GPS ଟ୍ରାକିଂ କରି ଦୀର୍ଘ ୨୨ ବର୍ଷ ପରେ ନିଜ ଘରକୁ ଫେରିଲା ହଜିଲା ପୁଅ

ମାଲକାନଗିରି: ଦିନେ କାମ ସନ୍ଧାନରେ ଘରୁ ପାଦ କାଢିଥିଲେ ୧୮ବର୍ଷର ପୁଅ ନିରଞ୍ଜନ । ସହରର ଭିଡ ଭିତରେ ସେ ପାଦ ଘର ବାଟ ଭୁଲିଗଲା । ପାସୋରିଦେଲା ଗାଁ ରାସ୍ତା । ଫିଲ୍ମ କାହାଣୀ ପରି ଲାଗୁଥିଲେ ମଧ୍ୟ ଏ କାହାଣୀ ମିଛ ନୁହେଁ । ଏହା ମାଲକାନଗିରିର ଏକ ଅଭାବୀ ମଣିଷର ସତ କାହାଣୀ । ପେଟ ପୋଷିବା ପାଇଁ ବୁଲି ବୁଲି ମାଲକାନଗିରିରୁ ପହଞ୍ଚିଯାଇଥିଲେ ମାୟାନଗରୀ ମୁମ୍ବାଇ । ପରେ ମାୟାନଗରୀର ଚାକଚକ୍ୟ ମୋହରେ ଛନ୍ଦି ହୋଇଯାଇଥିଲେ ନିରଞ୍ଜନ । ଏପଟେ ସୁଦୂର ମାଲକାନଗିରିରେ ପରିବାର ଲୋକେ ତାଙ୍କ ଫେରିବା ବାଟ ଅନାଇ ବସିଥିଲେ । ମାତ୍ର ସେ ମୁମ୍ବାଇରେ ବିବାହ କରି ନିଜର ଘର ସଂସାର କରିଥିଲେ । ସଂସାର ଜଞ୍ଜାଳ ମଧ୍ୟରେ ଧୀରେ ଧୀରେ ସବୁକିଛି ପାଶୋରି ଦେଇଥିଲେ । ଯେତେବେଳେ ଘର କଥା ମନା ପଡିଲା ସେତେବେଳକୁ ନିରଞ୍ଜନ ଗାଁର ଠିକଣା ଭୁଲି ଯାଇଥିଲେ ।

ତେବେ ମାଆ ଓ ଭାଇ ସହ ଭେଟିବାକୁ ଛଟପଟ ହେଉଥିବା ନିରଞ୍ଜନଙ୍କ ପାଇଁ ବାଟ ଦେଖାଇଥିଲା ଜିପିଏସ । ଜିପିଏସ ଟ୍ରାକିଂ ମାଧ୍ୟମରେ ଦୀର୍ଘ ୨୨ ବର୍ଷ ପରେ ଶେଷରେ ଜନ୍ମମାଟିକୁ ଫେରିଛନ୍ତି ହଜିଲା ପୁଅ । ମାଲକାନଗିରି ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ନିରଞ୍ଜନ ସରକାର ନାମକ ଜଣେ ବ୍ୟକ୍ତି ଦୀର୍ଘ ୨୨ ବର୍ଷ ପରେ ଜିପିଏସ୍ ଟ୍ରାକିଂ ସାହାଯ୍ୟରେ ନିଜ ଘରେ ପହଞ୍ଚିଛନ୍ତି ।

ନିରଞ୍ଜନଙ୍କ କହିବା ମୁତାବକ, ସେ ମୁମ୍ବାଇରେ ସଂସାର ଜଞ୍ଜାଳ ଭିତରେ ଘର କଥା ଭୁଲି ଯାଇଥିଲେ । ପରେ ନିଜ ଜନ୍ମ କଲା ମାଆ, ଭାଇ-ଭଉଣୀ, ସମ୍ପର୍କୀୟ ଓ ଗାଁ କଥା ଭାରି ମନେ ପଡିଥିଲା । ନିରଞ୍ଜନଙ୍କ ଝିଅ ଖୁସବୁ ମଧ୍ୟ ଗାଁ ବୁଲିଯିବାକୁ ଇଚ୍ଛା କରିଥିଲେ । ହେଲେ ନିରଞ୍ଜନଙ୍କ ପାଖରେ ନା ଥିଲା ଘରର ଠିକଣା ନା କାହା ସହ ଯୋଗାଯୋଗ ଥିଲା । ଝିଅ ଖୁସବୁ କିନ୍ତୁ ବୁଦ୍ଧିମାନ ଥିଲେ । ମୋବାଇଲର ଜିପିଏସରେ ଲୋକେସନ ଦେଖି ଶେଷରେ ବାପାମାଆ ଓ ଝିଅ ପହଞ୍ଚିଛନ୍ତି ମାଲକାନଗିରି ମାଟିରେ । ନିରଞ୍ଜନଙ୍କ ସାନ ଭାଇ ସତ୍ୟରଞ୍ଜନ ତାଙ୍କ ଆଧାରକାର୍ଡରେ ବାପା ସୁନୀଲ ସରକାରଙ୍କ ନାଁ ଓ ଘର ଠିକଣା ଦେଖି ବଡଭାଇକୁ ଚିହ୍ନିବା ପରେ ଆଦର ସହକାରେ ଘରକୁ ପାଛୋଟି ନେଇଛନ୍ତି ।

ଏପଟେ ଦୀର୍ଘ ୨୨ ବର୍ଷ ପରେ ହଜିଲା ପୁଅକୁ ଦେଖି ମାଆ କାଲିତାରା ସରକାରଙ୍କ ଖୁସି କହିଲେ ନସରେ । ପୁଅ ଅପେକ୍ଷାରେ ବର୍ଷ ବର୍ଷ ହେଲା ଗୁମୁରି ଗୁମୁରି କାନ୍ଦୁଥିବା ବୁଢୀ ମାଆ ପୁଅକୁ ସାମ୍ନାରେ ଦେଖି ଲୁହ ଛଳଛଳ ଆଖିରେ କୋଳେଇ ନେଇଛନ୍ତି । ନିରଞ୍ଜନ ମଧ୍ୟ ଏତେ ବର୍ଷ ପରେ ପରିବାର ପାଖକୁ ଫେରି ଖୁବ୍ ଖୁସି ହୋଇଛନ୍ତି । ପୁଅ ଫେରିବା ପରେ ଏବେ ସମଗ୍ର ପରିବାରରେ ଖୁସିର ଲହରୀ ଖେଳିଯାଇଛି ।

Related Articles

Back to top button