ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କଲେ ଶ୍ରୀଜଗନ୍ନାଥ ସାଂସ୍କୃତିକ ପରିଷଦର ୯୦ ଜଣ ସଦସ୍ୟ

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ନିମନ୍ତେ ଶ୍ରୀଜଗନ୍ନାଥ ସାଂସ୍କୃତିକ ପରିଷଦର ସଭାପତି ଶ୍ରୀମତୀ ସଞ୍ଚିତା ମହାନ୍ତିଙ୍କ ଶୁଭେଚ୍ଛା ନେଇ ଅନୁଷ୍ଠାନର ପଖାପାଖି ୯୦ ଜଣ ସଦସ୍ୟ ସୁବର୍ଣ୍ଣପୁରରେ ଥିବା ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଲୀଳାକ୍ଷେତ୍ର ବିଷୟରେ ଭଲ ଭାବେ ଲୋକମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟ ନେଇ ଏହି ଯାତ୍ରା ଆୟୋଜିତ ହୋଇଛି।

କଳିଯୁଗରେ ଆରାଧ୍ୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ଘେନି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇର ଘଞ୍ଚ ସବୁଜ ଅରଣ୍ୟାନୀ ସୁଶୋଭିତ ତ୍ରିକୂଟ ପର୍ବତରେ ୧୪୪ ବର୍ଷ ପାତାଳୀ ହୋଇ ରହି ଥିଲେ, ଯାହାକି ମହାପ୍ରଭୁଙ୍କର ‘ପାତାଳୀ ଲୀଳା’ ଭାବରେ ସୁପରିଚିତ। ଗବେଷକ ମାନଙ୍କ ମତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଶ୍ରୀମନ୍ଦିର ଉପରେ ପ୍ରାୟ ଅଠର ଥର ଆକ୍ରମଣ ହୋଇଥିଲା ଏବଂ ତତ୍କାଳୀନ ଗଜପତି ରାଜା ମାନେ ଶ୍ରୀ ଜୀଉଙ୍କ ବିଗ୍ରହ ମାନଙ୍କୁ ସୁରକ୍ଷା ପ୍ରଦାନ ନିମନ୍ତେ ୨୨ ଥର ରତ୍ନସିଂହାସନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲେ।

ଅନୁଷ୍ଠାନର ସମସ୍ତ ଭକ୍ତମାନେ ଏହି ପାତାଳୀ ଶ୍ରୀକ୍ଷେତ୍ର ପରିଦର୍ଶନ କରି ବହୁ ଆନନ୍ଦିତ ହୋଇଛନ୍ତି। ସୁବର୍ଣ୍ଣପୁର ଚେତନା କେନ୍ଦ୍ରର ଶ୍ରୀଗଙ୍ଗାଧର ବେହେରା, ଶ୍ରୀ ଚାପଧାରୀ ହୋତା ଓ ଅନ୍ୟାନ୍ୟ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ। ସୁବର୍ଣ୍ଣପୁରର ବିନିକା ଠାରେ ଥିବା ଜଗନ୍ନାଥ ମନ୍ଦିର, ଦୂର୍ଗା ମନ୍ଦିର, ପାପକ୍ଷୟ ଘାଟ ଓ ମା ସୁରେଶ୍ଵରି ଙ୍କ ଦର୍ଶନ କରିଥିଲେ। ବିନିକା ଠାରେ ଗ୍ରାମବାସୀ ମାନେ ବହୁ ସଂଖ୍ୟାରେ ଘଣ୍ଟ, ଝାଞ୍ଜ ଓ ବାଜା ବଜାଇ ଜୟ ଶ୍ରୀଜଗନ୍ନାଥ ଉଚ୍ଚାରଣ କରି ପଟୁଆରରେ ସମସ୍ତଙ୍କୁ ନେଇଥିଲେ। ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ରବିନାରାୟଣ ମହାପାତ୍ର, ବାଳକୃଷ୍ଣ ପଣ୍ଡା,ଅଜୟ ହରିଚନ୍ଦନ, ସୁରେଶ କୁମାର ମିଶ୍ର, ଗୌରାଙ୍ଗ ନାୟକ, ମନୋରଞ୍ଜନ ମହାନ୍ତି, ଗିରିଜା ଶଙ୍କର ମହାପାତ୍ର, ବଂଶୀଧର ନାୟକ, ଅକ୍ଷୟ ସାହୁ, ଡ ରାମଚନ୍ଦ୍ର ମିଶ୍ର, କୃଷ୍ଣଚନ୍ଦ୍ର ପତି, ଡ ବିଜୟ ଲକ୍ଷ୍ମୀ ପଟ୍ଟନାୟକ, ଅନାମିକା ସ୍ଵାଇଁ ପ୍ରମୁଖ, ବହୁ ବରିଷ୍ଠ ଆଜୀବନ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଅନୁଷ୍ଠାନର ସଂପାଦକ ଶ୍ରୀ ନାରାୟଣ ଚନ୍ଦ୍ର ମହାପାତ୍ର କୁହନ୍ତି ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଆହୁରି ବ୍ୟାପକ ଭାବରେ ଚାଲୁରହିଵ।

Related Articles

Back to top button