ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ଋଷି ସୁନକଙ୍କ ପ୍ରଥମ ସମ୍ବୋଧନ, କହିଲେ ଆର୍ଥିକ ସ୍ଥିରତା ପ୍ରାଥମିକତା

ଲଣ୍ଡନ: ବ୍ରିଟେନ ମହାରାଜା ଚାର୍ଲ୍ସ-ତୃତୀୟଙ୍କ ଦ୍ବାରା ବିଧିବଦ୍ଧ ଭାବେ ପ୍ରଧାନମନ୍ତ୍ରୀ ନିଯୁକ୍ତ ହେବା ପରେ ପ୍ରଥମ ଥର ବ୍ରିଟେନବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ଋଷି ସୁନକ। ରାଜଧାନୀ ଲଣ୍ଡନର ୧୦ ଡାଉନିଂ ଷ୍ଟ୍ରିଟରେ ଥିବା ଶାସକ ଦଳ କଞ୍ଜରଭେଟିବ ପାର୍ଟି ମୁଖ୍ୟାଳୟରେ ସୁନକ ଦେଶବାସୀଙ୍କୁ ପ୍ରଥମ ସମ୍ବୋଧିତ କରିଛନ୍ତି । ଦେଶରେ ଜାରି ରହିଥିବା ଆର୍ଥିକ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ସେ ତାଙ୍କ ସରକାର ଗଠନ କରିବାକୁ ଯାଉଛନ୍ତି । ଆର୍ଥିକ ସ୍ଥିରତା ଫେରାଇବା ତାଙ୍କ ସରକାରଙ୍କର ପ୍ରଥମ ପ୍ରାଥମିକତା ହେବାକୁ ଯାଉଥିବା ବେଳେ ଏ ଦିଗରେ ଦେଶବାସୀଙ୍କ ସମର୍ଥନ ଲୋଡିଛନ୍ତି ।

ସୁନକ କହିଛନ୍ତି, ‘‘ଆମ ଦେଶ ବର୍ତ୍ତମାନ ଏକ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । କୋଭିଡ ମହାମାରୀର ପ୍ରଭାବ ମଧ୍ୟ ଏବେ ସୁଦ୍ଧା ଶେଷ ହୋଇନି । ସେହିପରି ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଧ୍ୟ ବିଶ୍ବ ବଜାର ଉପରେ ପ୍ରଭାବ ପକାଇଛି । ପୁଟିନଙ୍କ ଯୁଦ୍ଧ ନିଷ୍ପତ୍ତି ବିଶ୍ବ ଯୋଗାଣ ଶୃଙ୍ଖଳାକୁ ବିଶେଷ ଭାବେ ପ୍ରଭାବିତ କରିଛି।’’

ସେହିପରି ସେ କୋଭିଡ ସମୟରେ ତାଙ୍କ ଦାୟିତ୍ବ ଓ ସେ ଲିଭାଇଥିବା କର୍ତ୍ତବ୍ୟ ସମ୍ପର୍କରେ ମଧ୍ୟ ସମ୍ବୋଧନରେ ସ୍ଥାନ ଦେବା ପାଇଁ ଭୁଲିନଥିଲେ । କୋଭିଡ ସମୟରେ ତାଙ୍କ ଦ୍ବାରା ଯାହା ସମ୍ଭବ ତାହା କରିବାରେ କୌଣସି ହେଳା କରିନାହାନ୍ତି ବୋଲି କହିଥିଲେ । ଏବେ ପ୍ରଧାନମନ୍ତ୍ରୀ ହେବା ପରେ ଉତ୍ତର ଦାୟିତ୍ବ ଆହୁରି ବଢିଛି । ସେ ଲୋକଙ୍କୁ କେବଳ ଭାଷାରେ ନୁହେଁ ବରଂ କାର୍ଯ୍ୟରେ ଯୋଡିବେ ବୋଲି ସୁନକ କହିଥିଲେ ।

ଋଷି ସୁନକ ବ୍ରିଟେନର ନୂତନ ତଥା ୫୭ତମ ତଥା ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨ ଶତାବ୍ଦୀ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ (Rishi Sunak new UK PM) ଭାବେ ରେକର୍ଡ କରିଛନ୍ତି । ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଦୌଡରେ ଥିବାବେଳେ ତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଲିଜ ଟ୍ରସ । ହେଲେ ଟ୍ରସଙ୍କ ଇସ୍ତଫା ପରେ ପୁଣିଥରେ ପ୍ରତିଦ୍ବନ୍ଦିତା କରି ବ୍ରିଟେନର ଶାସନର ଶୀର୍ଷ ପଦରେ ଅଧିଷ୍ଠିତ ହୋଇଛନ୍ତି । ଗତକାଲି ସେ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିଲେ ।

ଋଷି ସୁନକଙ୍କ ପରିବାର ପଞ୍ଜାବର ମୂଳ ବାସିନ୍ଦା । ତିନି ପିଢି ଧରି ସେମାନେ ବ୍ରିଟେନରେ ରହି ଆସୁଛନ୍ତି । ୧୯୮୦ ମସିହାରେ ସାଉଥମ୍ପଟନରେ (Southampton) ସୁନକଙ୍କ ଜନ୍ମ । ସେ ୱିଞ୍ଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ, ଅକ୍ସୋଫୋର୍ଡ ବିଶ୍ବବିଦ୍ୟାଳଯରୁ ଦର୍ଶନଶାସ୍ତ୍ର ଓ ଅର୍ଥନୀତି ଶିକ୍ଷା ଓ ଷ୍ଟାଣ୍ଡଫର୍ଡ ବିଶ୍ବବିଦ୍ୟାଳୟରୁ MBA କରିଛନ୍ତି । ଭାରତୀୟ ବଂଶୋଦ୍ଭବ ସୁନକ ଇନଫୋସିସ୍ ପ୍ରତିଷ୍ଠାନ ଏନ.ଆର୍ ନାରାୟଣ ମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତିଙ୍କୁ ବିବାହ କରିଛନ୍ତି ।

Related Articles

Back to top button