ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କଲେ ମହମ୍ମଦ ଶାମି

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଟି-୨୦ ବିଶ୍ଵ କପ୍ ୨୦୨୨ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି। ଫେସବୁକ୍ ଜରିଆରେ ସେ ଏହାର ସୂଚନା ଦେଇଛନ୍ତି। ବୁଧବାର ସନ୍ଧ୍ୟାରେ ଶାମିଙ୍କ ସହ ମହମ୍ମଦ ସିରାଜ ଏବଂ ଶାର୍ଦ୍ଦୁଳ ଠାକୁର ବି  ଅଷ୍ଟ୍ରେଲିଆ ଅଭିମୁଖେ ଉଡାଣ ଭରିଛନ୍ତି। ଯଶପ୍ରୀତ ଆହତ ହୋଇ ବିଶ୍ଵ କପ୍‌ରୁ ବାଦ୍ ପଡିବାରୁ ଏହି ବୋଲରଙ୍କୁ ଅଷ୍ଟ୍ରେଲିଆ ଯିବାକୁ କୁହାଯାଇଥିଲା। ଏହି ତିନି ବୋଲରଙ୍କ ମଧ୍ୟରୁ ଜଣଙ୍କୁ ବୁମରାଙ୍କ ବଦଳରେ ସ୍ଥାନ ମିଳିବ। ଶାମି ଫଟୋ ସହିତ କ୍ୟାପସନ ଲେଖିଛନ୍ତି, ଏବେ ଟି-୨୦ ବିଶ୍ଵ କପ୍‌ ପାଇଁ ଯାତ୍ରା କରିବାର ସମୟ।

ମହମ୍ମଦ ଶାମି କରୋନାରୁ ସୁସ୍ଥ ହେବା ପରେ ଫିଟନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଥିଲେ। ବୁମରାଙ୍କୁ ସ୍ଥାନରେ ତାଙ୍କୁ ଦଳରେ ସାମିଲ୍ କରାଯିବା ପ୍ରାୟତଃ ନିଶ୍ଚିତ। ଶାମି ପ୍ରଥମେ ଷ୍ଟାଣ୍ଡବାଇ ଖେଳାଳିଙ୍କ ତାଲିକାରେ ଥିଲେ। ତିନି ବୋଲର ପର୍ଥରେ ଭାରତୀୟ ଦଳ ସହ ଯୋଗ ଦେବେ। ୧୪ ଜଣିଆ ଭାରତୀୟ ଦଳ  ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚି ସାରିଛି। ପ୍ରଥମେ ଶାର୍ଦ୍ଦୁଳଙ୍କ ନାମକୁ ନେଇ କୌଣସି ଚର୍ଚ୍ଚା ନଥିଲା। ମାତ୍ର ଦୀପକ ଚହର ଆହତ ହେବା ତାଙ୍କ ପାଇଁ  ସୁଯୋଗ ଆଣି ଦେଇଛି।

 

ଶାମି ଗତ ବର୍ଷ ନଭେମ୍ବରରେ ଆୟୋଜିତ ଆଇସିସି ଟି-୨୦ ବିଶ୍ଵ କପ୍‌ ପରଠୁ କୌଣସି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ନାହାନ୍ତି। କିନ୍ତୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ସାମିଲ୍ ଥିଲେ। ହେଲେ କରୋନା ଯୋଗୁଁ ଦଳରୁ ବାଦ୍ ପଡିଥିଲେ। କରୋନାରୁ ସୁସ୍ଥ ହେବା ପରେ ଏନସିଏରେ ଟ୍ରେନିଂ ଚଳାଇଥିଲେ। ଏଠାରୁ ଫିଟନେସ୍ ଟେଷ୍ଟରୁ ଉତ୍ତୀର୍ଣ୍ଣ ହେବା ପରେ ଭାରତୀୟ ଦଳରେ ଯୋଗ ଦେଉଛନ୍ତି। ଟି-୨୦ ବିଶ୍ଵ କପ୍‌ରେ ଭାରତ ନିଜର ପ୍ରଥମ ମୁକାବିଲା ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ଖେଳିବ।

Related Articles

Back to top button