ତୃତୀୟ ଥର କାର୍ଯ୍ୟକାଳ ବୃଦ୍ଧି ନେଇ ସଙ୍କେତ ଦେଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ
ନୂଆଦିଲ୍ଲୀ: ଚୀନ କ୍ଷମତାରେ ଆସୀନ ହେବାର ୧୦ ବର୍ଷ ପରେ ରାଷ୍ଟ୍ରପତି ସି ଜିନପିଙ୍ଗ ସଂପ୍ରତି ଦୁନିଆର ଶକ୍ତିଶାଳୀ ନେତାଙ୍କ ମଧ୍ୟରୁ ଜଣେ । ବେଜିଂରେ କମ୍ୟୁନିଷ୍ଟ ପାର୍ଟିର ୨୦ତମ ନ୍ୟାସନାଲ କଂଗ୍ରେସର ଉଦଘାଟନ ଅବସରରେ ସି ଜିନପିଙ୍ଗ ଆଗାମୀ ବର୍ଷରେ ନିଜର ଆକ୍ରମଣାତ୍ମକ ରଣନୀତି କଣ ରହିବ ସେ ଦିଗରେ ଇସାରା କରିଛନ୍ତି। ତୃତୀୟ ଥର ତାଙ୍କର କାର୍ଯ୍ୟକାଳ ବୃଦ୍ଧି ନେଇ ସଙ୍କେତ ମିଳିଛି। ସରଳ ଭାଷାରେ କହିବାକୁ ଗଲେ ସେ ଏତେ ଶକ୍ତିଶାଳୀ ନେତା ପାଲଟି ଯାଇଛନ୍ତି ଯେ, ତାଙ୍କ ହାତରୁ କ୍ଷମତା ନେଇ ଅନ୍ୟ କାହାକୁ ହସ୍ତାନ୍ତର କରିବା ବର୍ତ୍ତମାନ କାହାରି ବଶରେ ନାହିଁ।
ସି ଜିନପିଙ୍ଗ ପାର୍ଟିର ସାଧାରଣ ସଂପାଦକ ଏବଂ ଚାଇନା ମିଲିଟାରୀ କମିଶନର ଅଧ୍ୟକ୍ଷ। ମାଓ ସେତୁଗଙ୍ଗଙ୍କ ପରେ ସବୁଠୁ ଶକ୍ତିଶାଳୀ ନେବା ଭାବେ ଆବିର୍ଭାବ ହୋଇଛନ୍ତି ଜିନପିଙ୍ଗ। ସେ ଚୀନର ସଂସ୍ଥାପକ ମାଓ ସେତୁଗଙ୍ଗଙ୍କଠୁ ବି ଅଧିକ ଶକ୍ତିଶାଳୀ ହୋଇ ଯାଇଛନ୍ତି। ସି ଜିନପିଙ୍ଗଙ୍କ କାର୍ଯ୍ୟକାଳ ୨୦୨୩ ମାର୍ଚ୍ଚରେ ସମାପ୍ତ ହେଉଛି। ଏବେ ସେ ତୃତୀୟ ଥର ପାଞ୍ଚ ବର୍ଷ ପାଇଁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାକୁ ଯାଉଛନ୍ତି।
ସି ଜିନପିଙ୍ଗଙ୍କ ନେତୃତ୍ଵରେ ଚୀନର ବୈଦେଶିକ ନୀତି ବହୁତ ଆକ୍ରମଣାତ୍ମକ ରହି ଆସିଛି। ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳରେ ଚୀନ ଏବଂ ଆମେରିକା ମଧ୍ୟରେ ତିକ୍ତତା ଚରମରେ ରହିଥିଲା। ଜାପାନକୁ ନେଇ ଚୀନର କଠୋର ଆଭିମୁଖ୍ୟ ସର୍ବଦା ରହି ଆସିଛି। ସଂପ୍ରତି ତାଇଓ୍ଵାନ ଏବଂ ହଂକଂକୁ ନେଇ ଚୀନର ପ୍ରାଧ୍ୟାନ୍ୟ ବିସ୍ତାର ନୀତି ରହି ଆସିଛି। ନିକଟ ଦିନରେ ତାଇଓ୍ଵାନକୁ ନେଇ ଆମେରିକା ଏବଂ ଚୀନ ପୁଣି ଥରେ ମୁହାଁମୁହିଁ ହୋଇଥିଲେ। ଚୀନ ଅନେକ ଥର ମିଲିଟାରୀ ଡ୍ରିଲ୍ ବି କରି ସାରିଛି।