କଟକ ବାଲିଯାତ୍ରା ପାଇଁ ପ୍ଲଟ ନିଲାମି ପ୍ରକ୍ରିୟା ଆରମ୍ଭ

କଟକ:  ବାଲିଯାତ୍ରା ପଡିଆରେ ଜାଗା ନିଲାମି ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ ବାରବାଟୀ ପ୍ୟାଲେସରେ ଶନିବାରଠୁ ଏହି ପ୍ଲଟ ନିଲାମି ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ଦ୍ବାରା ଆରମ୍ଭ ହୋଇଛି। ହେଲେ ନିଲାମି ପ୍ରକ୍ରିୟାରେ ବ୍ୟବସାୟୀଙ୍କ ପାଇଁ ଯେଉଁ ଦର ବା ରେଟ୍ ସ୍ଥିର ହୋଇଛି ତାକୁ ନେଇ କ୍ଷୁଦ୍ର ବ୍ୟବସାୟୀ ପ୍ରଶ୍ନ ଉଠାଇଛନ୍ତି।

କରୋନା ପାଇଁ ଦୀର୍ଘ ୨ ବର୍ଷ ପରେ ଚଳିତ ଥର ଦୁର୍ଗାପୂଜାରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। ତେଣୁ ବାଲିଯାତ୍ରା ମଧ୍ୟ ବିନା କୌଣସି କଟକଣା ନଥାଇ ଆୟୋଜନ ହେବ ବୋଲି ସୂଚନା ରହିଛି। ଚଳିତଥର ବ୍ୟବସାୟ ଭଲ ହେବ ତେଣୁ ସମସ୍ତ ବ୍ୟବସାୟୀ ବାଲିଯାତ୍ରା ପଡିଆରେ ପ୍ଲଟ ଖଣ୍ଡେ ଖଣ୍ଡେ ହାତେଇବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ସମସ୍ତ ବ୍ୟବସାୟୀଙ୍କୁ ଅଗ୍ରାଧିକାର ଦିଆଯିବ ଆଉ ମଧ୍ୟସ୍ଥି ପ୍ରକ୍ରିୟା ଶେଷ କରିବାକୁ ଯାଇ ଏଥିର ନିଲାମି ପ୍ରକ୍ରିୟା ଆପଣାଇଛି ଜିଲ୍ଲା ପ୍ରଶାସନ।

ନିଲାମି ପ୍ରକ୍ରିୟାର ନିୟମ ଅନୁଯାୟୀ ୧ ହଜାର ବର୍ଗ ଫୁଟ ପ୍ଲଟ ପାଇଁ ୫୦ ହଜାର ଟଙ୍କା ଦେବାକୁ ହେବ। ଏହାପରେ ସେହି ସ୍ଥାନକୁ ନିଜ ନାଁରେ କରି ବ୍ୟବସାୟୀ ବେପାର କରିପାରିବେ। ହେଲେ ପଞ୍ଜିକରଣ ଦରକୁ ନେଇ କ୍ଷୁଦ୍ର ବ୍ୟବସାୟୀଙ୍କ ମୁଣ୍ଡରେ ଚଡକ ପଡିଛି। କଟକର ସ୍ଥାନୀୟ ବାସିନ୍ଦା ରୋହିତ ବିଶୋୟୀ ନାମକ ବ୍ୟକ୍ତି କହିଛନ୍ତି, ୨୫ ବର୍ଷ ହେବ ସେ ଏଠାରେ ବାଲିଯାତ୍ରା ବେଳେ ବେପାର କରି ଆସୁଛନ୍ତି। ସେ ୩୦୦ ଟଙ୍କା ଦେଇ ଏଠାରେ ବେପାର କରିଛନ୍ତି। ହେଲେ ଏବେ ଯେଉଁ ଦର ଜିଲ୍ଲା ପ୍ରଶାସନ କରିଛି ସେଥିରୁ ବ୍ୟବସାୟ କେତେ ହେବ ଆକଳନ ହୋଇପାରୁନଥିବା ବେଳେ ପଞ୍ଜିକରଣ ପାଇଁ ନାଲିମି ଟଙ୍କା ଅଧିକ ରହିଛି। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ ପିଛା ୫୦ ଟଙ୍କା ରହିଥିବା ବେଳେ ୫ ହଜାର ଟଙ୍କା ପଞ୍ଜିକରଣ ଫି’ ଦେବାକୁ ହେବ ବୋଲି ସୂଚନା ରହିଛି।

ସେହିପରି ଅନ୍ୟ ଜଣେ ବ୍ୟବସାୟୀ ନିଲାମୀ ପ୍ରକ୍ରିୟାକୁ ସ୍ବାଗତ କରିଛନ୍ତି। ହେଲେ ବେପାରଠୁ ଭଡା ଅଧିକ ହୋଇଯାଇଛି ବୋଲି କହିଛନ୍ତି। ସେହିପରି ଯେଉଁ ମ୍ୟାପକୁ ଦେଖାଇ ନିଲାମି ପ୍ରକ୍ରିୟା କରୁଛନ୍ତି ସେଥିରେ ଗେଟ୍ କେଉଁଠି ଜାଗା କେଉଁଠି ସ୍ପଷ୍ଟ ହୋଇପାରୁନି ବୋଲି କହିଛନ୍ତି।

ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି କହିଛନ୍ତି, ସମାନ ନିୟମ ହେବା ଦ୍ବାରା ସ୍ବଚ୍ଛତା ରହିବ। ଏହାଦ୍ୱାରା ସବୁ ବର୍ଗର ବ୍ୟବସାୟୀ ଉପକୃତ ହେବେ।

Related Articles

Back to top button