୧୫ ଜାନୁଆରୀରେ ଦିଲ୍ଲୀ ପରିବର୍ତ୍ତେ ବେଙ୍ଗାଲୁରୁରେ ହେବ ଆର୍ମି ଡେ ପରେଡ
ନୂଆଦଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରେ ହେବାକୁ ଥିବା ଆର୍ମି ଡେ ପରେଡ ଦିଲ୍ଲୀ ପରିବର୍ତ୍ତେ ବେଙ୍ଗାଲୁୁରୁରେ ଅନୁଷ୍ଠତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପ୍ରଥମ ଥର ବେଙ୍ଗାଲୁରୁରେ ଆୟୋଜନ ହେବା ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏପରି କିଛି ଜାତୀୟ କାର୍ଯ୍ୟକ୍ରମର ଆୟୋଜନ କେବଳ ରାଜଧାନୀ ଦିଲ୍ଲୀ କିମ୍ବା ଏନସିଆର ଅଞ୍ଚଳରେ ସୀମିତ ନରଖି ଦେଶର ଅନ୍ୟାନ୍ୟ ସହରରେ ଆୟୋଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।
ଭାରତୀୟ ସ୍ଥଳସେନା ଦିବସ ପ୍ରତିବର୍ଷ ୧୫ ଜାନୁଆରୀରେ ପାଳିତ ହୋଇ ଆସୁଛି । ୧୯୪୯ ରେ ପ୍ରଥମ ଭାରତୀୟ ସେନାଧିକାରୀ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ବ ଗ୍ରହଣ କରିଥିବାରୁ ଉକ୍ତ ଦିବସକୁ ସ୍ଥଳସେନା ଦିବସ ଭାବେ ପାଳନ କରାଯାଇ ଆସୁଛି । ତେବେ ଏହି ଦିବସରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମ ବା ପରେଡ ରାଜଧାନୀ ଦିଲ୍ଲୀରେ ହୋଇଥାଏ । ଆସନ୍ତା ବର୍ଷ ଏହି ପରଡେକୁ ବେଙ୍ଗାଲୁରୁରେ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । କିଛି ଜାତୀୟ କାର୍ଯ୍ୟକ୍ରମର ପାଳନ କେବଳ ଦିଲ୍ଲୀରେ ସୀମିତ ରହୁଥିବାରୁ ଏହାର ଗୁରୁତ୍ବର ପ୍ରାସଙ୍ଗିକତା ଦେଶବାସୀଙ୍କ ପାଖରେ ପହଞ୍ଚି ପାରୁନଥିବାରୁ ଏପରି ନିଷ୍ପତ୍ତି ଗ୍ରହଣ କରିଥିଲେ କେନ୍ଦ୍ର ସରକାର ।
ସେହିପରି ଏପରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଶର ଅନ୍ୟାନ୍ୟ ପ୍ରାନ୍ତର ଲୋକେ ମଧ୍ୟ ଅବସରରୁ ବଞ୍ଚିତ ହୋଇଥାନ୍ତି । ଏପରି ଏକ ବିଚାରକୁ ନେଇ କେନ୍ଦ୍ର ସରକାର ଏପରି କାର୍ଯ୍ୟକ୍ରମକୁ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ବାୟୁସେନା ରାଇଜିିିଂ ଡେ ମଧ୍ୟ ରାଜଧାନୀ ଦିଲ୍ଲୀ ପରିବର୍ତ୍ତେ ଚଣ୍ଡିଗଡରେ କରାଯାଇଥିଲା । ଚଣ୍ଡିଗଡ ଏୟାର ଫୋର୍ସ ବେସ୍ରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ବେଳେ ଫ୍ଲାଏ ପାଷ୍ଟରେ ଉଡାଣ କୌଶଳ ପ୍ରଦର୍ଶନ କରିଥିଲେ ବାୟୁସେନାର ଲଢୁଆ ବିମାନ । ସେହିପରି ଆର୍ମୀ ଡେ’ରେ ହେବାକୁ ଥିବା କାର୍ଯ୍ୟକ୍ରମ ଓ ବିଶାଳ ପରେଡେ ମଧ୍ୟ ବେଙ୍ଗାଲୁରୁରେ ହେବାକୁ ଯାଉଛି ।