ଆଫ୍ରିକରେ ଭାରତୀୟ ଔଷଧ କମ୍ପାନୀଙ୍କ ଜ୍ୱର ଔଷଧ ମଧ୍ୟ ଟେଷ୍ଟରେ ଫେଲ, ଖାଇବା ପୂର୍ବରୁ ଦେଖି ନିଅନ୍ତୁ ନାମ

ନୂଆଦିଲ୍ଲୀ: ଭାରତୀୟ ଔଷଧ କମ୍ପାନୀଙ୍କ କଫ୍ ସିରପ୍ ସେବନ କରି ଆଫ୍ରିକୀୟ ଦେଶ ଗାମ୍ବିଆରେ ୬୬ଜଣ ପିଲାଙ୍କ ମୃତ୍ୟୁ ଅଭିଯୋଗ ମଧ୍ୟରେ ଦେଶରେ କେତେକ ଔଷଧ କମ୍ପାନୀଙ୍କ ଔଷଧ ନମୁନା ପରୀକ୍ଷଣରେ ବିଫଳ ହୋଇଥିବା ଜଣାପଡିଛି। ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ)ଙ୍କ ପକ୍ଷରୁ ଗତମାସରେ ଜାରି ରିପୋର୍ଟରେ ପାଖାପାଖି ୪୫ଟି ଔଷଧର ନମୁନାର ଗୁଣମାନ ଖରାପ ଥିବା ଜଣାପଡିଥିଲା।

ଫେଲ ହୋଇଥିବା ନମୁନା ମଧ୍ୟରୁ ୧୩ଟି ହିମାଚଳ ପ୍ରଦେଶ ସ୍ଥିତ ମେନୁଫେକ୍ଚରିଂ ୟୁନିଟର ବୋଲି ଜଣାପଡିଛି।  ଯେଉଁ ଔଷଧଙ୍କ ନମୁନା ଟେଷ୍ଟିଂରେ ବିଫଳ ହୋଇଛି ସେଥିରେ ସାମାନ୍ୟ ଜ୍ୱର ପାଇଁ ବ୍ୟବହୃତ ହେଉଥିବା ଔଷଧ ପାରାସିଟାମଲ ମଧ୍ୟ ରହିଛି। ‘ଦି ଟ୍ରିବ୍ୟୁନ’ର ଏକ ରିପୋର୍ଟ ଅନୁସାରେ ଚଳିତବର୍ଷ ମେ ମାସରେ ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର ଏଣ୍ଡ ଲାଇସେନସିଂ ଅଥରିଟି, ନୂଆଦିଲ୍ଲୀ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ ଲିମିଟେଡର ଯାଞ୍ଚ କରିଥିଲେ ଓ ଏହାର ଏକ ଔଷଧ ଟେଲମିସାର୍ଟାନ୍ (ଉଚ୍ଚ ରକ୍ତଚାପରେ ବ୍ୟବହୃତ ହେଉଥିବା ଔଷଧ)କୁ ଡ୍ରଗସ୍ ଏଣ୍ଡ କସମେଟିକ୍ ଆକ୍ଟ ୧୪୦ର ଧାରା ୧୭ବି(ଇ)ରେ ସନ୍ଦେହାସ୍ପଦ କହିଥିଲେ।

ମୋହାଲୀସ୍ଥିତ ଏହି ଔଷଧ କମ୍ପାନୀର ଅଫଲୋକ୍ସାସିନ୍ ଓ ଅର୍ନିଡାଜୋଲ୍ ଆଣ୍ଟିବୋୟାଟିକ୍‌ର ନମୁନା ମଧ୍ୟ ପରୀକ୍ଷଣ ମାନକରେ ଉତୀର୍ଣ୍ଣ ହୋଇପାରିନଥିଲା। ସେହିପରି ଚଣ୍ଡିଗଡସ୍ଥିତ ଔଷଧ କମ୍ପାନୀରେ ନିର୍ମିତ ଆଣ୍ଟିବୋୟାଟିକ୍ ଜେଣ୍ଟାମାଇସିନ୍ ଇଞ୍ଜେକ୍ସନ ବେକ୍ଟୋରିୟଲ ଏଣ୍ଡୋଟୋକ୍ସିନ୍ସ ଓ ଷ୍ଟେରିଲିଟି ଟେଷ୍ଟ ପାସ୍ କରିପାରିନଥିଲା। ନିକଟରେ ହିମାଚଳରେ ନିକ୍ସି ଲାବୋରେଟରିଜ ଯାଞ୍ଚ ପରିସରକୁ ଆସିଥିଲା। କାରଣ ଏହି ଔଷଧ କମ୍ପାନୀ ପ୍ରସ୍ତୁତ ଏକ ଔଷଧ ଆନାସ୍ଥେସିଆ ପ୍ରୋଫୋଫଲ ଗୁଣମାନ ଯାଞ୍ଚରେ ବିଫଳ ହୋଇଥିଲା। ଔଷଧର ନମୁନା ଚଣ୍ଡିଗଡ ପିଜିଆଇଏମଇଆର ଏମର୍ଜେନ୍ସୀ ୱାର୍ଡରୁ ଏକତ୍ର କରାଯାଇଥିଲା।

