ବରଗଡ ପଦ୍ମପୁର ଉପନିର୍ବାଚନ ପୂର୍ବରୁ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପ ଶୁଭାରମ୍ଭ

ଭୁବନେଶ୍ୱର: ବରଗଡ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ପରେ ଖାଲି ପଡ଼ିଛି ଏହି ଆସନ। ଖୁବଶୀଘ୍ର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ପଦ୍ମପୁରରେ ୪୮୮ କୋଟି ଟଙ୍କାର ନୂଆ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସମସ୍ତଙ୍କ ସହଯୋଗରେ ପଦ୍ମପୁରକୁ ବିକାଶର ଏକ ମଡେଲ କରାଯିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ପଦ୍ମପୁର ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏ ସବୁ ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ବିକାଶର ଏହି ଧାରା ଆହୁରି ଆଗକୁ ବଢିବ ବୋଲି ମଧ୍ୟ ସେ କହିଛନ୍ତି। ପଦ୍ମପୁର ଓଡିଶାର ଭାତହାଣ୍ଡି ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାକୁ ସବୁଠାରୁ ଅଧିକ ଚାଉଳ ପଦ୍ମପୁର ହିଁ ଯୋଗାଇ ଦେଉଛି । ପଦ୍ମପୁରର ଚାଷୀମାନଙ୍କ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ୧୦ କୋଟି ଟଙ୍କାର ୨୦ଟି ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଥିଲେ। ତା ସହିତ କୃଷି ବଜାର ଭିତ୍ତିଭୂମି ବିକାଶ ପାଇଁ ୧୮ କୋଟି ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡ଼, ପଦ୍ମପୁର ଅଞ୍ଚଳର ଅନେକ ଚାଷୀ ଏ ପର୍ଯ୍ୟନ୍ତ ବୀମା ଟଙ୍କା ପାଇ ନାହାନ୍ତି । ଏହା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆସୁଛିି। ତେଣୁ କେନ୍ଦ୍ର ସରକାରଙ୍କ ସହ ସମସ୍ୟା ବିଷୟରେ ଆଲୋଚନା କରି ସମାଧାନ ପାଇଁ ବାରମ୍ବାର ଚେଷ୍ଟା ଜାରି ରଖିଛି କହି ଚାଷୀଙ୍କ ଭୋଟ୍ ବ୍ୟାଙ୍କ ଉପରେ ନଜର ପକାଇଛନ୍ତି ନବୀନ ।

ଏହାସହିତ ପଦ୍ମପୁରରେ ଯୋଗାଯୋଗର ବିକାଶ ପାଇଁ ୨୬୦ କୋଟି ଟଙ୍କାରେ ୩୮ଟି ସେତୁ ଓ ୧୩୬ କୋଟି ଟଙ୍କାରେ ୨୫ଟି ରାସ୍ତା କାମର ଶୁଭାରମ୍ଭ କରାଯିବା ସହିତ ୯ କୋଟି ଟଙ୍କାରେ ଗ୍ରାମ୍ୟ ଭିତ୍ତିଭୂମି ପ୍ରକଳ୍ପ, ୬୦ ଲକ୍ଷ ଟଙ୍କାରେ ୪ଟି ଗ୍ରାମୀଣ ବଜାର ଓ ୪ କୋଟି ୨୨ ଲକ୍ଷ ଟଙ୍କାରେ ୧୬ଟି ପୌରାଞ୍ଚଳ ଭିତ୍ତିଭୂମି ଯୋଜନା ମଧ୍ୟ ଆରମ୍ଭ କରାଯାଇଛି ।

ଏହା ସହିତ ଆଜି ପଦ୍ମପୁର ଅଞ୍ଚଳର ୩ଟି ବ୍ଲକ୍‌ ଓ ସହରାଞ୍ଚଳ ପାଇଁ ୩୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟ ଉଦ୍‌ଘାଟିତ ହୋଇଥିଲା। ଏଥିରେ ୨୦ଟି କଲ୍ୟାଣମଣ୍ଡପ ସହିତ ପଞ୍ଚାୟତ ଭବନ, ଗ୍ରାମୀଣ ବଜାର ଓ କମନ୍ ଫାସିଲିଟି ସେଣ୍ଟର କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ନିରଞ୍ଚନ ପୂଜାରୀ, ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ, ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ, ଭଟଲୀ ବିଧାୟକ ଶ୍ରୀ ସୁଶାନ୍ତ ସିଂ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଅତାବିରା ବିଧାୟକ ଶ୍ରୀମତୀ ସ୍ନେହାଙ୍ଗୀନି ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ।

Related Articles

Back to top button