୨୦୨୪ ସୁଦ୍ଧା ସମସ୍ତ ରାଜ୍ୟରେ ଏନଆଇଏର ଶାଖା

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି ଏବଂ ଏହା ଉପରେ ନିର୍ଣ୍ଣାୟକ ବିଜୟ ହାସଲ କରିବାକୁ ଏନଆଇଏ ତଥା ଅନ୍ୟାନ୍ୟ ଏଜେନ୍ସି ଗୁଡ଼ିକୁ ମଜବୁତ କରା ଯାଉଛି, ୨୦୨୪ ମସିହା ପୂର୍ବରୁ ସମସ୍ତ ରାଜ୍ୟ ଗୁଡିକରେ ଏନଆଇଏର ଶାଖା ସ୍ଥାପନ କରି ଆତଙ୍କବାଦ ବିରୋଧୀ ନେଟୱାର୍କ ଗଠନ ପାଇଁ ଉଦ୍ୟମ କରା ଯାଉଛି । ଗୁରୁବାର ହରିଆଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ‘ଚିନ୍ତନ ଶିବିର’ କୁ ସମ୍ବୋଧିତ କରି ଏପରି କହିଛନ୍ତି, କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ।

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହ ହରିଆଣାର ସୁରଜକୁଣ୍ଡ ଠାରେ ଦୁଇ ଦିନିଆ ‘ଚିନ୍ତନ ଶିବିର’ ର ପ୍ରଥମ ଦିନକୁ ସମ୍ବୋଧିତ କରିଛନ୍ତି । ଏହି ଚିନ୍ତନ ଶିବିରରେ ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀ, ଗୃହ ମନ୍ତ୍ରୀ ଏବଂ କେନ୍ଦ୍ରଶାସିତ ଅଂଚଳର  ଲ୍ୟୁଟନାଂଟ ଗଭର୍ଣ୍ଣର ଏବଂ ପ୍ରଶାସକମାନେ ଅଂଶ ଗ୍ରହଣ କରିଛନ୍ତି । ଓଡ଼ିଶାର ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ବୈଠକରେ ଯୋଗ ଦେଇଥିବା ସୂଚନା ରହିଛି।

ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ପ୍ରେରଣା ନେଇ ଆୟୋଜନ କରାଯାଉଥିବା ଏହି ଚିନ୍ତନ ଶିବିର ସାଇବର ଅପରାଧ, ନିଶା କାରବାର ଏବଂ ସୀମାପାର ଆତଙ୍କବାଦ ଭଳି ଦେଶ ସମ୍ମୁଖରେ ରହିଥିବା ସମସ୍ତ ଆହ୍ୱାନ ଗୁଡିକର ସମ୍ମୁଖୀନ ହେବାକୁ ଏକ ମଂଚ ପ୍ରଦାନ କରିବ ।  ସେ କହିଥିଲେ ଯେ, ଆଜି ଅପରାଧ ଗୁଡିକର ସ୍ୱଭାବ ବଦଳିବାରେ ଲାଗିଛି  ଏବଂ ସେଗୁଡିକର କୌଣସି ସୀମା ରହୁନାହିଁ, ସେଥିପାଇଁ ସମସ୍ତ ରାଜ୍ୟ ଗୁଡିକୁ ମିଳିତ ଭାବେ ଏକ ସାଧାରଣ ରଣନୀତି ପ୍ରସ୍ତୁତ କରି ଏହା ବିରୁଦ୍ଧରେ ଲଢ଼େଇ  କରିବାକୁ ପଡ଼ିବ। ଏହି ସାଧାରଣ ରଣନୀତିକୁ ପ୍ରସ୍ତୁତ କରିବା ପାଇଁ ଏବଂ କାର୍ଯ୍ୟକାରୀ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ‘ସହକାରୀ ସଂଘବାଦ,  ‘ସମ୍ପୂର୍ଣ୍ଣ ସରକାର’ (ହୋଲ୍ ଅଫ୍ ଗଭର୍ଣ୍ଣମେଂଟ) ଏବଂ ‘ଟିମ୍ ଇଣ୍ଡିଆ’ ଆଭିମୁଖ୍ୟ ଅଧୀନରେ ୩ସି (ଇଂରାଜୀ ଅକ୍ଷର ସି) , ଯଥା – ଅର୍ଥାତ୍ ସହଯୋଗ, ସମନ୍ୱୟ, ସହଭାଗୀତାକୁ ପ୍ରୋତ୍ସାହିତ କରୁଛନ୍ତି।

ସେ କହିଥିଲେ ଯେ,  ଏନଆଇଏକୁ ଅତିରିକ୍ତ ଆଂଚଳିକ ଅଧିକାର ଦିଆ ଯାଇଛି ଏବଂ ଏହା ସହିତ ଆତଙ୍କବାଦ ଦ୍ୱାରା ଅର୍ଜନ କରାଯାଇଥିବା ସମ୍ବନ୍ଧିତ ସମ୍ପତ୍ତି  ଜବତ କରିବାର ଅଧିକାର ମଧ୍ୟ ଏଜେନ୍ସିକୁ ପ୍ରଦାନ କରା ଯାଇଛି। ଶାହା କହିଥିଲେ ଯେ , ୨୦୨୪ ମସିହା ସୁଦ୍ଧା ଦେଶର ସମସ୍ତ ରାଜ୍ୟ ଗୁଡିକରେ ଏନଆଇଏର ଶାଖା ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ପାରସ୍ପରିକ ସହଯୋଗ ଏବଂ ସମନ୍ୱୟ ରହିବା କାରଣରୁ ଆଜି ଦେଶର ଅଧିକାଂଶ ସୁରକ୍ଷା ହଟସ୍ପଟ୍ ଦେଶ ବିରୋଧୀ କାର୍ଯ୍ୟକଳାପରୁ ପ୍ରାୟ ମୁକ୍ତ ହୋଇ ପାରିଛି ।

ଶାହା ଉଲ୍ଲେଖ କରିଥିଲେ ଯେ, ନିଶା କାରବାର ବିରୁଦ୍ଧରେ ଭାରତ ସରକାରଙ୍କ ଶୂନ୍ୟ ସହନଶୀଳତା ନୀତି ଭଲ ପରିଣାମ ପ୍ରଦର୍ଶନ କରୁଛି ଏବଂ ଗତ ୮ ବର୍ଷ ମଧ୍ୟରେ ଏହାକୁ ନେଇ ୩୦୦୦ ରୁ ଅଧିକ ମାମଲା ରୁଜୁ ହୋଇଥିବା ବେଳେ ପ୍ରାୟ ୨୦୦୦୦୦ କୋଟି ଟଙ୍କାରୁ  ଅଧିକ ମୂଲ୍ୟର ମାଦକ ଦ୍ରବ୍ୟ (ଡ୍ରଗ୍ସ) ଜବତ କରା ଯାଇଛି।

Related Articles

Back to top button