ଭାରତୀୟ ନୋଟ୍‌ରେ ଲକ୍ଷ୍ମୀ ଓ ଗଣେଶଙ୍କ ଛବି ଲଗାଇବା ଲାଗି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ କେଜରିୱାଲ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାରତୀୟ ନୋଟ୍‌ରେ ଲକ୍ଷ୍ମୀ ଓ ଗଣେଶଙ୍କ ଛବି ଲଗାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ସେ ମହାତ୍ମା ଗାନ୍ଧିଙ୍କ ଚିତ୍ର ସହ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ଚିତ୍ର ଛପେଇବାକୁ ନିବେଦନ କରିଛନ୍ତି। ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଥିବା ନେଇ ମୁଖ୍ୟମନ୍ତ୍ରୀ କେଜରିୱାଲ ଟ୍ୱିଟ୍‌ ମାଧ୍ୟମରେ ସୂଚିତ କରିଛନ୍ତି। ଏହା ପୂର୍ବରୁ କେଜରିୱାଲ ସାମ୍ବାଦିକ ସମ୍ମିଳନୀ କରି ଭାରତୀୟ କରେନ୍ସୀରେ ଲକ୍ଷ୍ମୀ ଓ ଗଣେଶଙ୍କ ଛବି ନିମନ୍ତେ ଦାବି କରିଥିଲେ।

କେଜରିୱାଲ ପ୍ରଧାନମନ୍ତ୍ରୀଙ୍କୁ ପତ୍ରଲେଖି ସ୍ୱାଧୀନତାର ୭୫ ବର୍ଷ ପରେ ବି ଭାରତ ବିକାଶଶୀଳ ଓ ଗରିବ ଦେଶରେ ଗଣାଯାଉଥିବା ଉଲ୍ଲେଖ କରିଛନ୍ତି। ଦେଶରେ ଗରିବ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ। ଦାରିଦ୍ର୍ୟତାରୁ ମୁକୁଳିବା ଲାଗି ଦେଶବାସୀଙ୍କୁ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି ସାଙ୍ଗକୁ ଆମକୁ ଭଗବାନଙ୍କ ଆଶିର୍ବାଦ ମଧ୍ୟ ଦରକାର। ଯାହାଦ୍ୱାରା ଆମର ପ୍ରୟାଶ ସଫଳ ହେବ। ସଠିକ ନୀତି, କଠିନ ପରିଶ୍ରମ ଓ ପ୍ରଭୁଙ୍କ ଆଶିର୍ବାଦର ସଙ୍ଗମ ଯୋଗୁ ଦେଶ ଉନ୍ନତି କରିପାରିବ ବୋଲି କେଜରିୱାଲ କହିଛନ୍ତି। ଏଣୁ ଟଙ୍କାରେ ମହାତ୍ମା ଗାନ୍ଧିଙ୍କ ଚିତ୍ର ସହ ଲକ୍ଷ୍ମୀ ଓ ଗଣେଶଙ୍କ ଚିତ୍ର ମଧ୍ୟ ରହିବା ଦରକାର ଓ ଦେଶର ୧୩୦ କୋଟି ଜନତାଙ୍କ ପକ୍ଷରୁ ଆପଣଙ୍କ ନିକଟରେ ଏହି ନିବେଦନ କରୁଥିବା ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀ କେଜରିୱାଲ ତାଙ୍କ ପତ୍ରରେ ଏ ନେଇ ସେ ସାମ୍ବାଦିକ ସମ୍ମିଳନୀ କରିଥିଲେ ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ ସେ ସାର୍ବଜନିକ ଭାବେ ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ ଓ ଗଣେଶଙ୍କ ଛବି ପାଇଁ ଦାବି କରିଥିବାର ମଧ୍ୟ କହିଛନ୍ତି। ସେ ଏହି ଦାବି କରିବା ପରଠାରୁ ପ୍ରସଙ୍ଗକୁ ସାଧାରଣ ଜନତାଙ୍କ ସମର୍ଥନ ମଧ୍ୟ ମିଳିଥିବା କହିଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟ ଉତ୍ସାହ ଦେଖାଦେଇଥିବା ଓ ସବୁ ନାଗରିକ ଏହାକୁ ତୁରନ୍ତ ଲାଗୁ କରିବା ପାଇଁ ଦାବି କରୁଥିବା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବୁଧବାର ସାମ୍ବାଦିକ ସମ୍ମିଳନୀ କରି ନୋଟରେ ଲକ୍ଷ୍ମୀ-ଗଣେଶଙ୍କ ଛବି ଲଗାଇବାକୁ ଦାବି କରିଥିଲେ। ଏଥିରେ ନୋଟର ଗୋଟିଏ ପଟେ ମହାତ୍ମା ଗାନ୍ଧିଙ୍କ ଫଟୋ ରହୁଥିବା ବେଳେ ଅପରପଟେ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ ରହିଲେ ପୁରା ଦେଶକୁ ଆଶିର୍ବାଦ ମିଳିବ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଲକ୍ଷ୍ମୀଙ୍କୁ ସମୃଦ୍ଧିର ଦେବି ମନେ କରାଯାଏ । ସେହିପରି ଗଣେଷ ସବୁ ସମସ୍ୟାର ସମାଧାନ କରନ୍ତି। ଏଣୁ ନୋଟରେ ଦୁଇ ଭାରତୀୟ ଦେବୀ ଦେବତାଙ୍କ ଛବି ରହିବା ଦରକାର ବୋଲି କହିଛନ୍ତି।

Related Articles

Back to top button