ଟି-୨୦ ବିଶ୍ଵ କପ୍‌ରେ ଓ୍ଵେଷ୍ଟଇଣ୍ଡିଜକୁ ହରାଇଲା ସ୍କଟଲାଣ୍ଡ

ହୋବାର୍ଟ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି-୨୦ ବିଶ୍ଵ କପ୍‌ର ଦ୍ଵିତୀୟ ଦିନରେ ଆଉ ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଥମ ଦିନ ଖେଳରେ ନାମ୍ଵିଆ ଏସିଆ କପ୍ ବିଜେତା ଶ୍ରୀଲଙ୍କାକୁ ହରାଇଥିବା ବେଳେ ଆଜି ଷ୍ଟଟଲାଣ୍ଡ ଓ୍ଵେଷ୍ଟଇଣ୍ଡିଜ ପରି ବଡ ଦଳକୁ ହରାଇଛି। ୧୬୧ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଓ୍ଵେଷ୍ଟଇଣ୍ଡିଜ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୮.୩ ଓଭରରେ ୧୧୮ ରନରେ ଅଲଆଉଟ୍ ହୋଇଛି। ଏହି ମ୍ୟାଚ୍‌କୁ ସ୍କଟଲାଣ୍ଡ ୪୨ ରନରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରିଥିବା ସ୍କଟଲାଣ୍ଡ ଓପନର ମୁନସିଙ୍କ ଅପରାଜିତ ୬୬ ରନ ବଳରେ  ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍‌ ହରାଇ ୧୬୦ ରନ କରିଥିଲା। ବୋଲିଂରେ ଦଳ ପକ୍ଷରୁ ମାର୍କ ଓ୍ଵାଟ୍ ୧୨ ରନ ଦେଇ ୩ ଏବଂ ମାଇକେଲ୍ ଲିସ୍କ ୧୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।

ଦ୍ଵିତୀୟ ଦିନ ସୋମବାର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡର ଗ୍ରୁପ-ବିରେ ଓ୍ଵେଷ୍ଟଇଣ୍ଡିଜ ଏବଂ ସ୍କଟଲାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯାଇଛି। ଏହି ମୁକାବିଲାରେ ଏତେ ବଡ ଓଲଟ ପାଲଟ ହେବ ବୋଲି କେହି ଆଶା କରିନଥିଲେ। ହୋବାର୍ଟରେ ଖେଳାଯାଇଥିବା ମୁକାବିଲାରେ ଓ୍ଵେଷ୍ଟଇଣ୍ଡିଜ ଟସ୍ ଜିତିଥିଲେ ହେଁ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ଭୁଲ୍ ସାବ୍ୟସ୍ତ ହୋଇଥିଲା। ସ୍କଟଲାଣ୍ଡ ଦଳ ଜର୍ଜ ମୁନସିଙ୍କ ଅର୍ଦ୍ଧଶତକ ବଳରେ ବଡ ସ୍କୋର କରିବାରେ ସଫଳ ହୋଇଥିଲା। ସ୍କଟଲାଣ୍ଡ ୫ ଓ୍ଵିକେଟ୍ ହରାଇ ୧୬୦ ରନ କରିଥିଲା। ମୁନସି ୫୩ ବଲ୍‌ରେ ୬୬ ରନର ଦମଦାର ଇନିଂସ ଖେଳିଛନ୍ତି। ଓ୍ଵେଷ୍ଟଇଣ୍ଡିଜ ପକ୍ଷରୁ ଅଲଜାରି ଯୋଶେଫ ଏବଂ ଜାସନ ହୋଲଡର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ବ୍ୟାଟିଂରେ ନିଜର ଦମ୍ ଦେଖାଇବା ପରେ ସ୍କଟଲାଣ୍ଡର ବୋଲର ଓ୍ଵେଷ୍ଟଇଣ୍ଡିଜ ବ୍ୟାଟସମ୍ୟାନଙ୍କୁ ବାନ୍ଧି କରି ରଖିଥିଲେ। ସ୍ପିନର ମାର୍କ ଓ୍ଵାଟ ଏବଂ ମାଇକେଲ୍ ଲିସ୍କ ଉଭୟ ଓ୍ଵେଷ୍ଟଇଣ୍ଡିଜର ଅଧା ବ୍ୟାଟସମ୍ୟାନଙ୍କୁ ପାଭିଲିୟନ ପଠାଇଥିଲେ। ମାର୍କ ଓ୍ଵାଟ ୩ ଏବଂ ଲିସ୍ ୨ ଓ୍ଵିକେଟ୍ ନେଇଥିଲେ। ଏହି ପରି ୧୬୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଓ୍ଵେଷ୍ଟଇଣ୍ଡିଜ ୧୧୮ ରନରେ ଅଲଆଉଟ୍ ହୋଇଛି। ଜାସନ ହୋଲଡର ସର୍ବାଧିକ ୩୮ ରନ କରିଛନ୍ତି। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ।

Related Articles

Back to top button