କୃଷକଙ୍କ ପାଇଁ ‘ଏକ ଦେଶ ଏକ ସାର’ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ନୂଆଦିଲ୍ଲୀର ପୁସାସ୍ଥିତ ମେଳା ପଡିଆ, ଆଇଏଆର୍‌ଆଇରେ କିଷାନ ସମ୍ମାନ ସମ୍ମିଳନୀ- ୨୦୨୨ ଦୁଇ ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହା ବ୍ୟତୀତ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରଣାଳୟର ୬୦୦ ପିଏମ୍ କିଷାନ ସମୃଦ୍ଧି କେନ୍ଦ୍ରଗୁଡିକର ମଧ୍ୟ ଉଦ୍‌ଘାଟିତ ହୋଇଛି। ଏହା ଭାରତ ୟୁରିଆ ବ୍ୟାଗ୍‌, ସାର କ୍ଷେତ୍ରରେ ସବୁଠାରୁ ବଡ ପଦକ୍ଷେପ। କୃଷକ ମାନଙ୍କ ନିମନ୍ତେ ‘ଏକ ଦେଶ ଏକ ସାର’ ଯୋଜନାର ଶୁଭାରମ୍ଭ ହୋଇଛି। ଭାରତ ବ୍ରାଣ୍ଡର ୟୁରିଆ ଦେଶର କୃଷକ ପାଇଁ ଉପଲବ୍ଧ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତ ୟୁରିଆ ବ୍ୟାଗର ବିମୋଚନ କରିଥିଲେ। ପ୍ରଧାନମନ୍ତ୍ରୀ କୃଷି ଷ୍ଟାର୍ଟ ଅପ୍ କନ୍‌କ୍ଲେଭ୍ ଏବଂ ପ୍ରଦର୍ଶନୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହା ବ୍ୟତୀତ ପିଏମ କିଷାନ ଯୋଜନାରେ ୧୨ କୋଟି କୃଷକଙ୍କୁ ଦ୍ବାଦଶ କିସ୍ତିରେ ୧୬ ହଜାର କୋଟି ଟଙ୍କା ଡିବିଟିରେ ହସ୍ତାନ୍ତର କରିଛନ୍ତି।
କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, ତାଙ୍କ ମନ୍ତ୍ରଣାଳୟ ଓ ରସାୟନ ଓ ସାର ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ ‘ପିଏମ୍ କିଷାନ ସମ୍ମାନ ସମ୍ମିଳନୀ – ୨୦୨୨’ ମାଧ୍ୟମରେ ପ୍ରଧାନମନ୍ତ୍ରୀ କୃଷକମାନଙ୍କୁ ଏବଂ କୃଷି ଷ୍ଟାର୍ଟଅପ୍‌, ଗବେଷକ, ନୀତି ନିର୍ମାତା, ବ୍ୟାଙ୍କ ଓ ଅନ୍ୟ
ହିତାଧିକାରୀମାନଙ୍କୁ ସମ୍ବୋଧିତ କରାଯାଇଛି। ଶ୍ରୀ ତୋମାର କହିଥିଲେ, ଏହି ଆୟୋଜନ ସାରା ଦେଶର ୧୩,୫୦୦ରୁ ଅଧିକ କୃଷକଙ୍କୁ ଓ ୧୫୦୦ କୃଷି ଷ୍ଟାର୍ଟଅପ୍‌କୁ ଗୋଟିଏ ମଞ୍ଚକୁ ଆଣିବ। ଏହି କାର୍ଯ୍ୟକ୍ରମରେ ୧ କୋଟିରୁ ଅଧିକ କୃଷକ ଆଭାସୀ ମାଧ୍ୟମରେ ଅଂଶ ଗ୍ରହଣ କରିଛନ୍ତି। ୭୦୦ କୃଷି ବିଜ୍ଞାନ କେନ୍ଦ୍ର, ୭୫ଟି ଆଇସିଏଆର୍ ସଂସ୍ଥା, ୭୫ ଟି ରାଜ୍ୟ କୃଷି ବିଶ୍ୱ ବିଦ୍ୟାଳୟ, ୬୦୦ ପିଏମ୍ କିଷାନ କେନ୍ଦ୍ର, ୫୦,୦୦୦ ପ୍ରାଥମିକ କୃଷି ସମବାୟ ସମିତି ଏବଂ ୨ ଲକ୍ଷ ସାମୁଦାୟିକ ସେବା କେନ୍ଦ୍ର (ସିଏମ୍‌ସି) ଭଳି ବିଭିନ୍ନ ସଂସ୍ଥା ମଧ୍ୟ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ସାମିଲ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟର ପିଏମ କିଷାନ ଯୋଜନା ଅଧୀନରେ କୃଷକ ମାନଙ୍କୁ ୧୬,୦୦୦ କୋଟି ଟଙ୍କାର ଦ୍ୱାଦଶ କିସ୍ତି ପ୍ରଦାନ କରିଛନ୍ତି। ଏହି ଯୋଜନା ଅନୁସାରେ ହିତାଧିକାରୀ କୃଷକ ପରିବାର ମାନଙ୍କୁ ପ୍ରତ୍ୟେକ ଚାରି ମାସର ବ୍ୟବଧାନରେ ୨,୦୦୦ ଟଙ୍କାର ତିନିଟି ସମାନ କିସ୍ତିରେ ପ୍ରତି ବର୍ଷ ୬,୦୦୦ଟଙ୍କା ଲାଭ ପ୍ରଦାନ କରାଯାଇଥାଏ। ଏ ପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ଉପଯୁକ୍ତ କୃଷକ ପରିବାରଗୁଡିକୁ ୧୧ଟି କିସ୍ତିରେ ୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଅର୍ଥ ମିଳିସାରିଛି । ଏଥିରେ ୧.୬ ଲକ୍ଷ କୋଟି ଟଙ୍କା କୋଭିଡ୍ ମହାମାରୀ ସମୟରେ ହସ୍ତାନ୍ତରିତ କରାଯାଇଛି।
ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ କୃଷି ଷ୍ଟାର୍ଟଅପ୍ କନକ୍ଲେଭ୍ ଏବଂ ପ୍ରଦର୍ଶନୀର ଉଦ୍‌ଘାଟନ କରିଛନ୍ତି। ପାଖାପାଖି ୩୦୦ ଷ୍ଟାର୍ଟଅପ୍ ପ୍ରଥମ ଦିନ ସୁବ୍ୟବସ୍ଥିତ ଚାଷ, ଫସଲ ଅମଳ ହେବା ପରର ଏବଂ ମୂଲ୍ୟବୃଦ୍ଧି ସମସ୍ୟାର ସମାଧାନ, ସମ୍ବନ୍ଧିତ କୃଷି କ୍ଷେତ୍ର, ବର୍ଜ୍ୟରୁ ସମ୍ପଦ, କ୍ଷୁଦ୍ର କୃଷକ ମାନଙ୍କ ନିମନ୍ତେ ଯାନ୍ତ୍ରିକୀକରଣ, ଯୋଗାଣ ଶୃଙ୍ଖଳା ପରିଚାଳନା ଏବଂ କୃଷି ଯୋଗାଯୋଗ ପରିତନ୍ତ୍ର ସହିତ ସମ୍ବନ୍ଧିତ ନିଜର ସୃଜନଶୀଳତାକୁ ପ୍ରଦର୍ଶନ କରିବେ। ଏହି ସମ୍ମିଳନୀରେ ପ୍ରାୟ ୧୫୦୦ ଷ୍ଟାର୍ଟଅପ୍ ଅଂଶ ଗ୍ରହଣ କରୁଛନ୍ତି। ରସାୟନ ଓ ସାର ମନ୍ତ୍ରଣାଳୟ ରାଷ୍ଟ୍ର ମନ୍ତ୍ରୀ ଭଗୱନ୍ତ ଖୁବା, କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାଶ ଚୌଧରୀ ଏବଂ ସୁଶ୍ରୀ ଶୋଭା କାରନ୍ଦଲାଜେ ପ୍ରମୁଖ ଏହି ଉଦ୍‌ଘାଟନୀ ସମାରୋହରେ ଉପସ୍ଥିତ ଥିଲେ।

Related Articles

Back to top button