ଏବେ ପୁରୁଣା ବାହନକୁ ବି ମିଳିବ ସ୍ପେଶାଲ ‘ବିଏଚ୍’ ସିରିଜ ନମ୍ବର

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ‘ବିଏଚ୍’ ସିରିଜ୍ ନମ୍ବରକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଷ୍ପତ୍ତି ଅନୁସାରେ ଏବେ ପୁରୁଣା ବାହନରେ ମଧ୍ୟ ବିଏଚ୍ ସିରିଜ୍ ନମ୍ବର ନେଇ ହେବ। ତେବେ ମନ୍ତ୍ରାଳୟ ଏଥି ପାଇଁ ନିୟମ ଓ ସର୍ତ୍ତ ଲାଗୁ କରିଛନ୍ତି। ଏହି ନିୟମ ଆଧାରରେ ବିଏଚ୍ ସିରିଜ ନମ୍ବର ମିଳିପାରିବ। ମନ୍ତ୍ରାଳୟ ଏ ସମ୍ପର୍କିତ ନୋଟିଫିକେସନ ଜାରି କରିଛନ୍ତି।

ଏପର୍ଯ୍ୟନ୍ତ କେବଳ ନୂଆ ଗାଡ଼ି କିଣୁଥିଲେ ‘ବିଏଚ୍’ ନମ୍ବର ଲାଗି ଆବେଦନ କରାଯାଇପାରୁଥିଲା। ଏହି ନମ୍ବର ଲାଗି ସାଧାରଣ ନମ୍ବର ଅପେକ୍ଷା ଅଧିକ ଶୁଳ୍କ ଲାଗୁ ହୋଇଥାଏ। ଏଥିରେ ଯଦି ଆପଣଙ୍କର ପୁରୁଣା ଗାଡ଼ି ଅଛି ଅଥବା ପୁରୁଣା ଗାଡ଼ି କ୍ରୟ କରୁଛନ୍ତି ଓ ବିଏଚ୍ ସିରିଜ ନମ୍ବର ନେବାକୁ ଚାହୁଁଛନ୍ତି ତେବେ ଏହି ନମ୍ବର ମିଳି ପାରୁନଥିଲା। ତେବେ ମନ୍ତ୍ରାଳୟଙ୍କ ନିଷ୍ପତ୍ତି ପରେ ଭବିଷ୍ୟତରେ ପୁରୁଣା ବାହନ କିଣୁଥିବା ଲୋକେ ମଧ୍ୟ ବିଏଚ ସିରିଜ ନମ୍ବର ନେଇ ପାରିବେ।

ବସ୍ ଏଣ୍ଡ କାର୍ ଅପରେଟର୍ସ ଫେଡେରେସନ ଅଫ ଇଣ୍ଡିଆଙ୍କ ଚେୟାରମ୍ୟାନ ଗୁରମିତ ସିଂହ ତନେଜା ମନ୍ତ୍ରାଳୟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଏହି ନିଷ୍ପତ୍ତି ଯୋଗୁ ଏବେ ଦେଶର ଲକ୍ଷଲକ୍ଷ ଲୋକଙ୍କୁ ଆଶ୍ୱସ୍ତି ମିଳିବ ବୋଲି କହିଛନ୍ତି। ଏବେ ଯାତ୍ରା କାଳରେ ଅନ୍ୟ ରାଜ୍ୟର ବାହନ ଦେଖି ଯାଞ୍ଚ ଲାଗି ବାରମ୍ବାର ଅଟକା ଯାଉଛି। ତେବେ ଏହି ସିରିଜ ନମ୍ବର ସହଜ ଉପଲବ୍ଧ ହେବା ପରେ ସମସ୍ୟାରୁ ବାହନ ଚାଳକ ଓ ମାଲିକଙ୍କୁ ମୁକ୍ତି ମିଳିବ ବୋଲି କହିଛନ୍ତି। ତେବେ ବିଏଚ ସିରିଜ ନମ୍ବର ନେବା ଲାଗି ରହିଛି ଏହି ସବୁ ନିୟମ।

ପୁରୁାଣା ଗାଡିରେ ସେହି ବ୍ୟକ୍ତିକୁ ବିଏଚ୍ ସିରିଜ ନମ୍ବର ମିଳିବ ଯିଏ ଆବେଦନ ନିୟମର ସର୍ତ୍ତ ପାଳନ କରିପାରୁଥିବେ। ଅର୍ଥାତ୍ ସମ୍ବଦ୍ଧିତ ବ୍ୟକ୍ତିର ଟ୍ରାନ୍ସଫର ଚାକିରୀ ହୋଇଥିବା ଦରକାର। ବାହନ ବିକ୍ରି ସମୟରେ ଜଣେ ମାଲିକ ଅନ୍ୟ ମାଲିକକୁ ବିଏଚ୍ ନମ୍ବର ଟ୍ରାନ୍ସଫର କରିପାରିବ। ତେବେ ସମ୍ପୃକ୍ତ ବ୍ୟକ୍ତି ମଧ୍ୟ ନିୟମ ଓ ସର୍ତ୍ତ ପାଳନ କରୁଥିବା ଦରକାର। ବିଏଚ୍ ସିରିଜ ନମ୍ବର କେବଳ ଘରୋଇ ବାହନଙ୍କୁ ହିଁ ମିଳିପାରିବ।

Related Articles

Back to top button