କାହିଁକି ହୋଇଥାଏ ସୂର୍ଯ୍ୟପରାଗ ?
ଆଜି ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ। ତେବେ ଏହି ସମୟରେ ପାକ ତ୍ୟାଗ ବିଧି ରହିଛି ।
ପୃଥିବୀ ସୌରଜଗତର ଏକ ଗ୍ରହ ଏବଂ ଚନ୍ଦ୍ର ପୃଥିବୀର ଏକ ଉପଗ୍ରହ ଅଟେ । ପୃଥିବୀ ତାର କକ୍ଷପଥ କ୍ରାନ୍ତିବୃତ୍ତରେ ସୂର୍ଯ୍ୟଙ୍କୁ ପରିକ୍ରମଣ କରିବା ସଂଗେ ସଂଗେ ନିଜର ଅକ୍ଷ ଚତୁଃପାଶ୍ୱର୍ରେ ଦୈନିକ ଆବର୍ତ୍ତନ କରିଥାଏ । ସେହିପରି ଚନ୍ଦ୍ର ତାର କକ୍ଷପଥରେ ପୃଥିବୀକୁ ପରିକ୍ରମଣ କରିବା ସଂଗେ ସଂଗେ ନିଜର ଅକ୍ଷ ଚତୁଃପାଶ୍ୱର୍ରେ ମାସିକ ଆବର୍ତ୍ତନ କରିଥାଏ । ଏହି କାରଣରୁ ଅମାବାସ୍ୟା ଦିନ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଏବଂ ପୂର୍ଣ୍ଣିମା ଦିନ ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟରେ ପୃଥିବୀ ରହିଯାଏ । ବେଳେବେଳେ ଅମାବାସ୍ୟା ଦିନ ଚନ୍ଦ୍ର-ସୂର୍ଯ୍ୟ-ପୃଥିବୀର କେନ୍ଦ୍ର ଏକ ସରଳରେଖାରେ ରହିଯାଏ । ସେଦିନ ଚନ୍ଦ୍ରଙ୍କର ଅବରୋଧ ହେତୁ ସୂର୍ଯ୍ୟକିରଣ ପୃଥିବୀର କିଛି ଅଂଶରେ ପଡ଼ିପାରେନା, ମାତ୍ର ଚନ୍ଦ୍ରର ଛାୟା ପଡ଼ିଥାଏ । ସେଦିନ ସୂର୍ଯ୍ୟୋପରାଗ କୁହାଯାଏ । ପୃଥିବୀର ଯେଉଁ ଅଂଶ ଚନ୍ଦ୍ରଙ୍କର ପୂର୍ଣ୍ଣ ଛାୟା ବା ପ୍ରଛାୟା ମଧ୍ୟରେ ରହେ ସେଠାରେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଏବଂ ପୃଥିବୀର ଯେଉଁ ଅଂଶ ଚନ୍ଦ୍ରର ଆଂଶିକ ଛାୟା ବା ଉପଛାୟା ମଧ୍ୟରେ ରହେ ସେଠାରେ ଆଂଶିକ ସୂର୍ଯ୍ୟୋପରାଗ ହୋଇଥାଏ । ଚନ୍ଦ୍ର ପୃଥିବୀ ଠାରୁ ବହୁତ ଛୋଟ ହୋଇଥିବାରୁ ପୂର୍ଣ୍ଣ ବା ଆଂଶିକ ପରାଗ ପୃଥିବୀର କିଛି ଅଙ୍ଗରେ ହୋଇଥାଏ । ବର୍ଷର ବିଭିନ୍ନ ସମୟରେ ଚନ୍ଦ୍ର-ପୃଥିବୀର ଦୂରତା ଭିନ୍ନ ଭିନ୍ନ ହୋଇଥିବାରୁ ଯେଉଁ ଅମାବାସ୍ୟା ଦିନ ଚନ୍ଦ୍ରଙ୍କ ଛାୟା ପୃଥିବୀ ଉପରେ ପଡ଼ିପାରେନାହିଁ ସେଦିନ ସୂର୍ଯ୍ୟୋପରାଗ ହୁଏନାହିଁ ।
