ଭାରତରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟକୁ ନେଇ ସତର୍କ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଭାରତରେ ମିଳିଥିବା କରୋନା ଭାଇରସର ନୂଆ ସବ୍‌ଭାରିଏଣ୍ଟ ବିଏଫ.୭କୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଲର୍ଟ ଜାରି କରିଛନ୍ତି। ଦେଶରେ ଓମିକ୍ରନର ଏହି ସବ୍‌ଭାରିଏଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଯେଉଁଥିରେ ଇନସାକଗ୍, ଡିବିଟି ଓଏନଟିଏଜିଆଇର ଅଧିକାରୀମାନେ ଯୋଗ ଦେଇଥିଲେ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୋଭିଡର ଏହି ଉଚ୍ଚ ସଂକ୍ରାମକ ମନେ କରାଯାଉଥିବା ନୂଆ ସବ୍‌ଭାରିଏଣ୍ଟ ବିଏଫ.୭କୁ ନଜରରେ ରଖି ଦୀପାବଳି ସମେତ ଆଗାମୀ ଉତ୍ସବମାନଙ୍କରେ କରୋନାକୁ ନେଇ ଜରୁରି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଚୀନରେ ସଂକ୍ରମଣ କରୁଥିବା ଓମିକ୍ରନର ସବ୍‌ଭାରିଏଣ୍ଟ ବିଏଫ.୭ ଭାରତରେ ମଧ୍ୟ ମିଳିଥିବାର ପୁଷ୍ଟି ହୋଇଛି। ଏଣୁ ଦେଶରେ କୋଭିଡ କେସ୍ ପୁଣି ବଢିବାର ଆଶଙ୍କା ଦେଖା ଦେଇଛି। ଏହିଆଶଙ୍କାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ।

ମହାରାଷ୍ଟ୍ରରେ ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କରୋନା ଭାଇରସ ସଂକ୍ରମଣରେ ୧୭.୭ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି। ଏହାର ଯାଞ୍ଚ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଂକ୍ରମଣ ବଢିବାରେ ଓମିକ୍ରନର ବିଏଫ.୭ ଓ ଏକ୍ସବିବି ଦାୟିବୋଲି ଜାଣିବାକୁ ପାଇଛନ୍ତି। ଏହି ଭାରିଏଣ୍ଟ ଭାରତରେ ପ୍ରଥମ ଥର ମିଳିଛି। ଯାହା ଉତ୍ସବ ଋତୁରେ ତୀବ୍ର ବ୍ୟାପିବାର ଆଶଙ୍କା କରାଯାଉଛି। ଏଣୁ ଫ୍ଲୁ ଭଳି ଲକ୍ଷଣ ଦେଖା ଗଲେ ଏହାକୁ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ସେହିପରି ସମସ୍ତଙ୍କୁ କୋଭିଡ ଅନୁରୂପ ବ୍ୟବହାର କରିବା ଲାଗି ମଧ୍ୟ କୁହାଯାଇଛି।

Related Articles

Back to top button