ବୋମା ବିସ୍ଫୋରଣରେ ୩ ଆଦିବାସୀ ନାବାଳିକା ଗୁରୁତର ହେବା ଘଟଣା: ଭଦ୍ରକ ଜିଲାପାଳ,ଏସ୍‌ପିଙ୍କୁ ଏନ୍‌ସିଏସ୍‌ଟିଙ୍କ ସମନ

ଭଦ୍ରକ: ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ପଞ୍ଚାୟତ ତ୍ରିକୋଣା ଛକ ନିକଟରେ ଗତ ମାର୍ଚ୍ଚ ୨୮ ତାରିଖରେ ଅଫୁଟା ବୋମା ବିସ୍ଫୋରଣରେ ୩ ଆଦିବାସୀ ନାବାଳିକା ଗୁରୁତର ହୋଇଥିଲେ। ଏହି ଘଟଣାରେ ଜାତୀୟ ଜନଜାତି ଆୟୋଗ (ଏନ୍‌ସିଏସ୍‌ଟି) ଭଦ୍ରକ ଜିଲାପାଳ ଓ ଏସ୍‌ପିଙ୍କୁ ସମନ ଜାରି କରିଛି। ଆସନ୍ତା ୨୦ ତାରିଖ ଅର୍ଥାତ୍‌ ଗୁରୁବାର ଅପରାହ୍ନ ୪.୩୦ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସମନରେ ଉଲ୍ଲେଖ ରହିଛି। ଏହି ବୋମା ବିସ୍ଫୋରଣ ଘଟଣାକୁ ନେଇ ମାନବାଧିକାର କର୍ମୀ ତଥା ସୁପ୍ରିମ କୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ପିଟିଶନ ଦାଏର କରିଥିଲେ। ବୋମା ବିସ୍ଫୋରଣରେ ଆହତ ୩ ଗରିବ ଆଦିବାସୀ ନାବାଳିକାଙ୍କୁ ଅନୁକମ୍ପା ରାଶି ପ୍ରଦାନ, ମାଗଣା ଚିକିତ୍ସା ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନରେ ଅବହେଳା ନେଇ ପିଟିଶନରେ ଉଲ୍ଲେଖ କରିଥିଲେ।

ଗତ ମାର୍ଚ୍ଚ ୨୮ ତାରିଖରେ ବନ୍ତ ବ୍ଲକ ଅଧୀନ ଦେବତାଗଡ଼ିଆ ଗ୍ରାମର ପୂଜା ହଁାସଦା, ବାସନ୍ତୀ ହଁାସଦା ଓ ସବିତା ମୁର୍ମୁ ତ୍ରିକୋଣା ଛକ ନିକଟସ୍ଥ ଏକ ପୋଖରୀ ହୁଡ଼ାରେ ଥିବା ବୁଦା ଭିତରେ ପ୍ଲାଷ୍ଟିକ ବ୍ୟାଗ ଦେଖିବାକୁ ପାଇଥିଲେ। ଉକ୍ତ ବ୍ୟାଗରେ କ’ଣ ଅଛି ଖୋଲି ଦେଖିବା ବେଳେ ସେଥିରେ ଥିବା ୩ ଟି ଅଫୁଟା ବୋମା ମଧ୍ୟରୁ ଗୋଟିଏ ବିସ୍ଫୋରଣ ହୋଇଯାଇଥିଲା। ଏହି ବିସ୍ଫୋରଣରେ ୩ ଜଣ ଗୁରୁତର ଭାବେ ଆହତ ହୋଇଥିଲେ।

Related Articles

Back to top button