ମଲ୍ଲିକାର୍ଜୁନ ଖଡଗେ ବୁଧବାର କଂଗ୍ରେସ ସଭାପତି ପଦଭାର ସମ୍ଭାଳିବେ

ନୂଆଦିଲ୍ଲୀ: କଂଗ୍ରେସର ନବ ନିର୍ବାଚିତ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ବୁଧବାର ପଦଭାର ସମ୍ଭାଳିବେ। ପଦଭାର ଗ୍ରହଣ କରିବା ସହିତ ତାଙ୍କ ନିକଟରେ ଚ୍ୟାଲେଞ୍ଜର ପାହାଡ ରହିଛି। ତାଙ୍କ ସାମ୍ନରେ ଗୋଟିଏ ପଟେ ରାଜସ୍ଥାନର ରାଜନୈତିକ ସଙ୍କଟ ଥିବା ବେଳେ ଅନ୍ୟପଟେ ମୁଣ୍ଡ ଉପରେ ରହିଛି ଗୁଜରାଟ ଏବଂ ହିମାଚଳ ପ୍ରଦେଶ ନିର୍ବାଚନ। ଖଡଗେଙ୍କ ଲାଗି ସବୁଠୁ ବଡ ଅଗ୍ନି ପରୀକ୍ଷା  ହେଉଛି ୨୦୨୪ ଲୋକସଭା ନିର୍ବାଚନ।

ଖଡଗେ ବୁଧବାର ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପାର୍ଟିର ଅନ୍ୟ ନେତାଙ୍କ ଉପସ୍ଥିତିରେ ପାର୍ଟିର ଅଧ୍ୟକ୍ଷ ପଦଭାର ଗ୍ରହଣ କରିବେ। କର୍ଣ୍ଣାଟକର ଦଳିତ ସମୁଦାୟରୁ ଆସିଥିବା ୮୦ ବର୍ଷୀୟ ଖଡଗେ ଅକ୍ଟୋବର ୧୭ରେ ପାର୍ଟିର ଅନୁଷ୍ଠିତ ଐତିହାସିକ ନିର୍ବାଚନରେ ନିଜର ପ୍ରତିଦ୍ଵନ୍ଦ୍ଵୀ ୬୬ ବର୍ଷୀୟ ଶଶି ଥରୁରଙ୍କୁ ହରାଇଥିଲେ। ପାର୍ଟିର ୧୩୭ ବର୍ଷର ଇତିହାସରେ ଷଷ୍ଠ ଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା। ୨୪ ବର୍ଷରେ ପ୍ରଥମ ଥର ଅଣ ଗାନ୍ଧୀ ପରିବାରର ସଦସ୍ୟ କଂଗ୍ରେସର ଅଧ୍ୟକ୍ଷ ହୋଇ ପାରିଛନ୍ତି।

ଖଡଗେଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଟିକୁ ମଜବୁତ କରିବା ପାଇଁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି। ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଉନ୍ନତମାନର ପ୍ରଦର୍ଶନ କରିବା ଏକ ବଡ ଚ୍ୟାଲେଞ୍ଜ। ଅନ୍ୟପକ୍ଷେ ରାଜସ୍ଥାନ ଏବଂ କର୍ଣ୍ଣାଟକରେ ପାର୍ଟିରେ ଜାରି ଆଭ୍ୟନ୍ତରୀଣ କନ୍ଦଳ ଦଳର ଚିନ୍ତାକୁ ଆହୁରି ବଢାଇ ଦେଇଛି। ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଟିକୁ ଏକଜୁଟ୍ ରଖିବା ଖଡଗେଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ରହିବ।

ଶଶି ଥରୁରଙ୍କୁ ମାତ୍ ଦେଇ ପାର୍ଟିର ଶୀର୍ଷ ପଦରେ ଅଧିଷ୍ଠିତ ଖଡଗେଙ୍କ ପକ୍ଷରେ ମଧ୍ୟ ପରିସ୍ଥିତି କିଛିଟା ଅନୁକୂଳ ଥିବା ପରି ଲାଗୁଛି। ଖଡଗେଙ୍କ ଛବି ହେଉଛି ସମସ୍ତଙ୍କୁ ସାଥିରେ ନେଇ ଆଗକୁ ଚାଲିବାର ରହିଛି। ତାଙ୍କର ଏହି ଗୁଣ ହିଁ ତାଙ୍କର ଆଗାମୀ  ଯାତ୍ରାରେ ବେଶ ସହାୟକ ହୋଇଥାଏ।

Related Articles

Back to top button