ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତି ବୈଠକ: ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାରେ ସାଧାରଣତ ଅକ୍ଟୋବର, ନଭେମ୍ବର ମାସରେ ବାତ୍ୟା ହୋଇଥାଏ । ଏପରିକି ଚଳିତ ବର୍ଷ ମାସେ ହେଲା ଲଘୁଚାପ ଯୋଗୁଁ ବର୍ଷା, ପବନ, ଘଡ଼ଘଡ଼ି ହେଉଛି । ତେଣୁ ଆଗାମୀ ଦିନରେ  ବାତ୍ୟା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ସବୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମୈାସୁମୀର ଶେଷ ପର୍ଯ୍ୟାୟରେ ଓଡ଼ିଶାରେ ଅନେକ ସମୟରେ  ସାଧାରଣତ ବାତ୍ୟା ଆସୁଥିବାର ଦେଖାଯାଉଛି ।  ବେଳେବେଳେ ଏହି ସମୟ ଅବଧି ଡିସେମ୍ବର ୧୫ ପର୍ଯ୍ୟନ୍ତ ମଧ୍ୟ ରହୁଛି । ତେଣୁ ଏଥିପାଇଁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଆଜି ରାଜ୍ୟ ସ୍ତରୀୟ ବାତ୍ୟା ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ବାତ୍ୟା ପ୍ରସ୍ତୁତି ପାଇଁ ସବୁ ବିଭାଗକୁ  ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜିର ବୈଠକରେ କହିଛନ୍ତି ଯେ ଓଡ଼ିଶା ପାଇଁ ଆଗାମୀ ଦୁଇମାସ “ବାତ୍ୟା-ଋତୁ ଭାବେ ମାନ୍ୟତା ପାଇସାରିଛି । କାରଣ ଅକ୍ଟୋବର- ନଭେମ୍ବର ମାସରେ ଓଡ଼ିଶାରେ ଅଧିକାଂଶ ସମୟରେ ବାତ୍ୟା ଆସୁଛି  । ସେଥିପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଶ୍ରୀ ମହାପାତ୍ର ନିର୍ଦେଶ  ଦେଇଛନ୍ତି ।

ସବୁ ବିଭାଗ ମାନେ ନିର୍ଦ୍ଧାରିତ ଏସ୍.ଓ.ପି. ଅନୁସାରେ କାର୍ଯ୍ୟ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଯେଉଁ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ କରି ରଖିବା କଥା ତାହା ଉପରେ ମଧ୍ୟ ଧ୍ୟାନ ଦେବାପାଇଁ କହିଛନ୍ତି । ବିଭିନ୍ନ ଯନ୍ତ୍ରପାତି, ଉପକରଣ ଏବଂ ମାନବ ସମ୍ବଳ ପ୍ରସ୍ତୁତି ନିହାତି ଜରୁରୀ ଥିବା ସେ କହିଛନ୍ତି ।

ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ସଚିବ ସତ୍ୟବ୍ରତ ସାହୁ ସମ୍ଭ୍ୟାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ ।

ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଏଚ୍.ଆର.ବିଶ୍ୱାସ ମଧ୍ୟ ବାତ୍ୟା ସମ୍ବନ୍ଧୀୟ ତଥ୍ୟ ଜଣାଇଥିଲେ  । ଓଡ଼ିଶାର ବର୍ତ୍ତମାନ ଜଳବାୟୁସ୍ଥିତି ବାତ୍ୟା ଅନୁକୂଳ ରହିଛି କିନ୍ତୁ ଆସନ୍ତା ୧୫ ଦିନ ଭିତରେ ବାତ୍ୟାର ସୂଚନା ନଥିବା ସେ ବୈଠକରେ କହିଥିଲେ ।

ବୈଠକରେ ବାତ୍ୟା ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମମାନଙ୍କରେ ବାତ୍ୟା ପ୍ରସ୍ତୁତି ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ କହିଥିଲେ ମୁଖ୍ୟ ଶାସନ ସଚିବ । ଏହି ସମୟରେ କୃଷକମାନଙ୍କୁ ସହଯୋଗ କରିବା ଏବଂ ଧାନ-କିଣା ମଣ୍ଡିରେ ସଂଗୃହିତ ଧାନର ସୁରକ୍ଷା ଓ ପରିବହନ ଆଦି  କାମ ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ  ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button