ଐତିହ୍ୟ ଗ୍ରାମ ରଘୁରାଜପୁରରେ କୁମାର ଉତ୍ସବ ପାଳିତ

ଭୁବନେଶ୍ୱର: କୋଭିଡ ଯୋଗୁ ଦୀର୍ଘ ଦୁଇବର୍ଷର ବ୍ୟବଧାନ ପରେ ପୁଣି ଐତିହ୍ୟ ଗ୍ରାମ ରଘୁରାଜପୁରରେ କଳାକ୍ଷେତ୍ର ଅନୁଷ୍ଠାନ ଦ୍ଵାରା ‘କୁମାର ଉତ୍ସବ -୨୦୨୨ ‘ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ନାଚ ଗୀତ, ସଙ୍ଗୀତର ତାଳ ସହିତ ତାଳ ଦେଇ ପିଲାମାନଙ୍କର ପୁଚିଖେଳ ଓ ଡିଆଁ ଦଉଡ଼ି ଖେଳ ମୁଖ୍ୟ ଆକର୍ଷଣ ଥିଲା। ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦର କୁନିକୁନି ପିଲାମାନଙ୍କ ଦ୍ଵାରା ଗୋଟି ପୁଅ ନୃତ୍ୟ ଓ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର କଳାକାର ମାନଙ୍କ ଦ୍ଵାରା ପରିବେଷିତ ଓଡିଶୀ ନୃତ୍ୟ ଉପସ୍ଥିତ ସମସ୍ତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଦାଶ ଆଣ୍ଡ ଦାଶ ଡ୍ୟାନ୍ସ ଗ୍ରୁପ ଦ୍ଵାରା ପରିବେଷିତ ସଙ୍ଗୀତ ନାଟକ ଭିତ୍ତିକ ଚିତ୍ତାକର୍ଷକ ପରିବେଷଣ ମଧ୍ୟ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା।

ଏହି ବର୍ଣ୍ଣାଢ଼ କୁମାର ଉତ୍ସବରେ ଅତିଥି ଭାବରେ ପୁରୀ ସଦର ବ୍ଲକର ଚେୟାରମ୍ୟାନ ଶ୍ରୀଯୁକ୍ତ ଦିବାକର ପାତ୍ର, ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମହାପାତ୍ର, ଗୁଜରାଟର ସୁନାମଧନ୍ୟ ଶିଳ୍ପୀ ଗୁରୁ ଶ୍ରୀଯୁକ୍ତ ମୁକେଶ ମୟୁରିଆ, ନିର୍ମଳା କୃତି ବିକାଶ ଟ୍ରଷ୍ଟର ଚେୟାରମ୍ୟାନ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପଟ୍ଟନାୟକ, କଳାକ୍ଷେତ୍ରର ଚେୟାରମ୍ୟାନ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ମହାରଣା ଓ ସମ୍ପାଦକ ଶ୍ରୀଯୁକ୍ତ ସୁଦର୍ଶନ ସ୍ୱାଇଁ, ପରମ୍ପରା ଅନୁଷ୍ଠାନର ସଂପାଦକ ଶ୍ରୀଯୁକ୍ତ ବିଶ୍ଵନାଥ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କୁମାର ଉତ୍ସବରେ ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ସୁବୁଦ୍ଧି ସଭାପତିତ୍ୱ କରିଥିଲେ ଓ ଉଦଘୋଷକ ଶ୍ରୀଯୁକ୍ତ ଅଞ୍ଜନ କୁମାର ହୋତା ମଞ୍ଚ ପରିଚାଳନା କରିଥିଲେ ।


ଏହି ବର୍ଣ୍ଣାଢ୍ୟ କୁମାର ଉତ୍ସବ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଲାଭ କରିଥିବା ଶ୍ରୀଯୁକ୍ତ ବିପିନ ବିହାରୀ ସାହୁ, ୱାର୍ଲ୍ଡ ଏକ୍ଟ ସମ୍ପାଦକ ତଥା ସଂସ୍କୃତି ପ୍ରେମୀ ଓ ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମ ପ୍ରକାଶ ସେନାପତି ଏବଂ ମଙ୍ଗଳପୁର ନୃତ୍ୟଗୁରୁ ଶ୍ରୀଯୁକ୍ତ ଜଗନ୍ନାଥ ମଲ୍ଲିକଙ୍କୁ ‘କୁମାର ଉତ୍ସଵ -୨୨’ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଅତିଥିମାନେ ତାଙ୍କର ଅଭିଭାଷଣରେ ଐତିହ୍ୟ ଗ୍ରାମ ରଘୁରାଜପୁରର କୀର୍ତ୍ତି ଓ ଗାରିମାକୁ ଆହୁରି କିପରି ବିଶ୍ବସ୍ତରୀୟ କରାଯାଇପାରିବ ତାହା ଉପରେ ଗୁରୁତ୍ବ ଆରୋପ କରିଥିଲେ ।

Related Articles

Back to top button