ଆସନ୍ତା ଦେଢ ବର୍ଷରେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଆସନ୍ତା ଦେଢ ବର୍ଷରେ ; ଅର୍ଥାତ୍‌ ଡିସେମ୍ବର ୨୦୨୩ ମଧ୍ୟରେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଆସନ୍ତାକାଲି ଅର୍ଥାତ ଧନତେରାସ ଦିନ(୨୨ ତାରିଖ)ରେ ଏହି ମେଗା ରୋଜଗାର ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏହି ଦିନ ୭୫ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯିବ । ଏହି ଦିନ ପ୍ରଧାନମନ୍ତ୍ରୀ ନିଯୁକ୍ତି ପାଉଥିବା ଯୁବକଙ୍କ ସହ ବାର୍ତ୍ତାଳାପ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ସୂତ୍ରରୁ ପ୍ରକାଶ । ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ଜୁନ୍‌ରେ ୩୮ ମନ୍ତ୍ରଣାଳୟର କାର୍ଯ୍ୟପ୍ରଣାଳୀ ସମୀକ୍ଷା କରିଥିଲେ। ଏହା ପରେ ତାଙ୍କ ସରକାର ଆସନ୍ତା ଦେଢ ବର୍ଷ ମଧ୍ୟରେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବ ବୋଲି ମୋଦୀ ଘୋଷଣା କରିଛନ୍ତି। ଏହି ସବୁ ନିଯୁକ୍ତି ୟୁପିଏସସି, ଏସଏସସି, ରେଳବାଇ ଭର୍ତ୍ତି ବୋର୍ଡ ଓ ଅନ୍ୟ କେନ୍ଦ୍ରୀୟ ନିଯୁକ୍ତି ସଂସ୍ଥା ମାଧ୍ୟମରେ ହେବ। ପିଏମଓ ସୂତ୍ରରୁ ପ୍ରକାଶ; ଏହି ୧୦ ଲକ୍ଷ ନିଯୁକ୍ତି କେନ୍ଦ୍ର ସରକାରଙ୍କ ୩୮ ବିଭାଗ/ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଇ ଦିଆଯିବ। ଏବେ ଗ୍ରୁପ ଏ (ଗେଜେଟେଡ) ବିଭାଗରେ ୨୩,୫୮୪, ଗ୍ରୁପ ବି (ଗେଜେଟେଡ) ୨୬,୨୮୨ ଓ ଗ୍ରୁପ ସି (ନନ ଗେଜେଟେଡ) ବିଭାଗରେ ୮.୩୬ ଲକ୍ଷ ପଦ ଖାଲି ପଡ଼ିଛି। କେବଳ ପ୍ରତିରକ୍ଷା ମନ୍ତ୍ରଣାଳୟ ଗ୍ରୁପ ବି (ନନ ଗେଜେଟେଡ) ୩୯,୩୬୬, ଓ ଗ୍ରୁପ ସିରେ ୨.୧୪ ଲକ୍ଷ ପଦ ଖାଲି ଅଛି। ରେଳବାଇର ଗ୍ରୁପ ସିରେ ୨.୯୧ ଲକ୍ଷ ଓ ଗୃହ ମନ୍ତ୍ରଣାଳୟ ଗ୍ରୁପ ସିରେ ୧.୨୧ ଲକ୍ଷ ପଦ ଖାଲି ପଡ଼ିଛି। ପ୍ରଧାନମନ୍ତ୍ରୀଙ୍କ ଏହି ମେଗା ରୋଜଗାର ମେଳାରେ ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ଡାକ ବିଭାଗ, ଗୃହ ମନ୍ତ୍ରଣାଳୟ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ, କେନ୍ଦ୍ର ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସଏଫ), କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ସୀମା ଶୁଳ୍କ ଓ ବ୍ୟାଙ୍କଂି, ସଶସ୍ତ୍ର ବଳ, ସବ ଇନସପେକ୍ଟର, କନଷ୍ଟେବଳ, ଏଲଡିସି, ଷ୍ଟେନୋ, ପିଏ, ଓ ଆୟକର ବିଭାଗ ଇନ୍ସପେକ୍ଟର ସମେତ ୩୮ ବିଭାଗରେ ଯୁବକମାନଙ୍କୁ ନିଯୁକ୍ତି ଦିଆଯିବ। ଧନତେରାସ ଦିନ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମସ୍ତ କେନ୍ଦ୍ର ମନ୍ତ୍ରୀ ଯୋଗଦେବେ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(ଓଡ଼ିଶା), ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ (ଗୁଜରାଟ), ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ (ମହାରାଷ୍ଟ୍ର), ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ (ରାଜସ୍ଥାନ), ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (ତାମିଲନାଡ଼ୁ), ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ (ଉତ୍ତରପ୍ରଦେଶ), ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା (ଝାଡ଼ଖଣ୍ଡ) ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ (ବିହାର) ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଗତ ବର୍ଷ କେନ୍ଦ୍ରୀୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସଂସଦରେ କହିଥିଲେ; ମାର୍ଚ୍ଚ ପହିଲା ସୁଦ୍ଧା କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ୮.୭୨ ଲକ୍ଷ ପଦ ଖାଲି ପଡ଼ିଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ସମୁଦାୟ ୪୦ ଲକ୍ଷ ୪ ହଜାର ପଦ ରହିଛି। ଏଥିରୁ ୩୧ ଲକ୍ଷ ୩୨ ହଜାର ପଦ ପୂରଣ ହୋଇଥିଲା।

Related Articles

Back to top button