ପିପିଲି ଗୁଳିକାଣ୍ଡ ଘଟଣାରେ ଏବେ ସୁଦ୍ଧା ଅଭିଯୁକ୍ତ ଫେରାର, ଜଣେ ଅଟକ

ନିମାପଡ଼ା: ପିପିଲି ଗୁଳିକାଣ୍ଡ ଘଟଣାରେ ଗୁଳି ବାଜି ଗୁରୁତର ହୋଇଥିବା ସାନୁ ପ୍ରଧାନ ଏବେ ଭୁବନେଶ୍ୱରରେ ଥିବା ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଏବେ ସୁଦ୍ଧା ଅଭିଯୁକ୍ତ ଫେରାର ରହିଛି। ପୂର୍ବ ଶତ୍ରୁତାକୁ ନେଇ ପୂର୍ବରୁ ବୋମାମାଡ଼, ହଣାକଟା ହୋଇ ୨ ଗୋଷ୍ଠୀ ପକ୍ଷରୁ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସୋମବାର ଦୀପାବଳୀରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମୁହାମୁହିଁ ପରିସ୍ଥିତି ଉପୁଜି ଥିଲା। ଫଳରେ ଗୁଳିକାଣ୍ଡ ଘଟି ସାନୁ ଗୁରୁତର ହୋଇଥିଲେ। ସେହି ଅଞ୍ଚଳରେ ପୁରୀ ଆରକ୍ଷି ଅଧିକ୍ଷକଙ୍କ ନିର୍ଦ୍ଦେଶରେ ସୋମବାର ଠାରୁ ୬ ଜଣ ଇନ୍ସପେକ୍ଟରଙ୍କ ସହ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛି।

ପିପିଲି ଏନଏସି ଏବଂ ତାର ଆଖପାଖ ଅଞ୍ଚଳରେ ପୋଲିସ ପେଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିଲା। ମଙ୍ଗଳବାର ଏସପି କନୱର୍ ବିଶାଳ ସିଂ ପିପିଲି ଥାନା ରେ ଅତିରିକ୍ତ ଆରକ୍ଷି ଅଧିକ୍ଷକ ଓ ପିପିଲି ଆଇଆଇସିଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ତେବେ ଏହି ଘଟଣାକୁ ଗୁରୁତର ଭାବେ ନେଇ ଉଭୟ ପକ୍ଷଙ୍କୁ ପିପିଲି ଶାନ୍ତିକମିଟି ଦ୍ୱାରା ସମାଧାନ ପାଇଁ ଚେଷ୍ଟା ଜାରି ରହିଛି ବୋଲି ଅତିରିକ୍ତ ଆରକ୍ଷି ଅଧିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି। ଅନ୍ୟପଟେ ଏହି ଅଭିଯୋଗରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଛି।

Related Articles

Back to top button