ଏହି ଔଷଧ ଯୋଗୁ ୫ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଅସ୍ତ୍ରୋପଚାର ଲାଗି ରୋଗୀଙ୍କୁ ବେହୋସ କରିବା ଲାଗି ଏହି ଔଷଧ ଦିଆଯାଇଥିଲା। ତେବେ ରୋଗୀ ପୁଣି ଥରେ ଜୀବନ ଫେରି ପାଇନଥିଲେ।  ହିମାଚଳ ଔଷଧ କମ୍ପାନୀକୁ ଏହି ବ୍ୟାଚ୍‌ର ସମସ୍ତ ଔଷଧ ଫେରସ୍ତ ନେବାକୁ କୁହାଯାଇଥିଲା।

ପରୀକ୍ଷଣରେ ଏହି ସବୁ ଔଷଧ ହୋଇଛନ୍ତି ଫେଲ୍

କରାଯାଇଥିବା ନମୁନା ପରୀକ୍ଷଣରେ ଟିଏଣ୍ଡଜି ମେଡିକେୟାର ବାଦିଙ୍କ ପାରାସିଟାମଲ, ଆଲକୋ ଫର୍ମୂଲେସନ ଫରିଦାବାଦଙ୍କ ପାରାସିଟାମଲ ଓ  ଏଏନଜି ଲାଇଫ ସାଇନ୍ସ ସୋଲନଙ୍କ ପାରାସିଟାମଲ ଗୁଣମାନ ପରୀକ୍ଷଣରେ ବିଫଳ ହୋଇଛି। ସେହିପରି ୟୁଏସଭି ପ୍ରାଇଭେଟ ଲିମିଟେଡ ବାଦିଙ୍କ ମିଥାଇକୋବାଲାମିନ, ଆଲଫା ଲିପୋଏକ ଏସିଡ, ନାଲାଗଡ ଓକାର୍ଡଙ୍କ କ୍ଲୋର୍ଡିଆଜେପକ୍ସାଇଡ, ମେଡିୱେଲ ବାୟୋଟେକ୍ ସୋଲାନଙ୍କ ଆମୋକ୍ସିସିଲିନ୍-ପୋଟାସିୟମ୍ କ୍ଲାଭୁଲାନେଟ୍ ଗୁଣମାନ ପରୀକ୍ଷଣରେ ଫେଲ ହୋଇଛି।

ସେହିପରି  ନାଲାଗଡର ମ୍ୟାକ୍ସଟର ବାୟୋଜେନିକ୍ସଙ୍କ ଭିଟାମିନ ଡି-ଥ୍ରୀ ଚ୍ୱିୟେବଲ ଟାବଲେଟ୍, ମୋହାଲୀ ଆମକନ ଫାର୍ମାସ୍ୟୁଟିକାଲସ୍‌ଙ୍କ ଅଫଲୋକ୍ସାସିନ ଏବଂ ଅର୍ନିଡାଜୋଲ ଟାବଲେଟ୍, ପ୍ଲେନା ରିମେଡିଜ୍ ବାଦିଙ୍କ ଭର୍ମେକ୍ଟିନ ଡିସପର୍ସିବଲ ଟାବଲେଟସ୍‌, ଥିଓନ ଫର୍ମାସ୍ୟୁଟିକାଲ ବାଦିଙ୍କ ଇଟ୍ରାକୋନାଜୋଲ କ୍ୟାପସୁଲ, ବିଏମ ଫାର୍ମାସ୍ୟୁଟିକାଲ ଚଣ୍ଡିଗଡଙ୍କ ଜେଣ୍ଟାମାଇସିନ୍ ଇଞ୍ଜେକ୍ସନ, ନଭକର ଲାଇଫସାଇନ୍ସେସ୍ ବାଦିଙ୍କ ମେଫେନାମିକ୍ ଏସିଡ ଟାବଲେଟ୍, ବାୟୋଜେନେଟିକ୍ ଡ୍ରଗ୍ସ ପ୍ରାଇଭେଟ ଲିମିଟେଡଙ୍କ ଆଲ୍ୟୁମିନିୟମ ହାଇଡ୍ରୋକ୍ସାଇଡ ଔଷଧ ଗୁଣମାନ ପରୀକ୍ଷଣରେ ବିଫଳ ହୋଇଛି।

Related Articles

Back to top button