ଦିଲ୍ଲୀରେ ୨୪ ଘଣ୍ଟା ଖୋଲା ରହିବ ରେସ୍ତୋରାଁ, ଔଷଧ ଦୋକାନ
ନୂଆଦିଲ୍ଲୀ: ଏବେ ଦିଲ୍ଲୀର ରାତି ଅଧିକ ଚମକିବ । ଆସନ୍ତା ସପ୍ତାହରୁ ଦିଲ୍ଲୀବାସୀଙ୍କୁ ୩୦୦ରୁ ଅଧିକ ପ୍ରତିଷ୍ଠାନରେ ୨୪ ଘଣ୍ଟିଆ ସେବା ମିଳିବ । ଏଥିରେ ରେସ୍ତୋରାଁ ଠାରୁ ଆରମ୍ଭ କରି ମେଡିକାଲ ଦୋକାନ ସାମିଲ ଅଛି । ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନା ଏହି ଘୋଷଣା କରିଛନ୍ତି । ୨୦୧୬ ମସିହାରୁ ଅନେକ ପ୍ରତିଷ୍ଠାନ ଏହାର ଅନୁମତି ଚାହୁଁଥିଲେ, କିନ୍ତୁ ଆବେଦନ ବିଚାରଧୀନ ରହିଥିଲା ।
୨୪ ଘଣ୍ଟିଆ ଡିଲେଭରୀ ସୁବିଧାରେ ହୋଟେଲ-ରେସ୍ତୋରାଁ, ଖାଇବା-ପିଇବା ଅନଲାଇନ ଡିଲେଭରୀ କରୁଥିବା ସଂସ୍ଥା ସହ ୨୪ ଘଣ୍ଟା ଔଷଧ ଉପଲବ୍ଧ କରାଉଥିବା ପ୍ରତିଷ୍ଠାନକୁ ଏଥିରେ ସାମିଲ କରାଯାଇଛି । ଦିଲ୍ଲୀରେ ଏହିପରି ୩୧୪ଟି ପ୍ରତିଷ୍ଠାନକୁ ଅନୁମତି ଦିଆଯାଇଛି । ଏହି ନିଷ୍ପତ୍ତି ପରେ ସହରରେ ପ୍ରଚଳିତ ନାଇଟ୍ ଲାଇଫ୍ ପ୍ରଥାକୁ ବଳ ମିଳିବ । ଉଲ୍ଲେଖଯୋଗ୍ୟ ଯେ, ଏଥିରେ ଟ୍ରାନ୍ସପୋର୍ଟ-ଟ୍ରାଭେଲ ସହ ଅନେକ କେପିଓ ଏବଂ ବିପିଓକୁ ସାମିଲ କରାଯାଇଛି।
ପ୍ରସ୍ତାବକୁ ମଞ୍ଜୁରୀ ଦେଇ ଉପରାଜ୍ୟପାଳ ଭିକେ ସକ୍ସେନା ପ୍ରତିଷ୍ଠାନ ଦ୍ୱାରା କରାଯାଇଥିବା ଆବେଦନ ଉପରେ ବିଚାର କରିବାରେ ଶ୍ରମ ବିଭାଗ ବିଳମ୍ୱ କରିଥିବା ଅଭିଯୋଗ କରିଛନ୍ତି । ମୋଟ ୩୪୬ ଆବେଦନ ବିଭାଗ ପାଖରେ ପଡ଼ି ରହିଥିଲା । ଏହି ଆବେଦନ ଗୁଡିକ ଉପରେ ଶ୍ରମ ବିଭାଗ କୌଣସି ପଦକ୍ଷେପ ନେଇ ନଥିଲା ।