ବିଶ୍ୱକପ୍‌ ଓ ଅଲିମ୍ପିକ ଗେମ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ବିଜେତା

ନୂଆଦିଲ୍ଲୀ: ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ୨୦୨୩-୨୪ ସିଜନରେ ଉଭୟ ପୁରୁଷ ଓ ମହିଳା କାଟେଗୋରି ବିଜେତା ୨୦୨୬ ବିଶ୍ୱକପ୍‌ ଓ ୨୦୨୮ ଅଲିମ୍ପିକ ଗେମ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବେ। ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସିଇଓ ଥିଏରୀ ଓ୍ବିଲ ଶୁକ୍ରବାର ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଏଫ୍‌ଆଇଏଚ୍‌ ସିଜନ ୨୦୨୨-୨୩ରୁ ପ୍ରୋ-ଲିଗ୍‌ରେ ବ୍ୟାପକ ପରିବର୍ତ୍ତନ ଆଣିବା ଲାଗି ଯୋଜନା କରାଯାଇଛି। ରିଲିଗେଶନ ଓ ପ୍ରମୋଶନ ବ୍ୟବସ୍ଥା ପ୍ରଚଳନ କରାଯିବ। ପୁରୁଷ ଓ ମହିଳା ପ୍ରତିଯୋଗିତା ସିଜନ ଶେଷରେ ଅନ୍ତିମ ସ୍ଥାନ ଅଧିକାର କରିଥିବା ଦଳ ନିମ୍ନ ପାହ୍ୟାକୁ ଖସି ନେଶନ୍ସ କପ୍‌ ଖେଳିବେ। ନେଶନ୍ସ କପ୍‌ ବିଜେତା ପ୍ରୋ-ଲିଗ୍‌କୁ ଉନ୍ନୀତ ହେବେ। ପ୍ରୋଲିଗ୍‌ର ୪ର୍ଥ ସଂସ୍କରଣ କ୍ଷୁଦ୍ର କରିଦିଆଯିବ। ଏହା ଅକ୍ଟୋବର ୨୮ରୁ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ। ସେଦିନ ଆୟୋଜନ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ। କୋଭିଡ୍‌ ଜନିତ ଗମନାଗମନ କଟକଣା ଯୋଗୁ ନ୍ୟୁଜିଲାଣ୍ଡ ହକି ଦଳର ଏକ ବର୍ଷ ପରେ ପ୍ରୋ-ଲିଗ୍‌କୁ ଫେରିଛି। ଭାରତ ଓ ନ୍ୟୁଜିଲାଣ୍ଡ ବ୍ୟତୀତ ଏହି ଗ୍ରୁପ୍‌ରେ ତୃତୀୟ ଦଳ ସ୍ପେନ ରହିଛି।

Related Articles

Back to top button