ଦକ୍ଷିଣ ଆଫ୍ରିକାକୁ ୯୯ ରନ୍‌ରେ ଅଲଆଉଟ୍‌, ୨-୧ରେ ସିରିଜ ଜିତିଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜକୁ ଟିମ୍‌ ଇଣ୍ଡିଆ ୨-୧ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତୀୟ ଦଳ ୧୯.୧ ଓଭରରେ ୩ ଓ୍ବିକେଟ ହରାଇ ୧୦୫ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଶୁଭମାନ ଗିଲ୍‌ ସର୍ବାଧିକ ୪୯ ରନ୍‌ କରିଥିଲେ।

ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୭.୧ ଓଭରରେ  ଅଲ୍‌ ଆଉଟ ହୋଇ ୯୯ ରନ କରିଥିଲା। ଫଳରେ ଭାରତ ପାଇଁ ୧୦୦ରନର ବିଜୟ ଲକ୍ଷ୍ୟ ରହିଥିଲା। ଅଧିନାୟକ ଡେଭିଡ ମିଲରଙ୍କ ନେତୃତ୍ୱରେ ଦକ୍ଷିଣ ଆଫ୍ରିକା ଦଳ ବ୍ୟାଟିଂ ଆରମ୍ଭ କରି ଭାରତୀୟ ବୋଲରଙ୍କ ସାମ୍ନା କରି ପାରି ନ ଥିଲା। ଦଳ ପକ୍ଷରୁ ହେନରିଚ କ୍ଲାସେନ ସର୍ବାଧିକ ୩୪ ରନ ସଂଗ୍ରହ କରିଥିଲେ। ୟେନେମାନ ମାଲାନ ୧୫ ରନ ଏବଂ ମାର୍କୋ ଜାନସନ ୧୪ ରନ କରି ଡବଲ ଫିଗର ଛୁଇଁ ପାରିଥିଲେ। କୁଲଦୀପ ଯାଦବ ଭାରତ ପାଇଁ ସର୍ବାଧିକ ଚାରିଟି ୱିକେଟ ନେଇଥିଲେ। ଏହା ବ୍ୟତୀତ ଶାହବାଜ ଅହମ୍ମଦ, ମହମ୍ମଦ ସିରାଜ ଏବଂ ୱାଶିଂଟନ ସୁନ୍ଦର ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ ନେଇଥିଲେ।

୨୦୧୯ ବିଶ୍ୱକପ ପରଠାରୁ ଏକଦିବସୀୟରେ ଏହା ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର। ମୋଟ ଉପରେ, ଏହା ଦକ୍ଷିଣ ଆଫ୍ରିକାର ଚତୁର୍ଥ ସର୍ବନିମ୍ନ ସ୍କୋର।

Related Articles

Back to top button