ବାଂଲାଦେଶ ମୁହାଁ ବାତ୍ୟା ’ସିତ୍ରାଙ୍ଗ’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ପରବର୍ତ୍ତୀ ସମୟରେ ଏହା ବାତ୍ୟା ‘ସିତ୍ରାଙ୍ଗ’ରେ ପରିଣତ ହୋଇଛି। ଏହି ବାତ୍ୟା ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ  ଉତ୍ତରପୂର୍ବ ଦିଗ ଆଡକୁ ଗତି କରୁଛି। ରିପୋର୍ଟ ଲେଖାହେବା ସୁଦ୍ଧା ବାତ୍ୟାର ବେଗ ଘଣ୍ଟାପ୍ରତି ୧୨ କିଲୋମିଟର ଥିଲା। ସମୟ ଅନୁସାରେ ଏହା ପରିବର୍ତ୍ତନଶୀଳ।

ସମୁଦ୍ର ମଧ୍ୟରେ ପବନର ବେଗ ବର୍ତ୍ତମାନ ୭୦ କି.ମି ରୁ ୮୦ କି.ମି ଏବଂ ସର୍ବାଧିକ ପବନ ୯୦କି.ମି ରହିଥିବା ବେଳେ ବାତ୍ୟା ଭୀଷଣ ବତ୍ୟାର ରୂପ ନେଲେ ସେହି ସମୟରେ ପବନର ବେଗ ୯୦ କି.ମି ରୁ ୧୦୦ କି.ମି ଏବଂ ସର୍ବାଧିକ ପବନ ୧୧୦ କି.ମି ରହିବାର ସମ୍ଭାବନା ରହିଛି।

ବର୍ତ୍ତମାନ ଏହା ସାଗର ଦ୍ଵୀପପୁଞ୍ଜ ଠାରୁ ଦକ୍ଷିଣ ଦିଗରେ ୪୩୦ କି.ମି. ଦୂରରେ ପୂର୍ବ-କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି। ବର୍ତ୍ତମାନ ଓଡ଼ିଶା ଉପକୂଳରେ ପବନର ବେଗ ୪୫ ରୁ ୫୫ କି.ମି ଏବଂ ସର୍ବାଧିକ ପବନ ୬୫ କି.ମି ରହିଛି। ଓଡ଼ିଶା ଉପକୂଳରୁ ସମାନ୍ତରାଳ ଭାବେ ସମୁଦ୍ର ଭିତରେ ୨୦୦ରୁ ୨୫୦ କି.ମି ଦୂରରେ ରହିବ ବାତ୍ୟା ସିତ୍ରାଙ୍ଗ।

ଉତ୍ତର-ପୂର୍ବ ଦିଗରେ ଗତି କରୁଥିବା ଏହି ବାତ୍ୟା ଆସନ୍ତାକାଲି ବେଳକୁ ସାମୁଦ୍ରିକ ଝଡରେ ପରିଣତ ହେବ। ଏହାର ପ୍ରଭାବରେ ରାତିରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Related Articles

Back to top button