଲା । ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାଯାଇଛି । ଏହି ଚଢାଉରେ ଭିଜିଲାନ୍ସ ଏଏସଆଇ ବିଜୟ ପଧାନଙ୍କ ସହ ବିଭାଗୀୟ ଅଧିକାରୀ ସାମିଲ ଥିବା ସୂଚନା ମିଳିଛି ।

Related Articles

Back to top button