୨ ଥର ଟାଇଟଲ ଜିତିଥିବା ୱେଷ୍ଟଇଣ୍ଡିଜ୍ ଟିମ୍‌ ଟି୨୦ ବିଶ୍ୱକପ୍‌ରୁ ଆଉଟ୍‌, ସୁପର-୧୨ରେ ଆୟରଲ୍ୟାଣ୍ଡ

ହୋବାର୍ଟ: ଟି-୨୦ ୱାର୍ଲଡ କପ୍‌ ୨୦୨୨ରେ ଏକ ବଡ ଧରଣର ପରିବର୍ତ୍ତନ ଦେଖାଯାଇଛି। ୨ ଥର ଟାଇଟଲ ଜିତିସାରିଥିବା ୱେଷ୍ଟଇଣ୍ଡିଜ୍ ଟିମ୍‌ କ୍ୱାଲିଫାଇଂ ରାଉଣ୍ଡରେ ବାହାରିଯାଇଛି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ର ଆୟରଲ୍ୟାଣ୍ଡ ବିରୋଧରେ କର ଅବା ମର ମୁକାବିଲାଥିଲା। ଏଥିରେ ୱେଷ୍ଟ ଇଣ୍ଡିଜ୍‌କୁ ୯ ୱିକେଟ୍‌ରେ ଲଜ୍ଜାଜନକ ପରାଜୟ ମିଳିଛି। ଏଥର ଟି-୨୦ ୱାର୍ଲଡ କପ୍‌ରେ ୱେଷ୍ଟଇଣ୍ଡିଜର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ କ୍ୱାଲିଫାଇଙ୍ଗ ରାଉଣ୍ଡର ପ୍ରଥମ ମ୍ୟାଚ୍‌ରେ ସ୍କଟଲ୍ୟାଣ୍ଡ ଠାରୁ ୪୨ ରନରେ ପରାସ୍ତ ହୋଇଥିଲା।

ତେବେ ଦ୍ୱିତୀୟ ମ୍ୟାଚ୍‌ରେ ଜିମ୍ବାୱେକୁ ହରାଇ ପରିସ୍ଥିତିକୁ ୱେଷ୍ଟଇଣ୍ଡିଜ ସମ୍ଭାଳି ନେଇଥିଲା। ଏଣୁ ଆୟରଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍‌ଟି ୱେଷ୍ଟଇଣ୍ଡିଜ୍ ଲାଗି କର ଅବା ମର ମ୍ୟାଚ୍‌ ଥିଲା। ଏହି ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂରେ ବିଫଳ ହୋଇଛି। ଏଣୁ ଟିମ୍‌ ଫ୍ଲପ୍ ହୋଇଥିବା ବେଳେ ୯ ୱିକେଟ୍‌ ରେ ମ୍ୟାଚ୍‌ ହାରି ସୁପର-୧୨ରେ ପହଞ୍ଚିବାର ସୁଯୋଗ ମଧ୍ୟ ହରାଇଛି। ଟି-୨୦ୱାର୍ଲଡ କପ୍‌ର ଏହି ମ୍ୟାଚ୍‌ରୁ ୱେଷ୍ଟଇଣ୍ଡିଜ୍ ଟିମ୍‌ର ଯାତ୍ରା ସମାପ୍ତ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଟସ୍ ଜିତି ୱେଷ୍ଟଇଣ୍ଡିଜ କ୍ୟାପ୍ଟେନ ନିକୋଲସ୍ ପୁରନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ତାଙ୍କ ଲାଗି ଭୁଲ ନିଷ୍ପତ୍ତି ସାବ୍ୟସ୍ତ ହୋଇଛି। ଟିମ୍ ୨୭ ରନ୍‌ରେ ୨ଟି ୱିକେଟ୍ ହରାଇଥିଲା। ତେବେ ବ୍ରେଣ୍ଡନ କିଙ୍ଗ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ। ସେ ୪୮ ବଲରେ ୬୨ ରନର ଇନିଂସ ଖେଳିଛନ୍ତି। ତେବେ ତାଙ୍କ ପରେ ଅନ୍ୟ ବ୍ୟାଟସ୍‌ମ୍ୟାନମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏଣୁ ୱେଷ୍ଟଇଣ୍ଡିଜ୍ ଟିମ୍‌ ୨୦ ଓଭରରେ ୫ ୱିକେଟ୍ ବିନିମୟରେ ୧୪୬ ରନ କରିପାରିଥିଲା।

ଆୟରଲ୍ୟାଣ୍ଡ ଲାଗି ଲେଗ୍‌ସ୍ପିନର ତଥା ଅଲରାଉଣ୍ଡର ଗେରେଥ ଡେଲେନି ଉଲ୍ଲେଖନୀୟ ବୋଲିଂ କରିଛନ୍ତି। ସେ ୱେଷ୍ଟଇଣ୍ଡିଜର ୩ ବ୍ୟାଟସ୍‌ମ୍ୟାନଙ୍କୁ ତାଙ୍କ ସ୍ପିନର ଶିକାର କରିଥିଲେ। ଗେରେଥ ୪ ଓଭରରେ ୧୬ ରନ ଦେଇ ୩ଟି ୱିକେଟ୍ ପାଇଛନ୍ତି। ସେ କ୍ୟପ୍ଟେନ ପୁରନ, ରୋଭମେନ ପାୱେଲ ଓ ଇଭିନ ଲୁଇସ୍ ଭଳି ବିପଦଜନକ ବ୍ୟାଟସ୍‌ମ୍ୟାନଙ୍କୁ ତାଙ୍କର ଶିକାର ବନେଇଛନ୍ତି।

ଅପରପଟେ ୧୪୭ ରନର ବିଜୟ ଲକ୍ଷ ନେଇ ଆୟରଲ୍ୟାଣ୍ଡ ଟିମ୍‌ ଧମକାଦାର ଇନିଂସ ଆରମ୍ଭ କରିଥିଲା। ୱେଷ୍ଟଇଣ୍ଡିଜ୍ ବୋଲରମାନେ ଆଇରିସ୍‌ ବ୍ୟାଟସ୍‌ମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲେ। ଆୟରଲ୍ୟାଣ୍ଡ କ୍ୟାପ୍ଚେନ ଏଣ୍ଡି ବାଲବିର୍ଣ୍ଣି୨୩ ବଲରେ ୩୭ ରନ କରି ଆଉଟ୍ ହୋଇଥିଲେ। ତେବେ ପଲ ଷ୍ଟର୍ଲିଂ ୪୮ ବଲରେ ୬୬ ରନ୍ ଓ ଲୋର୍କନ ଟକର ୩୫ ବଲରେ ୪୫ ରନ କରି ନଟଆଉଟ୍ ରହିଛନ୍ତି। ଉଭୟ ୧୭.୩ ଓଭରରେ ଟିମ୍‌କୁ ଜିତାଇ ଦେଇଛନ୍ତି।

Related Articles

Back to top button