‘ଆଦିପୁରୁଷ’ ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ କୋର୍ଟରେ ଯାଚିକା ଦାୟର

ନୂଆଦିଲ୍ଲୀ: ଟିଜର ରିଲିଜ୍ ପରଠୁ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ର ମୁସ୍କିଲ ବଢିବାରେ ଲାଗିଛି। ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବାକୁ ଦିଲ୍ଲୀର ଏକ ଅଦାଲତରେ ଯାଚିକା ଦାୟର କରାଯାଇଛି। ଚଳଚ୍ଚିତ୍ରରେ ଯେଉଁଭଳି ଭଗବାନ ରାମ ଏବଂ ରାବଣଙ୍କୁ ଚିତ୍ରଣ କରାଯାଇଛି, ଏହାକୁ ଦର୍ଶକ ସହଜରେ ଗ୍ରହଣ କରି ପାରି ନାହାନ୍ତି। ଭଗବାନ ରାମ ଏବଂ ହନୁମାନ ଚମଡା ପଟି ପିନ୍ଧିବା ଅନୁଚିତ୍ ଏବଂ ଭୁଲ୍ ଚିତ୍ରଣ କରାଯାଉଥିବା ଆବେଦନ ଜରିଆରେ ଅଭିଯୋଗ କରାଯାଇଛି।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ ରାଉତ। ଫିଲ୍ମ ହିନ୍ଦୁ ଧର୍ମର ଭାବାବେଗକୁ ଆଘାତ ଦେଇଛି।  ତେଣୁ ଏହାକୁ ରୋକ୍ ଲଗାଇବାକୁ ଦାବି କରିଛନ୍ତି ଅନେକ ହିନ୍ଦୁ ସଂଗଠନ। ଫିଲ୍ମର ଟିଜର ଗତ ସପ୍ତାହରେ ଜାରି କରାଯାଇଥିଲା। ଫିଲ୍ମରେ ଲଙ୍କେଶ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଖୁବ୍ ସମାଲୋଚନା କରାଯାଉଛି। ରାମାୟଣର ଇସଲାମୀକରଣ କରାଯାଉଥିବା ଅଭିଯୋଗ ଉଠିଛି।

ହନୁମାନଙ୍କ ଚିତ୍ରଣ ଦାଢି ସହିତ ବିନା ନିଶରେ କରାଯାଇଛି ଏବଂ ସେ ଚମଡା ବସ୍ତ୍ର ପରିଧାନ କରିଛନ୍ତି। ଏହାକୁ ନେଇ ଲୋକେ ଖୁବ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭଗବାନ ରାମ ମଧ୍ୟ ଚମଡା ଚପଲ ପିନ୍ଧିଛନ୍ତି ଏବଂ ତାଙ୍କ ମୁହଁରେ ନିଶ ଥିବା ଦେଖିବାକୁ ମିଳିଛି। ଏହି ସବୁ ବିବାଦ କାରଣରୁ ଫିଲ୍ମର ଆଗାମୀ ରାସ୍ତା ବହୁତ ମୁସ୍କିଲ ହୋଇ ପଡିଛି। ଏଥିରେ ଅନେକ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା ଆସି ସାରିଛି। ଆଦିପୁରୁଷରେ ବିବାଦୀୟ ଦୃଶ୍ୟକୁ ନ ହଟାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନେକ ନେତା ନିର୍ଦ୍ଦେଶକ ଓମ ରାଉତଙ୍କୁ ଚେତାବନୀ ଦେଇଛନ୍ତି।

Related Articles

Back to top button