ପୃଥିବୀ ଉପରେ ପଡ଼ୁଥିବା ସୌର ଓ ମହାଜାଗତିକ ରଶ୍ମି ସବୁ ପୃଥିବୀର କକ୍ଷପଥ ଦେଇ ପୃଥିବୀପୃଷ୍ଠକୁ ଆସେ । ସେହିପରି ଚନ୍ଦ୍ରପୃଷ୍ଠ ଉପରେ ପଡ଼ୁଥିବା ରଶ୍ମି ସବୁ ଚନ୍ଦ୍ରର କକ୍ଷପଥ ଦେଇ ଚନ୍ଦ୍ରପୃଷ୍ଠକୁ ଆସେ (ଏବଂ ସେଠାରୁ ପ୍ରତିଫଳିତ ହୋଇ ପୃଥିବୀପୃଷ୍ଠକୁ ଆସିଥାଏ) । ଅତଏବ ଚନ୍ଦ୍ର କକ୍ଷ ଓ ପୃଥିବୀ କକ୍ଷର କାଳ୍ପନିକ ଛେଦବିନ୍ଦୁ ଦ୍ୱୟଠାରେ ସେମାନଙ୍କ ଉପରେ ପଡ଼ୁଥିବା ସୌର ଓ ମହାଜାଗତିକ ରଶ୍ମି ପ୍ରଭାବ, ବିଦ୍ୟୁତ ଚୁମ୍ବକୀୟ ଓ ଅନ୍ୟାନ୍ୟ ଶକ୍ତିର ପ୍ରଭାବ ଅଧିକ ଥାଏ । ଏଥିପାଇଁ ଉଭୟଙ୍କ କକ୍ଷର ଛେଦବିନ୍ଦୁକୁ ରାହୁ/କେତୁ ନାମରେ ନାମିତ କରି ନବଗ୍ରହଙ୍କ ମଧ୍ୟରେ ସ୍ଥାନ ଦିଆଯାଇଛି । ଗଣିତ ଜ୍ୟୋତିଷ ମତରେ, ଯେଉଁ ଅମାବାସ୍ୟା ଦିନ ରାହୁ/କେତୁ ଓ ଚନ୍ଦ୍ରଙ୍କ ମଧ୍ୟରେ କୌଣିକ ଦୂରତା ଅଠର ଡିଗ୍ରୀରୁ କମ୍ ହେବ ସେଦିନ ହିଁ ସୂର୍ଯ୍ୟୋପରାଗ ହେବ । ରାହୁ କେତୁ ପରସ୍ପର ଠାରୁ ୧୮ଡିଗ୍ରୀ କୌଣିକ ଦୂରତାରେ ଅବସ୍ଥିତ ରହନ୍ତି । ଉତ୍ତରମୁଖୀ ଛେଦବିନ୍ଦୁକୁ ରାହୁ ଓ ଦକ୍ଷିଣମୁଖୀ ଛେଦବିନ୍ଦୁକୁ କେତୁ କୁହାଯାଏ । ଅମାବାସ୍ୟା ଦିନ ସୂର୍ଯ୍ୟ, ଚନ୍ଦ୍ର ଏକତ୍ର ଦୃଶ୍ୟ ହୁଅନ୍ତି ।
ସୂର୍ଯ୍ୟୋପରାଗ ଦିନ ସୂର୍ଯ୍ୟଙ୍କ ପାଖରେ ଥିବା ରାହୁ/କେତୁଙ୍କ ନାମରେ ସୂର୍ଯ୍ୟୋପରାଗ ନାମିତ କରାଯାଏ । ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ, ୨୫.୧୦.୨୦୨୨ ମଙ୍ଗଳବାର, କାର୍ତ୍ତିକ ଅମାବାସ୍ୟା ଦିନ କେତୁଗ୍ରସ୍ତ, ଆଂଶିକ (ଖଣ୍ଡଗ୍ରାସ), ଗ୍ରସ୍ତାସ୍ତ (ପରାଗ ଆରମ୍ଭ ପରେ ଏବଂ ପରାଗର ସର୍ବମୋକ୍ଷ ବା ଶେଷ ହେବା ପୂର୍ବରୁ ସୂର୍ଯ୍ୟାସ୍ତ ହେଉଥିବାରୁ ଏହି ସୂର୍ଯ୍ୟୋପରାଗକୁ ଗ୍ରସ୍ତାସ୍ତ ପରାଗ କୁହାଯାଏ) ସୂର୍ଯ୍ୟୋପରାଗ ହେବ । ଓଡ଼ିଶା, ଭାରତ, ମଧ୍ୟ-ଏସିଆ, ଉତ୍ତର-ପୂର୍ବ ଆଫ୍ରିକା, ୟୁରୋପ, ୟୁକ୍ରେନ ଓ ପଶ୍ଚିମ ରୁଷିଆ ଅଞ୍ଚଳରେ ପରାଗ ଦୃଶ୍ୟ ହେବ । ସାଧାରଣ ଆଲୋକ ରଶ୍ମି ଆମର ଶରୀର ମଧ୍ୟକୁ ଯାଇପାରେନା, ମାତ୍ର ଏକ୍ସ-ରେ ରଶ୍ମି ଯାଇପାରେ । ସେହିପରି ସୂର୍ଯ୍ୟୋପରାଗ ସମୟରେ ଚନ୍ଦ୍ରଙ୍କ ଅବରୋଧ ହେତୁ ହିତକାରୀ ରଶ୍ମି ସବୁ ପୃଥିବୀପୃଷ୍ଠକୁ ଆସିପାରେନା । ମାତ୍ର ଅହିତକାରୀ ଆଲଫା, ବିଟା, ଗାମା, ଇନଫ୍ରା, ଅଲଟ୍ରା ଭାୟୋଲେଟ ରଶ୍ମି ସବୁ ଚନ୍ଦ୍ରପୃଷ୍ଠ ଦେଇ ପୃଥିବୀପୃଷ୍ଠକୁ ଆସିଥାଏ । ଏସବୁ ଅଶୁଭ ରଶ୍ମି ବ୍ୟଷ୍ଟି ଓ ସମଷ୍ଟି ଜନଜୀବନ ତଥା ପାର୍ଥିବ ଘଟଣାବଳୀ ଉପରେ ସୁଦୂର ପ୍ରସାରୀ ପ୍ରଭାବ ପକାଇଥାଏ । କେବଳ ସୂର୍ଯ୍ୟଙ୍କର ହିତକାରୀ ରଶ୍ମି ପାଇଁ ଏକମାତ୍ର ପୃଥିବୀରେ ଜୀବଜଗତ ସମ୍ଭବ ହୋଇଥାଏ । ସୂର୍ଯ୍ୟ ଜୀବର ଆତ୍ମଶକ୍ତି ପ୍ରାଣଶକ୍ତି ବା ଜୀବନୀ ଶକ୍ତିର ମୁଖ୍ୟ କାରକ ।
ଋକ୍ ବେଦ ୧/୧୧୫/୧ କହେ ‘ସୂର୍ଯ୍ୟ ଆତ୍ମା ଜଗତସ୍ତସ୍ଥୁଷଶ୍ଚ’- ଜଗତର ସବୁ ଜୀବଙ୍କର ଆତ୍ମା ହେଉଛି ସୂର୍ଯ୍ୟ । ସୌରପନ୍ଥୀ ଓ ସଉରାମାନେ ସୂର୍ଯ୍ୟଙ୍କୁ ପରମାତ୍ମା ରୂପରେ ପୂଜା କରନ୍ତି । ତୈତରୀୟ ଉପନିଷଦ କହେ “ଆଦିତ୍ୟ ବୈ ପ୍ରାଣ, ରୟିଚନ୍ଦ୍ରମା” ଅର୍ଥାତ୍- ସୂର୍ଯ୍ୟ ଜୀବକୁ ଜୀବନୀ ଶକ୍ତି ଦିଅନ୍ତି ଓ ଚନ୍ଦ୍ର ଖାଦ୍ୟ ପାନୀୟ ସୁକୋମଳ ଜ୍ୟୋତ୍ସ୍ନା ଦ୍ୱାରା ଜୀବର ପାଳନ ପୋଷଣ ଓ ବର୍ଦ୍ଧନ କରନ୍ତି । ଏଥିରୁ ସ୍ପଷ୍ଟ ହୁଏ, ସୂର୍ଯ୍ୟୋପରାଗ ସମୟରେ ହିତକାରୀ ରଶ୍ମିର ଅଭାବ ଓ ଅହିତକାରୀ ରଶ୍ମିର ଆଧିକ୍ୟ ଦ୍ୱାରା ଜନଜୀବନ ଉପରେ ଖରାପ ପ୍ରଭାବ ପଡ଼େ । ସୂର୍ଯ୍ୟ ଉପନିଷଦ ମତରେ, ସୂର୍ଯ୍ୟଙ୍କ ଠାରୁ ଭୂମି, ଜଳ, ବାୟୁ, ଅଗ୍ନି, ଆକାଶ ଆଦି ପଞ୍ଚଭୂତରେ ଗଠିତ ସମସ୍ତ ଜୀବ ଶରୀର । ଜୀବଙ୍କର ମାର୍ଗଦର୍ଶକ ବେଦ ଏବଂ କଲ୍ୟାଣଦାତା ଦେବତାମାନେ ସୃଷ୍ଟି ହୋଇଛନ୍ତି ।
