ରୁଷ୍ କ୍ଷେପଣାସ୍ତ୍ର ମାଡରେ ଜର୍ମାନ ଦୂତାବାସ କ୍ଷତିଗ୍ରସ୍ତ

କିଭ୍: ରୁଷ ସୋମବାର ୨୪ ଘଣ୍ଟା ଭିତରେ ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନେକ ସହର ଉପରେ ୭୫ କ୍ଷେପଣାସ୍ତ୍ର ମାଡ କରିଛି। ଜନବହୁଳ ଅଞ୍ଚଳରେ ହୋଇଥିବା ରୁଷର ଏହି ଆକ୍ରମଣରେ ଅନେକ ନାଗରିକଙ୍କ ମୃତ୍ୟୁ ଘଟିଛି। ତେବେ ରୁଷର ଘନ ଘନ କ୍ଷେପଣାସ୍ତ୍ର ମାଡରେ କିଭ୍ ସ୍ଥିତ ଜର୍ମାନ ଦୂତାବାସ କ୍ଷତିଗ୍ରସ୍ତ ହୋଇଛି। ଜର୍ମାନ ଗଣମାଧ୍ୟମ ଆଉଟ୍‌ଲେଟ୍ ବିଲ୍ଡର ସୂତ୍ରରୁ ଏହି ଖବର ସାମ୍ନାକୁ ଆସିଛି। ତେବେ ଉକ୍ତ କୋଠା ୟୁକ୍ରେନ-ରୁଷ ଯୁଦ୍ଧ ଆରମ୍ଭ ହେବା ପରଠୁ ବ୍ୟବହାର କରାଯାଇ ନାହିଁ। କିନ୍ତୁ ଜର୍ମାନ ଦୂତାବାସର ଭିସା କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ୟୁରୋ ନ୍ୟୁଜ୍‌ରୁ ଜଣା ପଡିଛି। ରୁଷ ଜନ୍ମିତ ବର୍ଣ୍ଣିଲ ସାମ୍ବାଦିକ ସରଗେଜ୍ ସମଲେନି ଟୁଇଟ୍ କରି ରୁଷର ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି।

ସେ ଲେଖିଛନ୍ତି, ସୋମବାର ରୁଷ ସେନାର କ୍ଷେପଣାସ୍ତ୍ର ମାଡରେ କିଭ୍ ସ୍ଥିତ ଜର୍ମାନ ଦୂତାବାସର ଭିସା କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣା ସେହି ସମୟରେ ଘଟିଛି ଯେତେବେଳେ କିଛି ସମୟ ପୂର୍ବରୁ ଜର୍ମାନୀ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଦୃଢ ନିନ୍ଦା କରିଥିଲା। ଜର୍ମାନୀ ହେଉଛି ୟୁକ୍ରେନର ବନ୍ଧୁ ରାଷ୍ଟ୍ର। ୟୁରୋପୀୟନ ୟୁନିୟନରେ ଜର୍ମାନୀ ସର୍ବଦା ୟୁକ୍ରେନ ସପକ୍ଷରେ ସ୍ଵର ଉଠାଇ ଆସିଛି। ରୁଷ ଉପରେ ଅନେକ ପ୍ରକାରର କଟକଣା ସହିତ ଆର୍ଥିକ ପ୍ରତିବନ୍ଦକ ଲଗାଇ ସାରିଛି ଜର୍ମାନୀ।

ସୂଚନାଯୋଗ୍ୟ, କ୍ରିମିଆକୁ ସଂଯୋଗ କରୁଥିବା ପୋଲ ଆକ୍ରମଣର ଶିକାର ହେବା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଛି ରୁଷ। ଏହି କ୍ରମରେ ସୋମବାର ସକାଳେ ୟୁକ୍ରେନର ଅନେକ ଭାଗରେ କ୍ଷେପଣାସ୍ତ୍ର ମାଡ କରିଛି ରୁଷ ସେନା। ଏଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୪ ରୁ ଅଧିକ ଗୁରୁତର ହୋଇଛନ୍ତି ।

ସେହିପରି ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ମଧ୍ୟ ମିସାଇଲ୍‌ ମାଡ଼ ହୋଇଥିବା ସୂଚନା ମିଳିଛି । ହେଲେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ନଷ୍ଟ ହୋଇଛି କି କେତେଜଣ ମୃତାହତ ହୋଇଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଗତ କିଛି ଦିନ ଶାନ୍ତ ଥିବା ରୁଷ୍‌ ସେନା ପୁଣି ଥରେ ଆକ୍ରୋଶ ହୋଇଉଠିଛି ।

Related Articles

Back to top button