ବିଏମସିର ନୂଆ ଗାଇଡଲାଇନ୍‌ ଜାରି: ଫୁଟ୍‌ପାଥ ଓ ଡ୍ରେନ୍ ଉପରେ ରହିବନି ଖାଦ୍ୟ ଦୋକାନ

ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ ଜାମ୍ ସୁଧାରିବା ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି ଭୁବନେଶ୍ବର ମହାନଗର ନିଗମ (BMC)। ଏଣିକି ପାର୍କିଂ ପାଇଁ ଜାଗା ନଥିଲେ ସିଜ୍‌ ହେବ ଖାଦ୍ୟ ଗାଡ଼ି ଓ ବାତିଲ ହେବ ଟ୍ରେଡ୍‌ ଲାଇସେନ୍ସ । ଏଭଳି କିଛି ପଦକ୍ଷେପ ନେଇ ଫୁଟପାଥ ଦୋକାନୀଙ୍କୁ କଟକଣାର ଛାଟ ମାରିଛି ବିଏମସି । ଉଠା ଦୋକାନୀଙ୍କ ନେଇ ବିଏମସି ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛି ।

କାରଣ ସହରର ବିଭିନ୍ନ ସ୍ଥାନରେ ରାସ୍ତାକଡ଼‌ ଓ ଡ୍ରେନ୍‌ ଉପରେ ଦୋକାନ ରହିଥିବାବେଳେ, ଗ୍ରାହକ ରାସ୍ତା ଉପରେ ଛିଡ଼ା ହୋଇ ଖାଉଛନ୍ତି । ରାସ୍ତା ଉପରେ ଗାଡ଼ି ପାର୍କିଂ ବି କରୁଛନ୍ତି । ଫଳରେ ସହରରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସହ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଛି । ଏହି ପରିପ୍ରେକ୍ଷୀରେ ସହରର ଟ୍ରାଫିକ ସମସ୍ୟାକୁ ବିଏମସି ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଏଥିରେ ‘ନୋ ଭେଣ୍ଡିଂ ଜୋନ୍‌’ ଚିହ୍ନଟ ହୋଇଥିବା ଜାଗାରେ ବୁଲା ବିକାଳି ଖାଦ୍ୟ ପସରା ମେଲାଇ ପାରିବେ ନାହିଁ । ରାସ୍ତା, ଡ୍ରେନ୍‌ ଓ ଚଲାପଥରେ କୌଣସି ପରିସ୍ଥିତିରେ ଖାଦ୍ୟ ସାମଗ୍ରୀ ବିକ୍ରି ହୋଇପାରିବ ନାହିଁ ।

ସେଥିପାଇଁ ଅନ୍ୟ ସ୍ଥାନଗୁଡ଼ିକରେ ଯେଉଁଠି ଏହି ଖାଦ୍ୟ ସାମଗ୍ରୀ ଦୋକାନ ଖୋଲିବ, ସେଠାରେ ଯଦି ପାର୍କିଂ ପାଇଁ ଜାଗା ନଥିବ, ତେବେ ସେମାନେ ସେଠାରେ ଲୋକଙ୍କୁ ଖାଇବା ପାଇଁ ଦେଇପାରିବେ ନାହିଁ । କେବଳ ପାର୍ସଲ ଦେଇପାରିବେ ନଚେତ ହୋମ୍‌ ଡେଲିଭରି ବ୍ୟବସ୍ଥା କରିବେ । ଯଦି ରାସ୍ତା ଉପରେ ପାର୍କିଂ ହୋଇଥିବ, ଗାଡ଼ି ସିଜ୍‌ କରାଯିବ ସହ ମୋଟା ଅଙ୍କର ଜରିମାନା କରାଯିବ । ଆବଶ୍ୟକ ପଡ଼ିଲେ ଟ୍ରେଡ୍‌ ଲାଇସେନ୍ସ ବାତିଲ କରାଯାଇ ଦୋକାନ ସିଲ୍‌ କରିଦିଆଯିବ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଏହାସହ ସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ଓ ପରିବେଷଣ ହେବା ଆବଶ୍ୟକ ।

Related Articles

Back to top button