ପୋଲିସ କ୍ୟାମ୍ପ ଉପରେ ମାଓବାଦୀଙ୍କ ହମଲା

ବିଜାପୁର: ଛତିଶଗଡରେ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ମାଓବାଦୀଙ୍କ ରୋକିବାରେ ସଫଳ ହୋଇପାରି ନାହାନ୍ତି ଛତିଶଗଡ ସରକାର ଏବଂ କେନ୍ଦ୍ର ସରକାର। ବିଜାପୁର ଜିଲ୍ଲାରେ ଥିବା ତରେମ ଥାନା ନିକଟରେ କୋବ୍ରା 210 ବାଟାଲିୟନର କ୍ୟାମ୍ପ ଉପରେ ମାଓବାଦୀମାନେ ଗୁଳି ଚଳାଇଛନ୍ତି।

ମାଓବାଦୀମାନଙ୍କ ଏହି ଗୁଳିରେ ଜଣେ ଯବାନ ଆହତ ହୋଇଛନ୍ତି। ତେବେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ମାଓବାଦୀ ମାନେ ଗୁଳି ଚଳାଇବା ପରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। କୁହାଯାଉଛି ଯେ ଆହତ ଯବାନଙ୍କୁ ଡାକ୍ତରଖାନା ନେବାକୁ ଯେଉଁ ଟିମ୍ ଆସୁଥିଲା ମାଓବାଦୀମାନେ ସେମାନଙ୍କ ଉପରେ ମଧ୍ୟ ଗୁଳି ଚଳାଇଛନ୍ତି। ମାଓବାଦୀମାନେ ମଧ୍ୟ ଘଟଣାସ୍ଥଳରେ ଆଇଇଡି ଜରିଆରେ ବିସ୍ଫୋରଣ କରିଥିଲେ। ଏ ନେଇ ପ୍ରଶାସନ କିନ୍ତୁ କୌଣସି ସୂଚନା ଦେଇନାହିଁ।

ମିଳିଥିବା ସୂଚନା ଅନୁଯାୟୀ ଯବାନମାନେ କୁମ୍ବିଂ ଅପରେସନ ସାରି ଫେରୁଥିବା ବେଳେ ମାଓବାଦୀ ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ।

ଉ୍ୱଲ୍ଲେଖଯୋଗ୍ୟ, ନିକଟରେ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୋଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଓବାଦୀଙ୍କ ସମାବେଶର ସୂଚନା ପାଇବା ପରେ ପୋଲିସ ଏନକାଉଣ୍ଟର ଅପରେସନ୍ ଆରମ୍ଭ କରିଥିଲା। ଯବାନମାନେ ବୃନ୍ଦାବଲ ଜଙ୍ଗଲରେ ପହଞ୍ଚିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଜିଲ୍ଲା ରିଜର୍ଭ ଗାର୍ଡ (DRG)ର ଯବାନ ମାନେ ମାଓବାଦୀଙ୍କୁ ଏହାର କଡା ଜବାବ ଦେଇଥିଲେ। ଏହାପରେ ମାଓବାଦୀମାନେ ପଳାଇ ଯାଇଥିଲେ।

ଆଇଜି ସୁନ୍ଦରରାଜ ପି କହିଥିଲେ ଯେ ଯେତେବେଳେ ଯବାନମାନେ ଦେବରଗାଓଁ ନିକଟ ଜଙ୍ଗଲରେ ପହଞ୍ଚିଥିଲେ, ମାଓବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଯବାନମାନେ ମଧ୍ୟ ଏହାର କଡା ଜବାବ ଦେଇଥିଲେ। ଉଭୟ ପାର୍ଶ୍ୱରୁ ଅଧ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ସଂଖ୍ୟା ଅଧିକ ହୋଇଥିବା ଦେଖି ମାଓବାଦୀମାନେ ଜଙ୍ଗଲର ସୁଯୋଗ ନେଇ ପଳାଇ ଯାଇଥିଲେ।

Related Articles

Back to top button