ଭାରତରେ ଖୁବ୍‌ଶୀଘ୍ର ହେବ ଡିଜିଟାଲ କରେନ୍ସି ଇ-ରୁପୀର ପାଇଲଟ ଲଞ୍ଚ୍: ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଭାରତରେ ଖୁବ୍‌ଶୀଘ୍ର ଡିଜିଟାଲ କରେନ୍ସି ଇ-ରୁପୀର ବ୍ୟବହାର ଆରମ୍ଭ ହେବାକୁ ଯାଉଛି। ଆଜି ଏନେଇ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ। ଡିଜିଟାଲ କରେନ୍ସି ଇ-ରୁପୀକୁ ପାଇଲଟ ପ୍ରୋଜେକ୍ଟରେ (ଅଳ୍ପ ମାତ୍ରାରେ ଆରମ୍ଭ କରିବା) ଲଞ୍ଚ କରିବ ଆର୍‌ବିଆଇ। ପ୍ରାରମ୍ଭିକ ପର୍ଯ୍ୟାୟରେ କେତେକ ନିର୍ଦ୍ଦିଷ୍ଟ ଦିଗରେ ଏହାର ବ୍ୟବହାର କରାଯିବ ବୋଲି ଆର୍‌ବିଆଇ କହିଛି।

ଏନେଇ ଆର୍‌ବିଆଇ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି ” ଧୀରେ ଧୀରେ ପାଇଲଟ ଲଞ୍ଚର ପରିସୀମା ବୃଦ୍ଧି ହେବା ସହ ସମୟ ସମୟରେ ଆର୍‌ବିଆଇ ଇ-ରୂପୀରେ ସ୍ୱତନ୍ତ୍ର ଫିଚର ଓ ଲାଭ ବିଷୟରେ ସୂଚନା ଦେବ।” ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ୍ କରେନ୍ସିର କନସେପ୍ଟ ନୋଟ୍‌ରେ ଏହି ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ।

କନସେପ୍ଟ ନୋଟ୍‌ରେ ଇ-ରୁପୀର ମୂଳ ପଏଣ୍ଟଗୁଡ଼ିକ ବିଷୟରେ ବି ଆଲୋଚନା କରାଯାଇଛି। ଯଥା ଟେକ୍ନୋଲୋଜୀ ଓ ଡିଜାଇନ ଚଏସ୍, ଡିଜିଟାଲ ରୁପୀର ବ୍ୟବହାରର ସମ୍ଭାବନା, ରୁପୀ ଜାରି କରିବାର ବ୍ୟବସ୍ଥା ଇତ୍ୟାଦି ବିଷୟରେ ଉଲ୍ଲେଖ ରହିଛି। ଏହା ବ୍ୟାଙ୍କିଙ୍ଗ ପ୍ରଣାଳୀ, ଆର୍ଥିକ ନୀତୀ, ଆର୍ଥିକ ସ୍ଥିରତା ଉପରେ ସିବିଡିସିର ପ୍ରାରମ୍ଭିକ ପ୍ରଭାବକୁ ଯାଞ୍ଚ କରିବା ସହିତ ଗୋପନୀୟତାରେ ଉପୁଜୁଥିବା ସମସ୍ୟାର ବିଶ୍ଳେଷଣ କରିବ।

ସୂଚନା ଥାଉକି ଦେଶରେ ଡିଜିଟାଲ କରେନ୍ସି ପ୍ରଚଳନ ଆରମ୍ଭ ହେବ ବୋଲି ଗତବର୍ଷ ସୂଚନା ଦେଇଥିଲା ଆର୍‌ବିଆଇ। ପୁଣି ଚଳିତ ବର୍ଷ ଫେବ୍ରୁଆରୀ ମାସରେ ବି କଥା ଦୋହରାଇ ଆର୍‌ବିଆଇ କହିଥିଲା ୨୦୨୨-୨୩ ବେଳକୁ ଇ-ରୁପୀ ଲଞ୍ଚ ହେବ।

Related Articles

Back to top button