ସୂର୍ଯ୍ୟୋପରାଗ ସମୟରେ ଅଶୁଦ୍ଧ ଓ ଅହିତକାରୀ ସୂର୍ଯ୍ୟରଶ୍ମିରୁ ରକ୍ଷାପାଇବା ପାଇଁ ପରାଗର ବାର ଘଣ୍ଟା ପୂର୍ବ ଓ ପର ସମୟରେ ବେଦସମ୍ମତ ଦୈନନ୍ଦିନ ଓ ସାଂସ୍କୃତିକ କର୍ମ ବନ୍ଦ ରହେ । ବାଳ, ବୃଦ୍ଧ, ରୋଗୀ ଓ ଗର୍ଭବତୀଙ୍କ ପାଇଁ ଖାଦ୍ୟ ପାନୀୟ ନିୟନ୍ତ୍ରଣ ଓ ଅନ୍ୟମାନଙ୍କ ପାଇଁ ଖାଦ୍ୟ ପାନୀୟ ନିଷେଧ । ବିବାହ ଆଦି କର୍ମ ଏକଦିନ, ବ୍ରତ ଉପନୟନ ତିନିଦିନ ଓ ଯାତ୍ରା ସାତଦିନ ନିଷେଧ ଅଟେ । ଅପରପକ୍ଷେ ପରାଗର ପ୍ରଭାବ ହ୍ରାସ ପାଇଁ ଈଷ୍ଟ ସ୍ମରଣ, ମନ୍ତ୍ର ଜପ, ଭଜନ ଓ କୀର୍ତ୍ତନ ମାଧ୍ୟମରେ ଶବ୍ଦ ଶକ୍ତିର ସାହାଯ୍ୟ ନେବା ଓ ପରାଗ ମୋକ୍ଷ ପରେ ସ୍ନାନ-ତପଃ-ତର୍ପଣ ପାଇଁ ପ୍ରେରଣା ଦିଆଯାଏ । କାର୍ତ୍ତିକ ଅମାବାସ୍ୟା (୨୫.୧୦.୨୦୨୨) ଦିନ ଆଂଶିକ ସୂର୍ଯ୍ୟୋପରାଗ ଏବଂ କାର୍ତ୍ତିକ ପୂର୍ଣ୍ଣିମା ଦିନ (୮.୧୧.୨୦୨୨) ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗୋଟିଏ ମାସରେ ଦୁଇଟି ପରାଗ-ଗ୍ରହଣ ହେଲେ ସାମରିକ ଉତ୍ତେଜନା ହେତୁ ଅରାଜକତା ଓ ପ୍ରଜା ପୀଡ଼ାର ସୂଚନା ଦିଏ । “ଯଦୈକ୍ୟ ମାସେ ଗ୍ରହଣଂ ଯାୟତେ ଶଶି ସୂର୍ଯ୍ୟୟୋଃ ଶସ୍ତ୍ର କୋପେ କ୍ଷୟଂ ଯାନ୍ତି ରାଜାନୋହି ପରସ୍ପରମ୍” ।
ଗ୍ରହଣ-ପରାଗର ଆରମ୍ଭ ଓ ଶେଷ ମଧ୍ୟରେ ସୂର୍ଯ୍ୟ ଚନ୍ଦ୍ରଙ୍କର ଉଦୟ ହେବାକୁ ‘ଗ୍ରସ୍ତୋଦୟ’ ଏବଂ ଅସ୍ତ ହେବାକୁ ‘ଗ୍ରସ୍ତାସ୍ତ’ କୁହାଯାଏ । ଚଳିତ ମାସର ସୂର୍ଯ୍ୟୋପରାଗ ଗ୍ରସ୍ତାସ୍ତ ପରାଗ ଏବଂ ଚନ୍ଦ୍ରଗ୍ରହଣ ଗ୍ରସ୍ତୋଦୟ ଗ୍ରହଣ ହେବ । ଏଥିରୁ ଗୋଟିଏ ଘଟିଲେ ଶସ୍ୟ, ଖାଦ୍ୟ ଓ ଭୂପାଳ ନାଶକ ଅଟେ । ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଗ୍ରସ୍ତାସ୍ତ ଓ ଗ୍ରସ୍ତୋଦୟ ଘଟିଲେ ଦୁର୍ଭିକ୍ଷ, ଖାଦ୍ୟାଭାବ, ଜନପୀଡ଼ା ଓ ପ୍ରଜାକ୍ଷୟ ହେବ ବୋଲି ‘ଜ୍ୟୋତିଷଫଳ ଭାସ୍କର’ ମତ ଦିଏ । ସୂର୍ଯ୍ୟୋପରାଗ ତୁଳା ରାଶିରେ ହେଉଥିବାରୁ ବିଶ୍ୱ ବାଣିଜ୍ୟରେ ମନ୍ଥରତା, ପଶ୍ଚିମ ପ୍ରାନ୍ତ ସମୁଦ୍ରତଟ ଦେଶବାସୀଙ୍କୁ କଷ୍ଟ, ବିଦ୍ୱାନ ଲୋକଙ୍କର ପରାଭବ ହେବାର ବରାହ ବୃହତ ସଂହିତା ୫/୪୦ ମତ ଦିଏ । ପୁନଶ୍ଚ ଏହି ପରାଗ ଓ ଗ୍ରହଣ ଦକ୍ଷିଣାୟନରେ ଘଟୁଥିବାରୁ (ଜୁନ ୨୧ରୁ ଡିସେମ୍ବର ୨୨ ମଧ୍ୟରେ ଘଟୁଥିବାରୁ) ବ୍ୟାବସାୟିକ, ସେବାସଂସ୍ଥା ଓ ବ୍ୟକ୍ତିଙ୍କ ପାଇଁ ପୀଡ଼ାଦାୟକ ବୋଲି ବୃହତ ସଂହିତା ୫/୩୨ କହେ ।
କାର୍ତ୍ତିକ ମାସର ପରାଗ ଓ ଗ୍ରହଣ ଉଭୟ ମଙ୍ଗଳବାରରେ ହେଉଥିବାରୁ ଆଗ୍ନେୟ ଦୁର୍ଘଟଣା, ଯୁଦ୍ଧ, ଅପମିଶ୍ରଣ ଓ ରାସାୟନିକ ପ୍ରତିକ୍ରିୟା ବୃଦ୍ଧିର ସୂଚନା । ‘ଭୌମେ ବହି ଭୟ ଭବେତ୍’ । ମଙ୍ଗଳବାରରେ ପରାଗ ଶାସକ ବର୍ଗଙ୍କ ପାଇଁ ବିପଦ ଓ ମଙ୍ଗଳବାରରେ ଗ୍ରହଣ ଦରଦାମ୍ ବୃଦ୍ଧି ଓ ଶସ୍ୟହାନିର ସୂଚକ ଅଟେ (ଭବିଷ୍ୟ ଫଳ ଭାସ୍କର) । ଆକାଶୀୟ ଉତ୍ପାତ ଦୁର୍ଘଟଣା ସାଧାରଣ ଜନତା ଅପେକ୍ଷା ଉଚ୍ଚ ପ୍ରତିଷ୍ଠିତ ଓ ଶାସକବର୍ଗଙ୍କ ପାଇଁ ଅଧିକ ବିପଦ ସୃଷ୍ଟିକରେ ବୋଲି ସେକ୍ସପିଅର ଲେଖିଥିଲେ । “”When beggars die no comet is seen. The heaven blazes for the death of Kings”. ଚଳିତ ମାସର ପରାଗ ସମୟରେ ଶୁକ୍ର ଅସ୍ତ ଓ ଆକ୍ରାନ୍ତ ହେଉଥିବାରୁ ବୈବାହିକ ଅନୁଷ୍ଠାନ, ବୈଶ୍ୱିକ ବାଣିଜ୍ୟ, ଇକେଲକଟ୍ରୋନିକ ଶିଳ୍ପ ଆଦି ଉପରେ ଅଶୁଭ ପ୍ରଭାବ ବଢ଼ିବାର ସୂଚନା ମିଳେ । ଭୋଗ ଓ ସୁଖରେ ହତାଶା ବଢ଼େ । ଏହି ପରାଗ ମେଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା ଓ ମୀନ ରାଶି ପାଇଁ ଅଶୁଭ । ବୃଷ, ସିଂହ, ଧନୁ, ମକର ଓ କୁମ୍ଭ ରାଶି ପାଇଁ କିଛିଟା ଶୁଭଫଳ ଦାୟକ । ଏହି ପରାଗ ସ୍ୱାଧୀନ ଭାରତର ଶତ୍ରୁ ଭାବରେ ଏବଂ ଚରବାୟୁ ରାଶିରେ ହେଉଥିବାରୁ, ଦୂଷିତ ବାୟୁ ପ୍ରେରିତ ରୋଗ ଓ ବାୟବୀୟ ଦୁର୍ଘଟଣା ବୃଦ୍ଧି, ଫଳନ୍ତା ଶସ୍ୟ ନଷ୍ଟ, ବିତ୍ତୀୟ ନିଅଣ୍ଟ, ଋଣ ବୃଦ୍ଧି ଓ ଦେଶର ସୁରକ୍ଷା ପାଇଁ ଅଧିକ ବ୍ୟୟର ସୂଚନା ମିଳେ ।