ଶିବସେନା ଧନୁ ତୀର ଚିହ୍ନ କାହାକୁ ମିଳିଲାନି: ଉଦ୍ଧବ ଓ ଏକନାଥ ଗୋଷ୍ଠୀଙ୍କୁ ଅଲଗା ଚିହ୍ନରେ ନିର୍ବାଚନ ଲଢ଼ିବାକୁ ଅନୁମତି

ମୁମ୍ବାଇ : ଉପନିର୍ବାଚନ ପାଇଁ ଧନୁ ତୀର ନିର୍ବାଚନୀ ଚିହ୍ନ ପାଇବାକୁ ଉଦ୍ଧବ ଠାକରେ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ମାମଲାରେ ନିର୍ବାଚନ କମିସନ ରାୟ ପ୍ରକାଶ କରିଛନ୍ତି । ଏବେ ଧନୁ ତୀର ଚିହ୍ନ କାହାକୁ ମିଳିବ ନାହିଁ ବୋଲି କମିସନ କହିଛନ୍ତି । ତେଣୁ ଏହି ପ୍ରସଙ୍ଗ ଏବେ କିଛି ଦିନ ପାଇଁ ପୂର୍ଣ୍ଣଛେଦ ପଡ଼ିଛି ।

ପ୍ରକୃତ ଶିବସେନା କିଏ ତାହା ମଧ୍ୟ କମିସନ କହିନାହାଁନ୍ତି । ଉଦ୍ଧବ ଗୋଷ୍ଠୀ ଓ ଏକନାଥ ଗୋଷ୍ଠୀଙ୍କ ମଧ୍ୟରେ ଚାଲିଥିବା ଏହି ମାମଲାରେ ବିଚାର କରି  ଦୁଇ ଗୋଷ୍ଠୀଙ୍କୁ ଅଲଗା ଅଲଗା ଚିହ୍ନରେ ନିର୍ବାଚନ ଲଢ଼ିବାକୁ ଅନୁମତି ପ୍ରଦାନ କରିଛନ୍ତି କମିସନ । କେଉଁ ଚିହ୍ନରେ ନିର୍ବାଚନ ଲଢ଼ିବେ ସେଥିପାଇଁ ତିନୋଟି ନାମ ଆବେଦନ କରିବାକୁ ନିର୍ବାଚନ କମିସନ କହିଛନ୍ତି । ଦଳର ନାମ ସହ ନିର୍ବାଚନ ଚିହ୍ନ ଦୁଇ ଦଳଙ୍କୁ ନୂଆ ମିଳିବ ବୋଲି କହିଛନ୍ତି ନିର୍ବାଚନ କମିସନ ।

ଅନ୍ଧେରୀ (ପୂର୍ବ ) ବିଧାନସଭା ଆସନ ପାଇଁ  ଉପନିର୍ବାଚନ ହେବ  । ଏଥି ନିମନ୍ତେ ଉଭୟ ଗୋଷ୍ଠୀଙ୍କୁ ନୂଆ ଚିହ୍ନ ପ୍ରଦାନ କରାଯିବ ବୋଲି ନିର୍ବାଚନ କମିସନ  କହିଛନ୍ତି । ଏଥିପାଇଁ ଆସନ୍ତା ୧୧ ତାରିଖ ସୁଦ୍ଧା ନିଜ ନିଜର ଦଳୀୟ ଚିହ୍ନ ସଂପର୍କରେ ପ୍ରସ୍ତାବ ରଖିବାକୁ ଉଭୟଙ୍କୁ କମିସନ କହିଛନ୍ତି ।

ମୁମ୍ବାଇର ଅନ୍ଧେରୀ (ପୂର୍ବ) ବିଧାନସଭା କ୍ଷେତ୍ର ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଦୁଇ ଗୋଷ୍ଠୀ ଧନୀ ତୀର ଚିହ୍ନ ପାଇଁ ଦାବି କରିଛନ୍ତି । ଉଭୟ ଉଦ୍ଧବ ଓ ସିନ୍ଦେ ଗୋଷ୍ଠୀ ନିଜକୁ ଅସଲି ଶିବସେନା ବୋଲି କହୁଥିବା ବେଳେ କୋର୍ଟ ଏହାର ବିଚାର କରି ଚିହ୍ନ ପ୍ରଦାନ କରିବାକୁ ନିର୍ବାଚନ କମିସନଙ୍କୁ ଦାୟିତ୍ବ ଦେଇଛନ୍ତି ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଦଳ ଶୁକ୍ରବାର ଦିନ ନିର୍ବାଚନ ଆୟୋଗଙ୍କୁ ଭେଟି ଦଳର ‘ଧନୁ ଓ ତୀର’ ଦାବି କରିଥିଲେ । ଏହା ପରେ କମିସନ ଉଦ୍ଧବ ଠାକରେଙ୍କୁ ଜବାବ ରଖିବାକୁ ନୋଟିସ ଜାରି କରିଥିଲେ । ତେବେ ଉଦ୍ଧବ ଗୋଷ୍ଠୀ କହିଥିଲେ ଧନୁ ତୀର ଚିହ୍ନରେ ତାଙ୍କର ଅଧିକାର ରହିଛି । ଶିବସେନାର 55 ବିଧାୟକଙ୍କ ମଧ୍ୟରୁ 44 ବିଧାୟକ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି । ସେହିପରି 18 ଜଣ ସାଂସଦଙ୍କ ମଧ୍ୟରୁ 12 ଜଣ ସାଂସଦ ସିନ୍ଦେଙ୍କୁ ସମର୍ଥନ କରୁଛନ୍ତି ।

Related Articles

Back to top button