ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପ୍ରତି ବଢୁଛି ବିଦେଶୀ ପର୍ଯ୍ୟଟକଙ୍କ ଆଗ୍ରହ, ୬୩୦ ଜୀବଜନ୍ତୁ ହେଲେଣି ପୋଷ୍ୟ

ଭୁବନେଶ୍ବର: ରାଜ୍ୟର ମୁଖ୍ୟ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଗଣିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଢିବାରେ ଲାଗିଛି ପୋଷ୍ୟ ଜୀବଜନ୍ତୁଙ୍କ ସଂଖ୍ୟା । ବର୍ତ୍ତମାନ ସୁଧା ୬୩୦ଟି ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିସାରିଛନ୍ତି ପର୍ଯ୍ୟଟକ । ନନ୍ଦନକାନନର ଜୀବଜନ୍ତୁଙ୍କୁ ବିଭିନ୍ନ ସଂସ୍ଥା ଓ ସାଧାରଣ ଲୋକେ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ଆଗେଇ ଆସୁଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ପର୍ଯ୍ୟଟକମାନେ ମଧ୍ୟ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି । ନିଜ ପସନ୍ଦର ଜୀବଜନ୍ତୁଙ୍କୁ ଆଦରି ନେଇଛନ୍ତି । ଅନଲାଇନ ମାଧ୍ୟମରେ ନିଜ ପସନ୍ଦର ଜୀବଜନ୍ତୁଙ୍କୁ ଆଦରି ନେଉଛନ୍ତି ପଶୁ ପ୍ରେମୀ । ବର୍ତ୍ତମାନ ସୁଧା ୬୩୦ଟି ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରାଯାଇଛି । ୨୦୧୯ ମସିହା ନଭେମ୍ବର ମାସରୁ ପୋଷ୍ୟ ଭାବରେ ଗ୍ରହଣ କରିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ପ୍ରଥମ କରି ୨୦୧୯ ନଭେମ୍ବର ୪ ତାରିଖରେ ଏକ ନୀଳ ରଙ୍ଗର ଶୁଆକୁ କଟକର ଜୟନ୍ତ କୁମାର ଦାସ ପୋଷ୍ୟ ଭାବରେ ଗ୍ରହଣ କରିଥିଲେ। ତେବେ ବର୍ତ୍ତମାନ ଅକ୍ଟୋବର ୨୩ ତାରିଖ ମଧ୍ୟରେ ୬୩୦ଜଣ ପୋଷ୍ୟ ଭାବରେ ଗ୍ରହଣ କରିସାରିଛନ୍ତି।

ଏପରିକି ଅନେକ ଲୋକ ଜୀବଜନ୍ତୁଙ୍କୁ ଏକ ମାସ ପୋଷ୍ୟ ଭାବରେ ଗ୍ରହଣ କରୁଥିବା ବେଳେ ଆଉ କେହି ୬ ମାସ ଏବଂ ୧ ବର୍ଷ ପାଇଁ ପୋଷ୍ୟ ଭାବରେ ଗ୍ରହଣ କରୁଛନ୍ତି । ପୁରୀର ଅନ୍ଵେଷା ପଣ୍ଡା ୧ ବର୍ଷ ପାଇଁ Alexandrine parakeet କୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ସେହିପରି ଭାବରେ ନୂଆଦିଲ୍ଲୀର ରଶ୍ମିରେଖା ଦାସ Hippopotamus କୁ ୬ ମାସ ପାଇଁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଖୋର୍ଦ୍ଧାର ନିଖିଳ କୁମାର ଅଗ୍ରୱାଲା ଦେଶୀ ଶୁଆକୁ ୧ ବର୍ଷ ପାଇଁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି।

ବେଙ୍ଗାଲୁରର ଏକ ପାର୍କ ହରିଣ ସହ ଏକ ଶୁଆକୁ ୧ ବର୍ଷ ପାଇଁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଭୁବନେଶ୍ବରର ଏକ ଘରୋଇ ସଂସ୍ଥା ୧ ବର୍ଷ ପାଇଁ ଧଳା ବାଘକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ହେଲେ ପର୍ଯ୍ୟଟକଙ୍କୁ ଜନ୍ତୁଙ୍କ ଖର୍ଚ୍ଚ ବାବଦକୁ ଅର୍ଥ ଦେବାକୁ ପଡି଼ଥାଏ । ନନ୍ଦନକାନନରେ ପାଖାପାଖି ୩ ହଜାରରୁ ଅଧିକ ଜୀବଜନ୍ତୁ ରହିଛନ୍ତି । ପ୍ରାଣୀ ଉଦ୍ୟାନରେ ୧୫୮ ପ୍ରଜାତିର ୩,୭୮୭ ବନ୍ୟପ୍ରାଣୀ ୨୧୨ ଖୁଆଡ଼ ମଧ୍ୟରେ ରହିଛନ୍ତି ।

ବିଭିନ୍ନ ପ୍ରକାର ପଶୁ, ପକ୍ଷୀ ଓ ସରୀସୃପଙ୍କ ଆବାସ ସ୍ଥଳୀରେ ମଧ୍ୟ ପରିଣତ ହୋଇଛି । ଏହା ପରିସରରେ ୧୩ ପ୍ରଜାତିର ସ୍ତନ୍ୟପାୟୀ, ୧୫ ପ୍ରଜାତିର ସରୀସୃପ, ୭୧ ପ୍ରଜାତିର ପକ୍ଷୀ, ୨୦ ପ୍ରଜାତିର ଉଭୟଚର, ୮୫ ପ୍ରକାର ପ୍ରଜାପତି ଓ ୨୧ ପ୍ରକାର ବୁଢ଼ିଆଣୀ ଚିହ୍ନଟ ହୋଇଛନ୍ତି । ଦେଶର ଅନ୍ୟ ଚିଡ଼ିଆଖାନା ତୁଳନାରେ ଏଠାରେ ମୃତ୍ୟୁହାର କମ୍ ରହିଛି । ତେବେ ଅଧିକରୁ ଅଧିକ ଜୀବଜନ୍ତୁଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିବାକୁ ଆହ୍ଵାନ ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।

Related Articles

Back to top button