ଅଗ୍ନିବୀରରେ ସାମଲ ହେବେ ଆଶାୟୀ, ଗଜପତିରେ ଚାଲିଛି ତାଲିମ
ଗଜପତି: ସଶସ୍ତ୍ର ବଳରେ ଯୁବଶକ୍ତିଙ୍କ ନିଯୁକ୍ତି ପାଇଁ ଅଗ୍ନିପଥ ଯୋଜନା ଆଣିଛନ୍ତି କେନ୍ଦ୍ର ସରକାର । ଖୁବ୍ଶୀଘ୍ର ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ସେନାରେ ଭର୍ତ୍ତି ହେବା ପାଇଁ ରହିଛନ୍ତି ଅନେକ ଆଶାୟୀ। ଏହା ପୂର୍ବରୁ ଗଜପତି ଜିଲ୍ଲାର ପିଲାଙ୍କୁ ପ୍ରସ୍ତୁତ କରାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ନିଜକୁ ଫିଟ୍ ରଖି ସେନା ଭର୍ତ୍ତି ହେବାକୁ ଜୋରଦାର ପ୍ରୟାସ କରୁଛନ୍ତି ଗଜପତିର ଯୁବଗୋଷ୍ଠୀ। ଏମାନଙ୍କୁ ପ୍ରସ୍ତୁତ କରିବାକୁ ଜିଲ୍ଲାରେ ଆରମ୍ଭ ହୋଇଛି ତାଲିମ ପ୍ରକ୍ରିୟା ।
ସ୍ଥାନୀୟ ଜବାହାର ନବୋଦୟ ସ୍କୁଲ ପରିସରରେ ଜିଲ୍ଲାର 100 ପିଲାଙ୍କୁ ତାଲିମ ଦେଉଛି ଜିଲ୍ଲା ପ୍ରଶାସନ । ଏହି ଶିବିରରେ ଯୋଗଦେଇଥିବା ପିଲାଙ୍କ ଶାରିରୀକ ପରୀକ୍ଷା କରାଯିବା ପରେ ସେମାନଙ୍କୁ ଗ୍ରହଣ କରାଯାଇଥିଲା । ଏପରିକି ସେମାନଙ୍କ ମେଡିକାଲ ଟେଷ୍ଟ୍ ମଧ୍ୟ କରାଯାଇଛି । ଫିଟ୍ ଥିବା ପିଲାଙ୍କୁ ତାଲିମ ଶିବିରରେ ରଖାଯାଇ ଏକ ମାସ ବ୍ୟାପି ଆବଶ୍ୟକୀୟ ତାଲିମ ପ୍ରଦାନ କରାଯାଇଛି ।
ଗଜପତିରେ ଅଗ୍ନିବୀର ତାଲିମ
ଗଜପତି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଆଶାୟୀମାନେ ପୂର୍ବ ପ୍ରସ୍ତୁତି କରିବା ଏକ କାଠିକର ବ୍ୟାପାର ଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଦ୍ବାରା ପିଲାମାନେ ଶାରୀରୀକ ଓ ମାନସିକ ଭାବେ ପ୍ରସ୍ତୁତ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି । ବର୍ତ୍ତମାନ ପ୍ରଥମ ବ୍ୟାଚ ତାଲିମ ସରିଥିବା ବେଳେ ଦ୍ବତୀୟ ବ୍ୟାଚ ପାଇଁ ପ୍ରକିୟା ଆରମ୍ଭ ହୋଇଛି । ଏହି ଶିବିରରେ ଖୋଦ ପୋଲିସ ରିଜର୍ଭ ଇନ୍ସପେକ୍ଟରଙ୍କ ନେତୃତ୍ବରେ ଏକ ଟିମ ସାମିଲ ହୋଇ ତାଲିମ ପ୍ରଦାନ କରୁଛନ୍ତି । ଏହି ଟିମ ପିଲାଙ୍କ ଶାରୀରିକ ପରୀକ୍ଷା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କୌଶଳ ସଂପର୍କରେ ପିଲାଙ୍କୁ ତାଲିମ ପ୍ରଦାନ କରିଛନ୍ତି ।
ଏନେଇ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି ଯେ, “ଆମର ୧୦୦ ପିଲାଙ୍କୁ ନେଇ ଏକ ବ୍ୟାଚ୍ କରାଯାଇଛି । ଗଜପତି ପୋଲିସକର୍ମୀମାନେ ପ୍ରଶିକ୍ଷଣ ଦେଉଛନ୍ତି । ଏହାସହ ଶାରିରୀକ ସହ ଲିଖିତ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଆଗରୁ ଗଜପତି ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ କାଳରୁ ଏକ ପରମ୍ପରା ରହିଛି । ସେନାର ଆମର ବହୁତ ପିଲା ଯାଇଥାନ୍ତି । ଆଦିବାସୀ ଛାତ୍ରଛାତ୍ରୀଙ୍କର ଫିଜିକାଲ୍ ଫିଟନେସ୍ ଭଲ ରହୁଛି । ଅଗ୍ନିବୀର ଯୋଜନା ପାଇଁ ଏମାନଙ୍କ ମାର୍ଗଦର୍ଶନ କରାଯାଉଛି । ଯାହା ଦ୍ବାରା ସେମାନଙ୍କ ପକ୍ଷରେ ସେନାରେ ସାମିଲ ହେବା ସହଜ ହେବ ।”