ୟୁନିଲିଭର ଶାମ୍ପୁରେ କର୍କଟ ସୃଷ୍ଟିକାରୀ କେମିକାଲ: ବଜାରରୁ ଫେରାଇ ନେଲେ ବିଭିନ୍ନ ଡ୍ରାଇ ଶାମ୍ପୁ

ନୂଆଦିଲ୍ଲୀ: ଜଣାଶୁଣା କମ୍ପାନୀ ୟୁନିଲିଭରଙ୍କ ଅନେକ ଶାମ୍ପୁ ବ୍ରାଣ୍ଡରେ କର୍କଟ ସୃଷ୍ଟିକାରୀ କେମିକାଲ ମିଳିଛି। ଏଣୁ କମ୍ପାନୀ ଅମେରିକା ବଜାରରୁ ଡୋଭ, ନେକ୍ସସ, ସୁଆଭେ, ଟିଆଇଜିଆଇ ଓ ଟ୍ରେସମେ ଏୟରୋସୋଲ ଡ୍ରାଇ ଶାମ୍ପୁ ଫେରସ୍ତ ମଗାଇଛନ୍ତି। ଏହି ସବୁ ପ୍ରସାଧାନ ସାମଗ୍ରୀରେ ବେଞ୍ଜିନର ଉପସ୍ଥିତି ଜଣାପଡିଛି। ଏହି ରସାୟନ ଯୋଗୁ ମଣିଷଙ୍କ ଠାରେ କର୍କଟ ରୋଗ ହୋଇପାରେ।

ଆମେରିକା ଫୁଡ ଏଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନ (ଏଫଡିଏ)ଙ୍କ ଅନୁସାରେ ଏହି ସବୁ ଉତ୍ପାଦ ଅକ୍ଟୋବର ୨୦୨୧ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଓ ଏଗୁଡିକୁ ସାରା ଦେଶରେ ରିଟେଲରଙ୍କୁ ବିତରଣ କରାଯାଇଥିଲା। ଯେଉଁଥିରେ ଡୋଭ ଡ୍ରାଇ ଶାମ୍ପୁ ଭଲ୍ୟୁମ ଏଣ୍ଡ ଫୁଲନେସ୍, ଡୋଭ ଡ୍ରାଇ ଶାମ୍ପୁ ଫ୍ରେସ କୋକାନଟ, ନେକ୍ସସ ଡ୍ରାଇ ଶାମ୍ପୁ ରିଫ୍ରେସିଂ ମିଷ୍ଟ ଓ ସୁଆଭେ ଡ୍ରାଇ ଶାମ୍ପୁ ରିଫ୍ରେସ୍ ଏଣ୍ଡ ରିଭାଇଭ ଆଦିକୁ ଏବେ ବଜାରରୁ ଫେରାଇ ଅଣା ଯାଉଛି।

ଏଥିରେ ଥିବା ବେଞ୍ଜିନ ଯୋଗୁ ମଣିଷଙ୍କ ଠାରେ କର୍କଟ ହୋଇପାରେ। ଏଫଡିଏ ତାଙ୍କ ରିକଲ ନୋଟିସ୍‌ରେ ବେଞ୍ଜିନ ଅନେକ ଉପାୟରେ ମଣିଷ ଶରୀରକୁ ଯାଇପାରେ ବୋଲି କହିଛନ୍ତି । ଯେପରିକି ଏହାକୁ ସୁଂଘିଲେ ମୁହଁ ମାଧ୍ୟମରେ ଓ ତ୍ୱଚା ମାଧ୍ୟମରେ ଶରୀରକୁ  ଯାଇପାରେ। ଏଥି ଯୋଗୁ ଲ୍ୟୁକୋମିଆ ଓ ବ୍ଲଡ କ୍ୟାନସର ହୋଇଥାଏ। ଏଣୁ ଲୋକଙ୍କୁ ଏପରି ଉତ୍ପାଦର ବ୍ୟବହାର ବନ୍ଦ କରିଦେବା ଦରକାର ବୋଲି ଏଫଡିଏ କହିଛନ୍ତି। ତେବେ ପ୍ରସଙ୍ଗରେ ୟୁନିଲିଭର କୌଣସି ତତ୍କାଳ ମନ୍ତବ୍ୟ ଦେଇ ନାହାନ୍ତି।

ତେବେ ୟୁନିଲିଭରଙ୍କ ଏହି ପଦକ୍ଷେପ ପରେ ପର୍ସନାଲ ପ୍ରଡକ୍ଟରେ ଏୟରୋସୋଲର ଉପସ୍ଥିତି ନେଇ ପ୍ରଶ୍ନ ଉଠିଛି। କମ୍ପାନୀ ଗତ ଦେଢ ବର୍ଷରେ ଅନେକ ଏୟରୋସୋଲ ସନସ୍କ୍ରିନସ୍ ବଜାରରୁ ଫେରାଇ ନେଇଛନ୍ତି। ଏଥିରେ ଜନସନ ଏଣ୍ଡ ଜନସନଙ୍କ ନ୍ୟୁଟ୍ରୋଜେନା, ଏଜେୱେଲ ପର୍ସନାଲ କେୟାର କୋର ବାନାନା ବୋଟ୍ ଓ ବିୟର୍ସଡର୍ଫ ଏଜିର କପର୍ଟୋନ ଆଦି ସାମିଲ ଥିଲା।

ଗତବର୍ଷ ମଧ୍ୟ ପ୍ରୋକ୍ଟର ଏଣ୍ଡ ଗେମ୍ବଲ ୩୦ରୁ ଅଧିକ ଏୟରୋସୋଲ ସ୍ପ୍ରେ ହେୟାର କେୟାର ପ୍ରଡକ୍ଟସ୍ ବଜାରରୁ ଫେରସ୍ତ ମଗାଇଥିଲେ। ଏସବୁରେ ଡ୍ରାଇ ଶାମ୍ପୁ ଓ ଡ୍ରାଇ କଣ୍ଡିସନର ମଧ୍ୟ ସାମିଲ ଥିଲା। ଏହା ସହିତ ଓଲ୍ଡ ସ୍ପାଇସ୍ ଓ ସିକ୍ରେଟ ବ୍ରାଣ୍ଡର ଡିଓଡ୍ରାଣ୍ଟ ସ୍ପ୍ରେ ମଧ୍ୟ ବଜାରରୁ ଫେରସ୍ତ ମଗାଇ ନେଇଥିଲେ। ଏ ସବୁଥିରେ ବେଞ୍ଜିନର ଉପସ୍ଥିତି ନେଇ ଆଶଙ୍କା କରାଯାଇଥିଲା।

Related Articles

Back to top button